ହୋଲି ଅଘଟଣ: କ୍ୟାପିଟାଲ ହସ୍ପିଟାଲରେ ମାତାଲ ଦୁର୍ଘଟଣାଗ୍ରସ୍ତଙ୍କ ଭିଡ଼

ଭୁବନେଶ୍ୱର: ହୋଲିରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ହୋଇଥିବା ଅଘଟଣରେ କ୍ୟାପିଟାଲ ହସ୍ପିଟାଲ ଭରି ଯାଇଥିଲା। ବିଶେଷକରି ନିଶାସକ୍ତ ହୋଇ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣାଜନିତ ବ୍ୟକ୍ତି ଅଧିକ ସଂଖ୍ୟାରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅନେକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଛି। ଦିନ ୧୨ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଲି ଅଘଟଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଉଥିବା ସୂଚନା ମିଳିଛି। ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହୋଲି ଖେଳରେ ଦୁର୍ଘଟଣାର ଶିକାର ହୋଇଥିବା ଅଧିକ ସଂଖ୍ୟକ ଆହତ ହସ୍ପିଟାଲ ଆସିଥିଲେ। କାହାର ମୁଣ୍ଡ ଫାଟି ଯାଇଥିଲା ତ ଆଉ କାହାର ଆଖି ପତା। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆଯାଇଥିଲା। ଅପରପକ୍ଷରେ ଗୁରୁତର ଅବସ୍ଥାରେ ଆସିଥିବା ଅନେକ ବ୍ୟକ୍ତିଙ୍କୁ ଏସ୍‌ସିବି ମେଡିକାଲ କଲେଜ୍‌କୁ ରେଫର କରି ଦିଆଯାଇଥିଲା। ଅପରାହ୍‌ଣ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସ୍ଥାନରେ ମାତାଲ ବ୍ୟକ୍ତି ହସ୍ପିଟାଲ ପହଞ୍ଚିଥିବା ବେଳେ ସଂଧ୍ୟା ପରେ ଆଖପାଖ ଜିଲ୍ଲାରୁ ରେଫର ହୋଇଥିବା ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଆକ୍ରମଣରେ ୩ ଗୁରୁତର
ବାରଙ୍ଗ: ସ୍ଥାନୀୟ ବଙ୍ଗାଳୀ ସାହିରେ ଗାଧୋଇ ସାରି ଫେରୁଥିବା ବେଳେ ସଞ୍ଜୟ ଦାସ(୩୩)ଙ୍କୁୁ ତାଙ୍କ ସାହିର ୪ ଜଣ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦ ବୋତଲରେ ଆକ୍ରମଣ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବିଜୁ ଗୋଲଦାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ତିନି ଜଣ ଫେରାର ଅଛନ୍ତି। ସେହିଭଳି ପୂର୍ବ ଜମିବିବାଦକୁ କେନ୍ଦ୍ରକରି ବେଲଗଛିଆ ଗ୍ରାମର ବାବାଜୀ ଜେନାଙ୍କୁ ଆକ୍ରମଣ ହୋଇଥିଲା। ଏ ନେଇ ପୁଲିସ ସେହି ଗ୍ରାମର ଲକ୍ଷ୍ମୀଧର ସାହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଏକ ଘଟଣାରେ ପୁତୁରା ନିଜ ଦାଦାର ମୁଣ୍ଡକୁ ପଥରରେ ଛେଚି ଦେଇଛି। ପୁଲିସ ଏହି ଘଟଣାରେ ପୁତୁରା ମନୋଜ ଦୁବେ(୨୪)କୁ ଗିରଫ କରି କୋର୍ଟ ଚାଲାଣ କରାଛି।

୧୦ରୁ ଊର୍ଧ୍ୱ ଆହତ

ଭୁବନେଶ୍ୱର: ହୋଲିକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବା ସତ୍ତ୍ୱେ କେତେକ ସ୍ଥାନରେ ହିଂସା ଦେଖା ଦେଇଥିିଲା। କେଉଁଠି ରଙ୍ଗ ଲଗାଇବାକୁ ନେଇ କେନ୍ଦ୍ର କରି ତ ପୁଣି କେଉଁଠି ଲୁଟ୍‌ପାଟ୍‌ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଛି। ସହିଦନଗର, ଖାରବେଳନଗର, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, କ୍ୟାପିଟାଲ, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରେ ଏଭଳି କେତୋଟି ଛୋଟ ବଡ଼ ଘଟଣା ସମ୍ମୁଖକୁ ଆସିଛି। ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୦ଟା ସମୟରେ ରଙ୍ଗ ଲଗାଇବାକୁ ନେଇ ସହିଦନଗର ୟୁନିଟ୍‌-୯ ଅଞ୍ଚଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ନିଶାସକ୍ତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର କେତେକ ଯୁବକ ଅନ୍ୟ ଏକ ଗୋଷ୍ଠୀର ଯୁବକମାନଙ୍କୁ ରଙ୍ଗ ଲଗାଇବା ପାଇଁ ଯାଇଥିଲେ। ତେବେ ଅନ୍ୟ ଗେଷ୍ଠୀର ଯୁବକମାନେ ରଙ୍ଗ ଲଗାଇବା ପାଇଁ ବିରୋଧ କରିଥିଲେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ଯୁବକମାନେ ରଙ୍ଗ ଲଗାଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏମିତିକି ବହ୍ଲା, ରଡ୍‌ ଧରି ଉଭୟ ଗୋଷ୍ଠୀ ମାର୍‌ପିଟ୍‌ ହୋଇଥିଲେ। ଯୁବକମାନଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସହିଦନଗର ଥାନା ପୁଲିସକୁ ଫୋନକରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ କେତେକ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିବା ପରେ ପରିସ୍ଥିତି ନୟନ୍ତ୍ରିତ ହୋଇଥିଲା। ସେହିପରି କଟକ ରୋଡ୍‌, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ ନଗର, ସାଲିଆସାହି, ବେହେରା ସାହି, ଖାରବେଳନଗର, ଅଶୋକନଗର ଆଦି ଅଞ୍ଚଳରେ ରଙ୍ଗ ଲଗାଇବାକୁ ନେଇ ଛୋଟ ବଡ଼ ଉତ୍ତେଜନା ଦେଖାଦେଇଥିଲା।

ଏହାଛଡ଼ା ରଙ୍ଗଖେଳର ଫାଇଦା ନେଇ କେତେକ ସ୍ଥାନରେ ଲୁଟେରାମାନେ ଲୁଟ୍‌ପାଟ କରିଥିଲେ। ହୋଲି ଥିବାରୁ ସମସ୍ତେ ରଙ୍ଗ ବେରଙ୍ଗ ହୋଇ ବୁଲୁଥିଲେ। କାହାରିକୁ ଚିହ୍ନିବା ସହଜ ହୋଇ ନଥିଲା। ଲୁଟେରାମାନେ ଏହାର ସୁଯୋଗନେଇ ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ କରି ସହଜରେ ଖସିଯାଇଥିଲେ। ଏମିତିକି ଜଣେ ଅଟୋ ଚାଳକ ମଧ୍ୟ ରେଳଷ୍ଟେସନ୍‌ରୁ ଆଣିଥିବା ଯାତ୍ରୀଙ୍କଠାରୁ ଲୁଟ୍‌ କରିବାକୁ ପଛାଇ ନଥିଲେ। ଯାତ୍ରୀ ଜଣଙ୍କୁ ନିଶା ଦେଇ ତାଙ୍କ ସୁନାହାର, ଟଙ୍କା ଓ ବ୍ୟାଗ ଲୁଟି ନେଇଥିଲେ। ଏହାପର ତାଙ୍କୁ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ରୋଡ୍‌ରେ ଫୋପାଡ଼ି ଚାଲିଯାଇଥିଲେ। ଏଭଳି ଲୁଟ୍‌ପାଟି ଓ ହିଂସାକୁ ନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ କରାଯାଇଛି।

ହୋଲିଖେଳକୁ କେନ୍ଦ୍ରକରି ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବାଲିପାଟଣା: ହୋଲି ଖେଳକୁ କେନ୍ଦ୍ରକରି ବାଲିପାଟଣା ଥାନା ଅନ୍ତର୍ଗତ ଦେଉଳିଧରପୁର ପଞ୍ଚାୟତ ଭେଙ୍କଟରାୟ ପୁର ଗ୍ରାମରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ପ୍ରାଣାନ୍ତକ ଆକ୍ରମଣରେ ଭେଙ୍କଟରାପୁର ବେହେରା ସାହିର ବଗୁଲା ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହୋଲିଖେଳକୁ କେନ୍ଦ୍ରକରି ଖୁଣ୍ଟିଆ ସାହି ଓ ବେହେରା ସାହି କିଛି ଲୋକଙ୍କ ମଧ୍ୟରେ ପ୍ରଥମେ କମେଣ୍ଟ ମରାମରି ହୋଇଥିଲା। କମେଣ୍ଟରୁ ଯୁକ୍ତିତର୍କ,ବଚସା ଓ ପରେ ତାହା ଉଗ୍ରରୂପ ନେଇ ଗଣ୍ଡୋଗୋଳରେ ପରିଣତ ହୋଇଯାଇଥିଲା। ବେହେରାସାହିର ଯୁବକଙ୍କୁ ବିପକ୍ଷ ଗୋଷ୍ଠୀର ୮ ରୁ ୧୦ଜଣ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରାଣାନ୍ତକ ଆକ୍ରମଣରେ ବେହେରା ସାହିର ବଗୁଲା ବେହେରା ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର