କିଟ୍ ଓ କିସ୍‌ରେ ବିଶ୍ବ ମହିଳା ଦିବସ: ମହିଳା କର୍ମଚାରୀଙ୍କୁ ମାଗଣା କରୋନା ଟିକା

ଚନ୍ଦ୍ରଶେଖରପୁର: କିଟ୍ ଅନୁଷ୍ଠାନ ସମୂହ ଓ କିସ୍‌ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ। ଆଜି ବିଶ୍ବ ମହିଳା ଦିବସ ଅବସରରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି ଘୋଷଣା କରିଛନ୍ତି। ଏଥିସହିତ ଏହି ଅନୁଷ୍ଠାନରେ ଏକ ମହିଳା ଫୋରମ୍‌ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି।

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଶ୍ରୀ ସାମନ୍ତ ନୂଆଦିଲ୍ଲୀରେ ଥାଇ ଭର୍ଚୁଆଲ୍ ମୋଡ୍‌ରେ ଯୋଗ ଦେଇଥିଲେ। କିଟ୍ ଓ କିସ୍‌ ଅଗ୍ରଗତିରେ ମହିଳା କର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ସେଥିପାଇଁ ସେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ତଥା ଭାରତୀୟ ସ୍କାଉଟ୍ ଓ ଗାଇଡ୍‌ର ରାଷ୍ଟ୍ରୀୟ କମିସନର ଡ. ପଙ୍କଜ ମିତ୍ତଲ କହିଥିଲେ ଯେ ସମ୍ପ୍ରତି ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲାଯାଇଥିବାରୁ ଅଧିକ ସଂଖ୍ୟକ ଛାତ୍ରୀ ଶିକ୍ଷା ଲାଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ତଥା ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ। ଶେଷରେ କିଟ୍ ବିଶ୍ବବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର