ନିର୍ମିତ ହେବ ବୌଦ୍ଧ ଐତିହ୍ୟର ପ୍ରାମାଣିକ ଚଳଚ୍ଚିତ୍ର

ଭୁବନେଶ୍ୱର : ବୌଦ୍ଧ ଐତିହ୍ୟକୁ ନେଇ ନିର୍ମିତ ହେବ ପ୍ରାମାଣିକ ଚଳଚ୍ଚିତ୍ର। ଭୁବନେଶ୍ୱର ଏବଂ ଆଖପାଖର ବଦ୍ଧ କୀର୍ତିରାଜି ଏହି ଚଳଚ୍ଚିତ୍ରରେ ସ୍ଥାନିତ କରାଯିବ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ରବୀନ୍ଦ୍ର କୁମାର ମିଶ୍ର ଏହାର ପ୍ରଯୋଜନା ଭାର ବହନ କରିବେ। ଏହି ଚଳଚ୍ଚିତ୍ରରେ ଗୌତମ ବୁଦ୍ଧଙ୍କ ସମ୍ପର୍କରେ ଲୁଚି ରହିଥିବା ବହୁ ଅକୁହା କଥା ସାମ୍ନାକୁ ଆସିବ। ନିର୍ମାଣ ପୂର୍ବରୁ ବୌଦ୍ଧ ଗବେଷକମାନଙ୍କ ସହଯୋଗ ଲୋଡ଼ା ଯାଇଥିବା ବଳେ ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଗବେଷକ ଡ.ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି ଯେ, ଭୁବନେଶ୍ୱର ଓ ନିକଟବର୍ତୀ ଅଞ୍ଚଳରେ ରହିଥିବା କୀର୍ତିରାଜି କ୍ରମଶଃ ନଷ୍ଟ ହେବାରେ ଲାଗିଛି। ଭୁବନେଶ୍ୱରକୁ ଘେରି ରହିଥିବା କେତେକ ପାହାଡ଼ରେ ବୌଦ୍ଧକୀର୍ତି ସବୁ ସଂରକ୍ଷିତ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏହି କୀର୍ତିରାଜି ସ୍ଥଳରେ ଜଗନ୍ନାଥ ଓ ଶିବ ମନ୍ଦିର ଗଢ଼ି ଉଠିଛି। ଏହାଦ୍ୱାରା ଭୁବନେଶ୍ୱରରେ ଥିବା ବୌଦ୍ଧ ଐତିହ୍ୟ କ୍ରମଶଃ ଛପି ଯାଉଛି। ତେଣୁ ଜନସାଧାରଣଙ୍କ ମଧ୍ୟରେ ବୌଦ୍ଧ କୀର୍ତିର ଐତିହ୍ୟକୁ ବ୍ୟାପକ କରିବା ଏବଂ ଭବିଷ୍ୟତ ପିଢ଼ିକୁ ବୌଦ୍ଧ ଐତିହ୍ୟ ବାବଦରେ ବାର୍ତା ଦେବା ପାଇଁ ଏହି ଚଳଚ୍ଚିତ୍ର ସହାୟକ ହେବ ବୋଲି ପ୍ରଯୋଜକ ଶ୍ରୀ ମିଶ୍ର କହିଛନ୍ତି। ଏହି ଚଳଚ୍ଚିତ୍ର ଜରିଆରେ ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ଅଞ୍ଚଳର ବୌଦ୍ଧ କୀର୍ତିକୁ ବି ସ୍ଥାନିତ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ମିଶ୍ର ପୂର୍ବରୁ ଶ୍ରୀଜୟଦେବଙ୍କୁ ନେଇ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ବୌଦ୍ଧ କୀର୍ତିରାଜିକୁ ନେଇ ତାଙ୍କର ବହୁମୂଲ୍ୟ ପ୍ରକଳ୍ପ ପାଇଁ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ଡ.ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର