ରାଜନୀତିକୁ ଭଲ ବ୍ୟକ୍ତି ଆସନ୍ତୁ: କିରଣ ବେଦୀ

ଭୁବନେଶ୍ବର: ରାଜନୈତିକ ବ୍ୟବସ୍ଥା ମଧ୍ୟକୁ ଅଧିକରୁ ଅଧିକ ମହିଳା ଆସିବା ଆବଶ୍ୟକ। ଏହାଦ୍ୱାରା ସମାଜରେ ରାଜନୈତିକ ସନ୍ତୁଳନ ବୃଦ୍ଧି ପାଇବ। କିନ୍ତୁ ଜରୁରୀ ନୁହେଁ ଯେ, ସଂରକ୍ଷଣ ମିଳିଗଲେ ଭଲ ଲୋକ ରାଜନୀତିକୁ ଆସିବେ। ସେମାନେ ପୁରୁଷଙ୍କଠାରୁ ଭଲ ହେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଜରୁରୀ ହେଉଛି ରାଜନୈତିକ ବ୍ୟବସ୍ଥା ଭିତରକୁ ଭଲ ଭାବମୂର୍ତ୍ତି ଥିବା‌ ବ୍ୟକ୍ତିଙ୍କ ପ୍ରବେଶ। ଏଭଳି ଲୋକ ଆସିବା ଆବଶ୍ୟକ ଯେଉଁମାନେ ଭଲ ହୋଇଥିବା ଦରକାର। ମହିଳା ହୁଅନ୍ତୁ କି ପୁରୁଷ ରାଜନୀତିକୁ ଭଲ ବ୍ୟକ୍ତି ଆସନ୍ତୁ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବରକାଗଜ ‘ସକାଳ’ର ମିଳିତ ପ୍ରୟାସରେ ଆୟୋଜିତ ‘ଦୁହିତା’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀରୁ ଭର୍ଚୁଆଲ୍‌ ଭାବେ ଯୋଗଦେଇ ପୁଡୁଚେରିର ପୂର୍ବତନ ଉପ-ରାଜ୍ୟପାଳ କିରଣ ବେଦୀ କହିଛନ୍ତି।

‘ମହିଳା ସଶକ୍ତୀକରଣ ପାଇଁ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି କି?’ ଶୀର୍ଷକ ପ୍ରଥମ ଅଧିବେଶନରେ ଆରଏମ୍‌ଆସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ଡିପିଏସ କଳିଙ୍ଗର ପ୍ରୋ ଭାଇସ୍‌ ଚେୟାରପର୍ସନ ମାଳା ମିଶ୍ର, କଣ୍ଠଶିଳ୍ପୀ ତୃପ୍ତି ଦା‌ସ, କଲ୍ୟାଣୀ ଏସ୍‌ଏଚ୍‌ଜିର ଅଧ୍ୟକ୍ଷା ଜୟନ୍ତୀ ଏକ୍କା ବକ୍ତା ଭା‌ବେ ଯୋଗଦେଇ ମତପୋଷଣ କରିଥିଲେ। ‘ମହିଳା ସଫ୍ଟ ଟାର୍ଗେଟ୍ କି?’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ଅତିରିକ୍ତ ପୁଲିସ କମିସନର୍‌ ରେଖା ଲୋହାନୀ, ସାମାଜିକ କର୍ମୀ କ୍ରିଷ୍ଣା ମହାନ୍ତି, ଉପ ବନସଂରକ୍ଷକ ସସ୍ମିତା ଲେଙ୍କା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର