ଜନାଦେଶ ୨୦୨୪: ନୋଟାକୁ ୫ ହଜାର

ଭୁବନେଶ୍ବର: ଏଥର ନିର୍ବାଚନରେ ସବୁ ଆକଳନ ଓଲଟପାଲଟ ହୋଇଯାଇଛି। କେଉଁଠି ବିଧାୟକ ଅପ୍ରତ୍ୟାଶିତ ଭାବରେ ବିଜୟ ଲାଭ କରିଥିବା ବେଳେ କେଉଁଠି ବିଧାୟକ ହାରିଯିବା ପରେ ଫଳାଫଳକୁ ବିଶ୍ବାସ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ୫ଟି ବିଧାନସଭାମଣ୍ଡଳୀ ମଧ୍ୟ, ଏକାମ୍ର, ଉତ୍ତର, ଜଟଣୀ ଓ ଜୟଦେବରେ ‘ନୋଟା’ କିନ୍ତୁ ତା’ର ସ୍ଥିତି ବଜାୟ ରଖିଛି। ୨୦୧୯ ନିର୍ବାଚନରେ ୫୪୬୬ ଭୋଟ୍‌ ନୋଟାକୁ ଯାଇଥିବା ବେଳେ ଏଥର ୫୨୪୭ ଜଣ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ନୋଟାରେ ଭୋଟ୍‌ ଦେଇଛନ୍ତି। ୨୦୧୯ ତୁଳନାରେ ଏଥର ନୋଟାକୁ ୨୧୯ ଖଣ୍ଡ ଭୋଟ୍‌ କମ୍‌ ଯାଇଛି। ଗୋଟିଏ ପଟେ ମତଦାନ ହାର ବଢ଼ିଥିବା ବେଳେ ନୋଟାରେ ଭୋଟ୍‌ କମିଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୭ଲକ୍ଷ ୩୯ହଜାର ୪୩୫ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିଥିଲେ। ଏହି ମତଦାନକୁ ହିସାବକୁ ନେଲେ ନୋଟା ଏହାର ୦.୭ ପ୍ରତିଶତ। ଯଦିଓ ନୋଟାର ଏହି ପରିମାଣ କୌଣସି ନିର୍ଣ୍ଣାୟକ ଭୂମିକା ନିଭାଇ ପାରୁନାହିଁ, ତଥାପି କୌଣସି ପ୍ରାର୍ଥୀଙ୍କୁ ୦.୭ ପ୍ରତିଶତ ଭୋଟର ଗ୍ରହଣ କରିପାରି ନାହାନ୍ତି, ଗଣତନ୍ତ୍ରରେ ଇଏ ଖରାପ କଥା।

ଗତଥର ଉତ୍ତର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୪୬୭ ଖଣ୍ଡ ଭୋଟ୍‌ ନୋଟାକୁ ଯାଇଥିଲା। ତେବେ ଏଥର ଏହି ସଂଖ୍ୟା ୮୬୮ରେ ସୀମିତ ରହିଛି। ଅର୍ଥାତ୍‌ ପ୍ରାୟ ୬ଶହ ଭୋଟ୍‌ କମିଛି। ସେହିଭଳି ଜଟଣୀରେ ୧୨୮୬ ଭୋଟ ନୋଟାକୁ ଯାଇଥିବା ବେଳେ ଏଥର ଏହା ୧୪୪୯ରେ ପହଞ୍ଚିଛି। ଅର୍ଥାତ୍‌ ୧୬୩ ଖଣ୍ଡ ଅଧିକ ଭୋଟ୍‌ ନୋଟାକୁ ଯାଇଛି। ଜୟଦେବରେ ମଧ୍ୟ ନୋଟା ଭୋଟ୍‌ ବଢ଼ିଛି। ୨୦୧୯ରେ ଏହି ସଂଖ୍ୟା ୯୬୪ ଥିବା ବେଳେ ଏଥର ୧୨୭୧ରେ ପହଞ୍ଚିଛି। ତେବେ ମଧ୍ୟ ଓ ଏକାମ୍ରରେ ଏହି ଭୋଟ୍‌ କମିଛି। ଏକାମ୍ରରେ ଗତ ନିର୍ବାଚନରେ ୧୦୦୯ ଓ ଏଥର ୯୭୭ ଏବଂ ମଧ୍ୟରେ ଗତ ଥର ୭୪୦ ଓ ଏଥର ୬୮୨କୁ କମି ଆସିଛି।

ସମ୍ବନ୍ଧିତ ଖବର