ଅବ୍ୟବସ୍ଥା ଘେରରେ ବରମୁଣ୍ଡା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର

ଅଭିଯୋଗ ପରେ ପରିଦର୍ଶନ କଲେ ମେୟର କହିଲେ ‘କାର୍ଯ୍ୟାନୁଷ୍ଠାନ ହେବ’

ଖଣ୍ଡଗିରି: ଅବ୍ୟବସ୍ଥା ଘେରରେ ରହିଛି ବରମୁଣ୍ଡା ୫୦ ନମ୍ବର ୱାର୍ଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର ନିର୍ଦ୍ଧାରିତ ସମୟରେ ଆସୁ ନାହାନ୍ତି। କର୍ମଚାରୀ ବି ସମୟରେ ଆସନ୍ତିନି। ଫଳରେ ପ୍ରତ୍ୟେକ ଦିନ ରୋଗୀ ହତାଶ ହୋଇ ଫେରୁଛନ୍ତି। ଏଭଳି ଅଭିଯୋଗ ଟ୍ବିଟରରେ ଆସିବା ପରେ ଆଜି ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଅଭିଯୋଗର ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଡାକ୍ତରଙ୍କ ରୋଗୀ ଦେଖିବା ସମୟ ସକାଳ ୮ଟା ରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ରହିଛି। ହେଲେ ଦିନ ୯ଟା ଯାଏ ଡାକ୍ତର ଆସୁନାହାନ୍ତି। ସନ୍ଧ୍ୟା ୬ଟା ଯାଏ ଆସୁନାହାନ୍ତି। ଯେବେ ଆସୁଛନ୍ତି ସେବେ ରାତି ୮ଟା ଯାଏ ରହୁନାହାନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖି ୫୦ ହଜାର ଲୋକ ନିର୍ଭର କରନ୍ତି। ଡାକ୍ତର ନ ଆସିବା ଫଳରେ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଉ ନଥିବା ଅଭିଯୋଗ କରିଛନ୍ତି। ୯ ମାସ ତଳେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହି ନୂତନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଟି ଲୋକାର୍ପିତ ହୋଇଥିଲା। ଏଥିରେ ପ୍ରତିଦିନ ପାଳି କରି ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଚର୍ମ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ପୋଷଣ ଡାକ୍ତର, ଫିଜିଓଥେରାପି ଡାକ୍ତର ଆସିବାକୁ ଯୋଜନା ସ୍ଥିର କରାଯାଇଛି। ଜଣେ ନର୍ସ, ଜଣେ ଲାବ ଆସିଷ୍ଟାଣ୍ଟ, ଜଣେ ଫାର୍ମାସିଷ୍ଟ, ଜଣେ ଝାଡ଼ୁଦାର ଓ ଜଣେ ସହଯୋଗୀ ନିୟୋଜିତ ହୋଇଥିଲେ। ହେଲେ କେହି ଠିକ୍ ସମୟରେ ଆସୁ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର