ରଙ୍ଗେଇ ହେଲେ ରାଜଧାନୀବାସୀ

ଭୁବନେଶ୍ୱର: ‘ରଙ୍ଗ ରଙ୍ଗେଲି ହୋଲି… ଗୀତର ଧୁମ୍‌ ଜମିଥିଲା। ପାର୍କଠୁ ଫୁଟ୍‌ପାଥ୍‌ ପର୍ଯ୍ୟନ୍ତ ଲାଗିଥିଲା ରଙ୍ଗ ମଣିଷମାନଙ୍କର ଭିଡ଼। ସ୍ୱାଭାବିକ ଜୀବନରୁ କିଛି କ୍ଷଣ ବାହାରି ପିଲାଠୁ ବୃଦ୍ଧ ସଭିଏଁ ହଜିଥିଲେ ଆଉ ଭିଜିଥିଲେ ରଙ୍ଗ ଦୁନିଆରେ। ରାଜନେତାଙ୍କଠୁ ନେଇ ଓଲିଉଡ୍‌ ଷ୍ଟାର୍‌ଙ୍କ ପର୍ଯ୍ୟନ୍ତ ଫଗୁଣର ଫଗୁରେ ମଉଜ କରିଥିଲେ। ପିଲାଙ୍କ ପିଚିକାରିର ପାଣି ରଙ୍ଗ ହେଉ ଅବା ବଡ଼ଙ୍କ ଅବିରର ଶ୍ରଦ୍ଧାପୂର୍ଣ୍ଣ ଅବିର ବୋଳାରେ ବିତିଥିଲା ଦିନର ପ୍ରଥମ ପ୍ରହର। ଆହୁରି ଜମିଥିଲା ଦହି ହାଣ୍ଡି ଭଙ୍ଗାର ବିଶେଷ ଅବସର। ଛୁଟିବେଳରେ ସାଙ୍ଗମେଳରେ ପରସ୍ପରକୁ ଭେଟାଭେଟି ହେବା ବେଳକୁ ବଦଳିଯାଇଥିଲା ମୁହଁର ରଙ୍ଗ। ପରିବାରଠୁ ଆରମ୍ଭ କରି ସାଙ୍ଗମେଳରେ ବିତିଥିଲା ଦିନତମାମ। ସକାଳୁ ଆରମ୍ଭ ହୋଇଯାଇଥିଲା ରଙ୍ଗେଇ ହେବାର ବିଶେଷ ମୁହୂର୍ତ। କଲୋନିଠୁ ଆରମ୍ଭ କରି ସୋସାଇଟି ପର୍ଯ୍ୟନ୍ତ ସବୁଠି ହୋଇଥିଲା ସମ୍ମିଳିତ ଓ ବ୍ୟାପକ ଆୟୋଜନ। ଏକାଠି କଲୋନିବାସୀ ହୁଅନ୍ତୁ ଅବା ସୋସାଇଟିର ଲୋକେ ପରିବାର ଗହଣରେ ଏକାଠି ହୋଇ ପରସ୍ପର ମୁହଁରେ ରଙ୍ଗ ବୋଳିି ଅତି ଆପଣାର ମଣିଷଟିଏ ପରି କୋଳେଇ ନେଇଥିଲେ ପରସ୍ପରକୁ। ପୁଣି ପର୍ବରେ ରୋମାଞ୍ଚ ଭରିବାକୁ ସ୍ଥାନେସ୍ଥାନେ ଜମିଥିଲା ପଣା ଓ ଦହି ହାଣ୍ଡି ଭାଙ୍ଗିବାର ପରମ୍ପରା। ତାପମାତ୍ରା କମ୍‌ ନଥିଲା, କିନ୍ତୁ ଉତ୍ସବ ପାଳନରେ ମସଗୁଲ୍‌ ସହରବାସୀ ତାପମାତ୍ରାକୁ ବି ହଜମ କରିନେଇଥିଲେ। ଘରୁ ଆରମ୍ଭ କରି କ୍ଲବ୍‌ ଓ ସୋସାଇଟିମାନଙ୍କରେ ପଣା ଖୁବ୍‌ ଜମିଥିଲା। ଖାଲି ସେତିକି ନୁହେଁ ଉଚ୍ଚରେ ଟଙ୍ଗା ଯାଇଥିବା ଦହି ହାଣ୍ଡି ଭଙ୍ଗାକୁ ନେଇ ହୋଇଥିଲା ଗୋଷ୍ଠିଗତ ପ୍ରତିଯୋଗିତା। ବଡ଼ ଛୋଟର ବାଛ ବିଚାର ନଥିଲା କି ଜାତି, ଧର୍ମର ଭେଦଭାବ ନଥିଲା ଯିଏ ଯାହାକୁ ପାରୁଥିଲା ତା’କୁ ରଙ୍ଗ ମାଖିବାକୁ ଭୁଲୁ ନଥିଲା। ପୁଣି ସାରା ଦେହର ରଙ୍ଗକୁ ଛଡ଼ାଇବା ପାଇଁ ପୋଖରୀ ଓ ନଈ କୂଳରେ ଭିଡ଼ ଜମିଥିଲା। ଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ମେଳାମେଳା ହୋଇ ଧାଉଁଥିଲେ ନଈ ଓ ପୋଖରୀ ଘାଟକୁ। ଦିନସାରା ଛୋଟମୋଟ ଦୁର୍ଘଟଣାକୁ ଛାଡ଼ିଦେଲେ ଭଲରେ କଟିଥିଲା ରଙ୍ଗର ଏହି ଗଣପର୍ବ। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ କିଛି ବିଦେଶୀ ପର୍ଯ୍ୟଟକ ରଙ୍ଗର ଏହି ପର୍ବରେ ସାମିଲ୍‌ ହୋଇଥିବା ବେଳେ ବିଭିନ୍ନ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ମଧ୍ୟ ବହୁ ସ୍ୱେଚ୍ଛାସେବୀ ହୋଲି ପର୍ବ ପାଳନ କରିଥିଲେ।

ଦହିହାଣ୍ଡି ଭଙ୍ଗା

ଶ୍ରୀକୃଷ୍ଣ କ୍ଲବ୍‌ ପରିସରରେ ହୋଲି ସାଙ୍ଗକୁ ଦହି ହାଣ୍ଡି ଭାଙ୍ଗିବା ପରମ୍ପରା ଦେଖିବାକୁ ମିଳିଥିଲା। ବିଶେଷକରି ନୟାପଲ୍ଲୀ ବେହେରା ସାହିରେ ଗୋପାଳମାନେ ବସବାସ କରୁଥିବାରୁ ସେଠାରେ ଏହି ପରମ୍ପରା ଖୁବ୍‌ ଜମିଥିଲା। ବହୁ ସଂଖ୍ୟାରେ ଗୋପାଳ ଭାଇ ଭଉଣୀମାନେ ଉପସ୍ଥିତ ରହି ଏହି ପରମ୍ପରାର ମଜା ଉଠାଇଥିଲେ। ସ୍ଥାନୀୟ କର୍ପୋରେଟର୍‌ ତଥା କ୍ଲବ୍‌ର ସମ୍ପାଦକ ନବକିଶୋର ବେହେରାଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

ମିସନ୍‌ ଆଶ୍ରାରେ ହୋଲି

ଖଣ୍ଡଗିରି: ଯାଁଳା ଗୌଡ଼କାଶୀପୁର ସ୍ଥିତ ମିସନ୍‌ ଆଶ୍ରା। ଅନ୍ତେବାସୀମାନେ ସମସ୍ତେ ଥିଲେ ମାନସିକ ବିକାରଗ୍ରସ୍ତ ମହିଳା। ଏକପ୍ରକାର ଭିନ୍ନ ଦୁନିଅାଁର ମଣିଷ। ମାତ୍ର ବିଭିନ୍ନ ରଙ୍ଗର ଅବିର ସେମାନଙ୍କ ମନରେ ଆଣି ଦେଇଥିଲା ଅଫୁରନ୍ତ ଆନନ୍ଦ। ହୋଲି ପର୍ବ କ’ଣ ବୋଲି ବୁଝୁ ନଥିଲେ ବି ପରସ୍ପରକୁ ରଙ୍ଗ ବୋଳାବୋଳି ଖେଳରୁ ସେମାନେ ବେଶ୍‌ ମଜା ଉଠାଉଥିଲେ। ବେଶ୍‌ ଖୁସି ହୋଇ ଯାଉଥିଲେ। ଅନ୍ୟ ଦିନ ଭଳି କେହି କାହା ସହିତ କଳି କରୁ ନଥିଲେ। ଦୁଃଖସୁଖର ଫରକ୍‌ ବୁଝୁ ନଥିବା ଏହି ମହିଳାମାନଙ୍କ ମୁହଁରେ ନଥିଲା ଲେଶ୍‌ ମାତ୍ର ଦୁଃଖର ଚିହ୍ନ। ଯିଏ ସବୁ ଦିନ ଗୁମ୍‌ସୁମ୍‌ ରହୁଥିଲା, ସେ ବି ରଙ୍ଗ ଖେଳରେ ମାତି ଯାଇଥିଲା। ହୋଲି ଅବସରରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଚିକିତ୍ସା