ଡ୍ରେନ୍‌ ପାଇଁ ମ୍ୟାଲେରିଆ, ଡେଙ୍ଗୁ ଡ଼ର

ଜଟଣୀ: ବର୍ଷା ଆରମ୍ଭ ହୋଇଯାଇଛି। କିନ୍ତୁ ଜଟଣୀ ପୌରାଞ୍ଚଳର ଅଧିକାଂଶ ଡ୍ରେନ୍ ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇରହିଛି। ବହୁ ସ୍ଥାନରେ ଡ୍ରେନ୍ ପାଚେରି ଭାଙ୍ଗି ଯାଇଛି। ଭଗ୍ନ ଅବସ୍ଥାରେ ଥିବା ଡ୍ରେନ୍‌ଗୁଡ଼ିକୁ ମରାମତି ଓ ସଫା କରାଯାଉନଥିବାରୁ ମାସ ମାସ ଧରି ପଚାପାଣି ଜମି ରହିଛି। ଫଳରେ ମଶା ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେଠୁ ଘରେ କିମ୍ବା ବାହାରେ କେଉଁଠି ବି ମଶା କାମୁଡ଼ାରୁ ନିସ୍ତାର ନାହିଁ। ଦିନରାତି ସବୁ ସମୟରେ ମଶାଙ୍କ ଉତ୍ପାତ କଲବଲ କରୁଛି। ତେଣୁ ଆଗକୁ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଜଟଣୀ ପୌରପାଳିକା ଅଧୀନସ୍ଥ ସମସ୍ତ ୨୩ ୱାର୍ଡରେ ଏଭଳି ଅବସ୍ଥା। ଅନେକ ସ୍ଥାନରେ ନାଳ, ନର୍ଦ୍ଦମା ଓ ପୁରାତନ ଗାଡ଼ିଆରେ ବର୍ଷବର୍ଷ ଧରି ଆବର୍ଜନା ଓ ପଚାପାଣି ଜମି ରହିଛି। ଡ୍ରେନ୍‌ଗୁଡ଼ିକ ଅନେକ ଦିନ ହେଲା ସଫା ହୋଇନାହିଁ ବୋଲି ଅଭିଯୋଗ ହୋଇଆସୁଛି। ମୁଖ୍ୟରାସ୍ତାକୁ ଲାଗି ରହିଥିବା କିଛି ଡ୍ରେନ୍‌ର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ପାଚେରି ଭାଙ୍ଗି ଗଲାଣି। ଫଳରେ ଅସରାଏ ବର୍ଷାହେଲେ ପାଣି ରାସ୍ତା ଉପରକୁ ମାଡ଼ିଆସୁଛି। ଡ୍ରେନ୍‌ଗୁଡ଼ିକରେ ଜମି ରହିଥିବା ଆବର୍ଜନା ପଚାପାଣିରେ ରହିରହି ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଏହା ମଶାବଂଶ ବୃଦ୍ଧି କରିବାରେ ସହାୟକ ହେଉଛି। ଡ୍ରେନ୍‌ରେ ମଶା ତେଲ ପକାଇବା ସହ ମଶାଲାର୍ଭା ଖାଉଥିବା ଗମ୍ବୁସିଆ ମାଛ ଛାଡ଼ିବାକୁ ବାରମ୍ୱାର ଦାବି ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ତେଣୁ ଏବେ ଚାରିଆଡ଼େ ମଶା ହାଉଯାଉ ହେଉଛନ୍ତି।

ମଶାଙ୍କ ଉତ୍ପାତ ଏମିତି ବଢ଼ିଛି ଯେ ସେମାନେ ଝୁଣାଧୂଆଁ କି ମଶା କଏଲ୍‌ ଧୂଆଁକୁ ବି ମାନୁନାହାନ୍ତି। ସେଥିପାଇଁ ସନ୍ଧ୍ୟା ହେଉହେଉ ଲୋକମାନେ କବାଟ ଝରକା ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଜଟଣୀ ବାସିନ୍ଦା ଗଦାଧର ରାଉତ କହିଛନ୍ତି, ମୁଖ୍ୟତଃ ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ଆବର୍ଜନା ଭର୍ତ୍ତି ଡ୍ରେନ୍ ସବୁକୁ ସଫା କରାଯିବା ନିୟମ ରହିଛି। କିନ୍ତୁ ପୌରପାଳିକା ସେଭଳି କିଛି ପଦକ୍ଷେପ ନେଉନାହିଁ। ଆଗକୁ ବର୍ଷା ଆହୁରି ବଢ଼ିବ, ଆହୁରି ଆବର୍ଜନା ଜମାହେବ। ତେଣୁ ଜଟଣୀରେ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବା ନିଶ୍ଚିତ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର