ପଥର ହୋଇ ଯାଉଛି ପଥରଶିଳ୍ପୀଙ୍କ ଭାଗ୍ୟ: କଡ଼ା ନିୟମ ପାଇଁ ସ୍ଥାନୀୟ ପଥର ମିଳୁନି

ପୁରୁଣା ଭୁବନେଶ୍ବର: ନିର୍ଜୀବ ପଥର ଜୀବନ୍ତ ହୁଏ ସେମାନଙ୍କ କାଉଁରି ସ୍ପର୍ଶରେ। କେବଳ ପଶୁପକ୍ଷୀ, ଫୁଲଫଳ, ନାରୀପୁରୁଷଙ୍କ ମୂର୍ତି ନୁହେଁ, ତାଙ୍କ ନିହଣ ମୁଗୁର ଛୁଆଁରେ ପଥର ଭିତରୁ ଉକୁଟି ଉଠେ ଦେବତାମାନଙ୍କର ରୂପ- ଯେଉଁମାନେ ପୂଜା ପାଆନ୍ତି ମଠ ଓ ମନ୍ଦିରରେ। ବିଶ୍ବସ୍ତରରେ ଏ ଓଡ଼ିଆ ପ୍ରସ୍ତର ଶିଳ୍ପୀମାନଙ୍କର ପ୍ରସିଦ୍ଧି ଶହ ଶହ ବର୍ଷ ତଳୁ ରହି ଆସିଛି। ହେଲେ ନିଜେ ପଥର ହୋଇ ପଥରକୁ ଜୀବନ୍ୟାସ ଦେଉଥିବା ଏହି ଶିଳ୍ପୀମାନଙ୍କର ଭାଗ୍ୟ ଓ ଭବିଷ୍ୟତ ଚାପି ହୋଇଯାଇଛି ପଥର ତଳେ। ପଥର ମିଳୁନଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ଏହି କାରଣରୁ ବିଗତ ଦୁଇ ତିନିବର୍ଷ ଭିତରେ ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ୧୫୦୦ରୁ ଊର୍ଦ୍ଧ୍ବ ପ୍ରସ୍ତରକଳାର ପାରଂପରିକ ଶିଳ୍ପୀ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି।
ପୂର୍ବରୁ ନରଣଗଡ଼ ପାହାଡ଼ରୁ ଏହି ଅଞ୍ଚଳର ଶିଳ୍ପୀମାନେ ନିଃଶୁଳ୍କ ପଥର ସଂଗ୍ରହ କରୁଥିଲେ। ମୂର୍ତ୍ତି ବିକ୍ରିରୁ ଭଲ ଦି’ପଇସା ରୋଜଗାର ବି ହେଉଥିଲା। ତେବେ ସରକାର ନରଣଗଡ଼ ପାହାଡ଼କୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ହାତରେ ଟେକିଦେବା ପରେ ମନପସନ୍ଦର ପଥର ମିଳୁନାହିଁ। ଯେଉଁ ପାହାଡ଼ର ପଥରକୁ ନେଇ ସେମାନେ ପୁରୁଷ ପୁରୁଷ ଧରି ମୂର୍ତ୍ତି ନିର୍ମାଣ କରୁଥିଲେ, ସେହି ପାହାଡ଼କୁ ଯିବାବାଟ ପୂରା ବନ୍ଦ ହୋଇଯାଇଛି। ଫଳରେ ନିତି କଞ୍ଚାମାଲ ପାଇଁ ସଂଘର୍ଷ କରୁଛନ୍ତି ଶିଳ୍ପୀମାନେ। ଏଥିରେ ଥକିଯାଇ ବହୁ ଶିଳ୍ପୀ ଅନ୍ୟ ରାଜ୍ୟକୁ ପଳାଉଛନ୍ତି। ସେମାନଙ୍କ ଭିତରୁ ଅଧିକାଂଶ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ହାଇଦ୍ରାବାଦ, ଏପରିକି ନେପାଳରେ ରହି ପଥର ମୂର୍ତି ଓ ମନ୍ଦିର ନିର୍ମାଣ କରୁଛନ୍ତି।

ଆମ ରାଜ୍ୟରେ ପଥର ବାବଦରେ କଡ଼ା ନିୟମ ରହିଥିବା ବେଳେ ଭଲ ପଥର ମଧ୍ୟ ବିଶେଷ ମାତ୍ରାରେ ଆଉ ମିଳୁନି। ଯାହା ଫଳରେ ରାଜ୍ୟ ବାହାରୁ ପଥର ମଗାଇ ମୂର୍ତି ଗଢିବାକୁ ପଡୁଛି ବୋଲି ରାଷ୍ଟ୍ରପତିପ୍ରାପ୍ତ ପଥର ଶିଲ୍ପୀ ସୁଶିଲ ମହାରଣା କହନ୍ତି। ତାଙ୍କ କହିବା ଅନୁଯାୟୀ, ମୂର୍ତି ଗଢ଼ିବାଲାଭି ରାଜ୍ୟ ବାହାରୁ ଅଧିକ ମୂଲ୍ୟରେ ପଥର ଆଣିବାକୁ ପଡୁଥିବାରୁ ଶିଳ୍ପୀମାନେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଭଲରେ ଦୁଇ ପଇସା ଲାଭକରିବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି। ଓଏମ୍‌ସି କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଶେଷରେ ପୁଣି ପ୍ରଦ୍ୟୁଷଣ ବୋର୍ଡର ଅନୁମତି ଆଣିବାକୁ ପଡୁଛି। ସେଥିରେ ବି ବିଭିନ୍ନ ସ୍ତରରେ ଅସଂଖ୍ୟ ଥର ହାତଯୋଡ଼ିବାକୁ ପଡୁଛି। ତେଣୁ ଅଧିକ ଖର୍ଚ୍ଚ ହେଲେ ବି ରାଜ୍ୟ ବାହାରୁ ପଥର ଆଣି କାମ କରିବାକୁ ଶିଳ୍ପୀମାନେ ‌ଶ୍ରେୟସ୍କର ମଣୁଛନ୍ତି।

କେନ୍ଦୁଝର ଜିଲ୍ଲାର ଜୋଡ଼ା, ବଲବିଲ୍‌; ମୟୁରଭଞ୍ଜର ଉଦଳା, କପ୍ତିପଦା, ଖିଚିଂ ଓ କେନ୍ଦୁମୁଣ୍ଡି ସମେତ ନରଣଗଡ଼ ପାହାଡ଼, ଲଲିତଗିରି, ଶୁକୁଆପଡ଼ା ଆଦି ଅଞ୍ଚଳରେ ଭଲ ପଥର ମିଳେ। ଏହି ଅଞ୍ଚଳର ବାସିନ୍ଦା ତଥା ପୁରୁଣା ଭୁବନେଶ୍ବର ଆଖପାଖର ବହୁ ପରିବାର ଏହି ଶିଳ୍ପକାମ କରି ଘର ଚଳାନ୍ତି। କୌଣସି କାମରୁ ଅର୍ଡର୍‌ ପାଇଲେ ଭୋର୍‌ ନହେବାଆଗରୁ ହିଁ ପରିବାରର ଛୋଟରୁ ବଡ ସମସ୍ତେ ଲାଗିପଡ଼ନ୍ତି ମୂର୍ତି ଗଢ଼ିବାରେ। ଗୋଟିଏ ପଥର ମୂର୍ତିକୁ ରୂପ ଦେବାକୁ ୪ରୁ ୫ ଜଣ କାରିଗର ଦରକାର ହୁଅନ୍ତି। ସେମାନେ ବିଭିନ୍ନ ସ୍ତରରେ କାମ କରନ୍ତି। ୩ଫୁଟ୍‌ର ମୂର୍ତି ଗଢ଼ିବାଲାଗି ସେମାନଙ୍କୁ ପ୍ରାୟ ୭ଦିନ ସମୟ ଲାଗିଯାଏ। ସ୍ଥାନୀୟ ଯୁବ ଶିଳ୍ପୀମାନେ କହନ୍ତି, ରବି ଟକିଜ୍‌ ଛକରୁ ପିପିଲି ପର୍ଯ୍ୟନ୍ତ ରାସ୍ତାକଡ଼ରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ପଥରଶିଳ୍ପୀଙ୍କର ବିକ୍ରୟକେନ୍ଦ୍ର ଓ କାରଖାନା ରହିଛି। ସୁଯୋଗ ଦିଆଗଲେ ଆହୁରି ଅନେକ ଶିଳ୍ପୀ ମଧ୍ୟ ସେଠାରେ ନିଜ କଳା ପ୍ରଦର୍ଶନ କରିବାକୁ ଆଗଭର ହେବେ। ତେଣୁ ସରକାରଙ୍କ ତରଫରୁ ସେହି ଜାତୀୟ ରାଜପଥ ପାର୍ଶ୍ବରେ ସ୍ବତନ୍ତ୍ର ତୋରଣ ନିର୍ମାଣ ଅଧିକ ପ୍ରଚାର କରାଗଲେ, ଏପରିକି କୌଣସି ସ୍ବତନ୍ତ୍ର ବଜାର ସ୍ଥାପନ କରାଗଲେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଜାଣି ପାରନ୍ତେ। ଶିଳ୍ପୀଗ୍ରାମ ଶୈଳୀରେ ତାହା ଏକ ପର୍ଯ୍ୟଟନସ୍ଥଳୀ ରୂପେ ମଧ୍ୟ ଗ୍ରହଣୀୟ ହୁଅନ୍ତା। ଶିଳ୍ପୀଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ପ୍ରସ୍ତାବ ଦେଇ କହନ୍ତି, ଓଡ଼ିଶାରେ ବିଶ୍ବସ୍ତରର କୌଣସି ଏକ ନୂଆ ମନ୍ଦିର କିମ୍ବା ଐତିହ୍ୟକୁ ନେଇ ପଥରଶିଳ୍ପରେ କିଛି ବଡ଼ କଳାପ୍ରକଳ୍ପ କରାଗଲେ କରାଗଲେ ସ୍ଥାନୀୟ ଶିଳ୍ପୀମାନେ ଉପକୃତ ହେବାସହିତ ରାଜ୍ୟ ସରକାରଙ୍କର ମଧ୍ୟ ସୁନାମ ହୁଅନ୍ତା।

ସମ୍ବନ୍ଧିତ ଖବର