ଓ ଥଇଥାନ କେନ୍ଦ୍ର ମିସନ୍‌ ଆଶ୍ରାରେ ଏମିତି ଆନନ୍ଦମୟ ପରିବେଶ ଥିଲା। ଏଠାରେ ନଥାଏ ଭାଷା, ଜାତି, ଧର୍ମ ଓ ବର୍ଣର ବୈଷମ୍ୟ। ରାସ୍ତାକଡ଼ର ଏହି ଅଲୋଡ଼ା ମହିଳାମାନଙ୍କ ପାଇଁ ମିସନ୍‌ ଆଶ୍ରା ହେଉଛି ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜା। ତେଣୁ ଏଠାରେ ପ୍ରାୟ ସମସ୍ତ ଧର୍ମର ପର୍ବ ପାଳନ କରାଯାଏ। ମାତ୍ର ରଜ, ଦୀପାବଳି ଓ ହୋଲି ପାଳନର କଥା ଟିକିଏ ନିଆରା। ରଜରେ ଦୋଳି ଖେଳିବା, ଦୀପାବଳିରେ ବାଣ ଫୁଟାଇବା ଓ ହୋଲିରେ ରଙ୍ଗ ଖେଳିବା ଭଳି ବ୍ୟବସ୍ଥା ଥିବାରୁ ଅନ୍ତେବାସୀମାନେ ଏଥିରୁ ବେଶ୍‌ ଖୁସି ପାଆନ୍ତି। ଚଳିତ ବର୍ଷ ମିସନ୍‌ ଆଶ୍ରା ପକ୍ଷରୁ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଚୁର ଅବିର ଅଣାଯାଇଥିଲା। ପ୍ରାୟ ସମସ୍ତଙ୍କ ପାଇଁ ନୂଆ ଧଳା ପୋଷାକ କରାଯାଇଥିଲା। ରଙ୍ଗ ଖେଳ ସହ ମ୍ୟୁଜି୍‌କ ବ୍ୟବସ୍ଥା କରାଯାଇଥିଲା। କିଛି ସୁସ୍ଥ ଅନ୍ତେବାସୀ ବି ଗ୍ରୁପ୍‌ରେ ନାଚିଥିଲେ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମିସନ୍‌ ଆଶ୍ରାର ପରିଚାରିକାମାନେ ବି ସେମାନଙ୍କ ସହ ନାଚିଥିଲେ। ପିପୁଲ୍‌ସ ଫୋରମ୍‌ର ଅଧ୍ୟକ୍ଷ ଗୋବିନ୍ଦ ପଟ୍ଟନାୟକ, ଏସ୍‌ସିବିର ପୂର୍ବତନ ମାନସିକ ରୋଗ ବିଭାଗ ମୁଖ୍ୟ ନୀଳମାଧବ ରଥ ଓ ଅନ୍ୟ କର୍ମକର୍ତ୍ତମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ହୋଲି ଉତ୍ସବ ପାଳିତ

ଚନ୍ଦ୍ରଶେଖରପୁର: କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଚଳିତ ବର୍ଷ ପ୍ରଥମକରି ହୋଲି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭ୍ୟମାନେ ଚନ୍ଦ୍ରଶେଖରପୁର ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ସହ ହୋଲି ଉତ୍ସବ ପାଳନ କରିବାସହ କିଛି ଆଦିବାସୀ ବସ୍ତିରେ ପିଲାଙ୍କୁ ପାଠ୍ୟ ଉପକରଣ ବାଣ୍ଟିଥିଲେ। ଏହି ଅଞ୍ଚଳରେ ଅନୁଷ୍ଠିତ କିଛି ଦୋଳ ମେଳଣ ପଡ଼ିଆରେ ଲୋକଙ୍କ ସହ ମିଶି ଭାଇଚାର ଏକତା ବାର୍ତା ପ୍ରଚାର କରିଥିଲେ। ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ଉପସ୍ଥିତ ରହି ହୋଲି ପାଳନ କରିଥିଲେ।

ପୂର୍ଣ୍ଣିମାରେ ହରିନାମ କମ୍ପିଲା
ପୁରୁଣା ଭୁବନେଶ୍ୱର,: ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଗୋସାଗରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ହରିନାମ ସଂକୀର୍ତ୍ତନ କରାଯାଇଛି। ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସେହିପରି ଶିଶୁପାଳଗଡ଼ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଅବିର ଲାଗି କରାଇ ଶୁଭ ମନାସିଥିଲେ।

ପ୍ରତିଭା ଆଶ୍ରମରେ ହୋଲି ପାଳିଲା ‘ଚିନ୍ମୟ ପ୍ରତିଷ୍ଠାନ’
ଭୁବନେଶ୍ୱର: ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆନନ୍ଦ ଓ ଉଲ୍ଲାସରେ ହୋଲି ପର୍ବକୁ ସମଗ୍ର ଭାରତରେ ପାଳନ କରାଯାଇଛି। ଏମିତି ଏକ ଛୋଟ ପ୍ରୟାସ ନେଇ କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ‘ଚିନ୍ମୟ ପ୍ରତିଷ୍ଠାନ’ ସଦସ୍ୟମାନେ ଆଗେଇ ଆସିଥିଲେ। ଏହି ପ୍ରୟାସରେ ଡୁମୁଡ଼ୁମାର ‘ପ୍ରତିଭା ଆଶ୍ରମ’ରେ ପ୍ରତିଷ୍ଠାତା ମହମ୍ମଦ ଜାହିର୍‌ ଏବଂ ଅଧ୍ୟକ୍ଷା ସରିତା କୁମାରୀ ନାୟକଙ୍କ ଉପସ୍ଥିତିରେ ହୋଲି ପାଳନ କରାଯାଇଥିଲା। ଚିନ୍ମୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଜିତ୍‌ କୁମାର ସାହୁ, ଗଣମାଧ୍ୟମ ସଂଯୋଜକ ଦିବ୍ୟଜ୍ୟୋତ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏବଂ ଶେଷରେ ସାଧାରଣ ସଂପାଦକ ଲକ୍ଷ୍ମୀ ଅସଓ୍ଵାଲ ପ୍ରତିଷ୍ଠାନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର