ବୋଇତ ବନ୍ଦାଣରୁ ଆରମ୍ଭ ବାଲିଯାତ୍ରା, ଆଜିଠୁ କମ୍ପିବ କୁଆଖାଇ ପଠା

ଭୁବନଶ୍ବର: ସୋମବାର ଭୋର୍‌ରୁ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ପଠାରେ ଭୁବନେଶ୍ବର ବାଲିଯାତ୍ରାର ଶୁଭାରମ୍ଭ ହେବ। ବୋଇତ ବନ୍ଦାଣରୁ ଆରମ୍ଭ ହେବାକୁ ଥିବା ଏହି ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ୮ରୁ ୧୬ ତାରିଖ ଯାଏ ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲୋକକଳା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଏହି ମେଳାରେ ଚଳିତ ବର୍ଷ ଓଡ଼ିଶାର ବହୁ ପାରମ୍ପରିକ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନ ପାଇବ। ପ୍ରତିଦିନ ସନ୍ଧ୍ୟାରେ ଏସବୁ ଲୋକକଳା ରାଜଧାନୀବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ମୀନାବଜାର ଦୋଳିରୁ ଆରମ୍ଭ କରି ପ୍ରାୟ ୮ଶହ ଦୋକାନ ଏହି ମେଳା ବଜାରକୁ ଗହଳଚହଳ କରିବ। ତେଣୁ ଆଜିଠାରୁ ସ୍ଥାନୀୟ ଗାଁଗୁଡ଼ିକରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

ଡଙ୍ଗା ଭସାଇବେ ୫ହଜାର ଲୋକ

ଗତକାଲି କମିଟିର ବରିଷ୍ଠ ସଦସ୍ୟମାନଙ୍କ ଦ୍ବାରା ଭୂମି ପୂଜନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଆଜି ସନ୍ଧ୍ୟାରେ ହୋଇଥିବା ବୈଠକ ଅନୁସାରେ ବାଲିଯାତ୍ରା ସରିବା ପର୍ଯ୍ୟନ୍ତ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୨୦ ଜଣ ଅଧିକାରୀ, ୪ ପ୍ଲାଟୁନ୍‌ ପୁଲିସ ବଳ, ଓଡ୍ରାଫ୍‌ ଟିମ୍‌ ରହିବେ। ସୋମବା‌ର ଭୋର୍‌ ପ୍ରାୟ ସାଢ଼େ ୩ଟାରୁ ଡଙ୍ଗା ଭସା ଆରମ୍ଭ ହେବ। ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଉତ୍ସବରେ ସାମିଲ୍‌ ହେବେ। ବରିମୁଣ୍ଡ, ଜରିପାଟଣା, ରୋକଟ, ଇଞ୍ଜଣା, ନହରକଣ୍ଟା, ଗଣ୍ଡରପୁର ଆଦି ଗାଁରୁ ଲୋକମାନେ ଡଙ୍ଗା ଭସାଇବାକୁ ଏହି ପଠାକ‌ୁ ଆସିବେ। ତେଣୁ ରାତିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଞ୍ଚେଶ୍ବର ଥାନା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର, ଉପସଭାପତି ନିର୍ମଳ ରାଉତ, ସମ୍ପାଦକ ତପନ ବଳିଆରସିଂହ ଓ ଅଭୟ ବଡ଼ଜେନା ସୂଚନା ଦେଇଛନ୍ତି।

ଧମାଲ କରିବେ ବଲିଉଡ୍‌, ଓଲିଉଡ୍‌ କଣ୍ଠଶିଳ୍ପୀ

ଚଳିତ ବର୍ଷ ଏହି ମହୋତ୍ସବରେ ବଲିଉଡ୍‌ର ତାରକା କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଆସିବେ। ସେହିଭଳି ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ସ୍ବୟଂ ପାଢ଼ୀ, ଦୀପ୍ତିରେଖା ପାଢ଼ୀ, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ହ୍ୟୁମାନ୍‌ ସାଗର, ପପୁ ବିଶ୍ବାଳ(ଭାଇରାଲ ନାରଦ)ଙ୍କୁ ଲୋକେ ଶୁଣିବାକୁ ପାଇବେ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଗ୍ରୁପ୍‌ ପକ୍ଷରୁ ଏହି କଳାକାରମାନେ ମେଳା ଦର୍ଶକଙ୍କ ମନୋରଞ୍ଜନ କରିବେ। ବଲିଉଡ୍‌ କଣ୍ଠଶିଳ୍ପୀ ଅଭିଜିତ୍‌ଙ୍କୁ ଶୁଣିବା ପାଇଁ ଲୋକଙ୍କ ଭିତରେ ଏବେଠୁ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

ଜମିବ ପାରମ୍ପରିକ ଲୋକନୃତ୍ୟ

୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ପ୍ରଥମରୁ ଓଡ଼ିଶାର ପାରମ୍ପରିକ ଲୋକକଳାକୁ ଗୁରୁତ୍ବ ଦେଇ ଆସିଛି। ତେଣୁ ଚଳିତ ବର୍ଷ ମଧ୍ୟ ଦର୍ଶକମାନେ ପାଲା, ଦାସକାଠିଆ, ଦୁଆରି ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଭଳି ପାରମ୍ପରିକ ଲୋକକଳାର ମଜା ନେବେ। ବାଲିଯାତ୍ରା ପଡ଼ିଆରେ ଦୁଇଟି ମଞ୍ଚ ପ୍ରସ୍ତୁତ ହୋଇଛି। ଗୋଟିଏ ମଞ୍ଚରେ ମେଲୋଡି କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଅନ୍ୟଟିରେ ଲୋକକଳା ପ୍ରଦର୍ଶନ କରାଯିବ। ମଞ୍ଚ ଦୁଇଟିକୁ ଯଥେଷ୍ଟ ବ୍ୟବଧାନରେ କରାଯାଇଥିବାରୁ ଲୋକଙ୍କୁ ଉପଭୋଗ କରିବାରେ ସମସ୍ୟା ହେବ ନାହିଁ।

୮ ଶହ ଦୋକାନ ମଧ୍ୟରେ ୧୨୦ ଫୁଡ୍‌ଷ୍ଟଲ୍‌

ଚଳିତ ବର୍ଷ ଏହି ମେଳାକୁ ଛୋଟ ବଡ଼ ହୋଇ ପ୍ରାୟ ୮ଶହ ଦୋକାନୀ ଆସୁଛନ୍ତି। ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକପତ୍ର, ଜୋତାଚପଲ, ବାସନକୁସନ ଆଦି ଦୋକାନ ପଡ଼ିବ। ତେବେ ଏମାନଙ୍କ ମଧ୍ୟରେ ରହିଛି ୧୨୦ଟି ଫୁଡ୍‌ଷ୍ଟଲ୍‌। ବାରିପଦା ମୁଢ଼ି ମାଂସରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚଟପଟି ଖାଦ୍ୟ ମିଳିବ। ଦହିବରା, ଠୁଙ୍କାପୁରି, ସିମ୍‌ଲା ଲଙ୍କା ଚପ୍‌ ସମେତ ସବୁପ୍ରକାର ଚାଇନିଜ୍ ଫାଷ୍ଟଫୁଡ୍‌ ପସରା ମେଲିବ। ସେହିଭଳି ପାହଳ ରସଗୋଲାରୁ ନିମାପଡ଼ା ଝିଲ୍ଲୀ, କେନ୍ଦ୍ରାପଡ଼ା ରସାବଳି ପର୍ଯ୍ୟନ୍ତ ମିଠା ବି ବିକ୍ରି ହେବ। ବଡ଼ କଥା ହେଉଛି, ଏହି ମେଳାରେ ପ୍ଲାଷ୍ଟିକ୍‌ ବର୍ଜନ ଉପରେ ଗୁରୁତ୍ବ ଦିଆଯାଇଛି। ସବୁ ଫୁଡ୍‌ଷ୍ଟଲ୍‌ ଶାଳପତ୍ର ବ୍ୟବହାର କରିବେ। ଏଥିପାଇଁ କେନ୍ଦୁଝରରୁ ଆବଶ୍ୟକ ପରିମାଣର ଶାଳପତ୍ର ଯୋଗାଣ ହେବାକୁ ବ୍ୟବସ୍ଥା ହୋଇଛି। ସେହିଭଳି ଖାଦ୍ୟର ମାନ ଓ ଗୁଣାବତ୍ତା ବଜାୟ ରଖିବା ପାଇଁ ସମସ୍ତ ବ୍ୟବସାୟୀମାନଙ୍କୁ କମିଟି ପକ୍ଷରୁ କଡ଼ା ତାଗିଦ୍‌ କରାଯାଇଛି।

ମୀନାବଜାରରେ ୬ ପ୍ରକାର ଦୋଳି

ଦର୍ଶକମାନେ ଏବର୍ଷ ଦୋଳି ଖେଳର ଭରପୂର ମଜା ନେବେ। ଏଥିପାଇଁ ଦୁଇଟି ସ୍ଥାନରେ ଦୋଳି ପଡ଼ିଛି। ଏଥିରେ ରାମଦୋଳି, ବ୍ରେକ୍‌ ଡ୍ୟାନ୍ସ, ଡ୍ରାଗନ୍‌ ଡ୍ୟାନ୍ସ, ଟୋରଟୋରା, ଭୂତ ବଙ୍ଗଳା ଆଦି ବଡ଼ ‌ଲୋକଙ୍କ ପାଇଁ ରହିଛି। ପିଲାଙ୍କ ପାଇଁ ମିକି ମାଉସ୍‌, ସ୍କର୍ପିଓ ଓ ମିନି ଟ୍ରେନ୍‌ର ବ୍ୟବସ୍ଥା ରହିଛି।

୪ ସ୍ଥାନରେ ପାର୍କିଂ

ଚଳିତ ବର୍ଷ ବାଲିଯାତ୍ରା କମିଟି ଓ କମିସନରେଟ୍‌ ପୁଲିସର ମିଳିତ ସହଯୋଗରେ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ହାଇଟେକ୍‌ ଛକରୁ ମଞ୍ଚେଶ୍ବର ରାସ୍ତାରେ ଆସୁଥିବା ଲୋକଙ୍କ ପାଇଁ ମଞ୍ଚେଶ୍ବର ଖେଳ ପଡ଼ିଆ ଓ ଏସ୍‌କେପ୍‌ ପାଖରେ ଦୁଇଟି ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିଭଳି ପଟିଆ ପାର୍ଶ୍ବରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଇଞ୍ଜଣା ପାଖରେ ଏକ ବଡ଼ ପାର୍କିଂ ବ୍ୟବସ୍ଥା ହୋଇଛି। ଏଥିସହ ଜରିପାଟଣା ଖେଳ ପଡ଼ିଆରେ ଭିଆଇପି ଏବଂ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ କରାଯାଇଛି। ଗଣ୍ଡରପୁର ପାର୍ଶ୍ବରୁ ଆସୁଥିବା ଲୋକମାନଙ୍କ ପାଇଁ ବରିମୁଣ୍ଡ ଖେଳ ପଡ଼ିଆରେ ମଧ୍ୟ ପାର୍କିଂ କରାଯାଇଛି। ଟ୍ରାଫିକ୍‌ ପରିଚାଳନା ପାଇଁ ଏସିପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ବରେ ତିନିଜଣ ବରିଷ୍ଠ ପୁଲିସ ଅଫିସର୍‌, ୨୫ଜଣ ଗୃହରକ୍ଷୀ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର