ପୁଣି ‘ମୋ ବସ୍‌’ରୁ ଲୁଟ୍ ବେଳେ ଧରା ହେଲା ଲୁଟେରା

ଭୁବନେଶ୍ୱର: ପୁଣି ‘ମୋ ବସ୍‌’ରୁ ଲୁଟ୍ ବେଳେ ଜଣେ ଲୁଟେରା ଧରା ହୋଇଛି। ‘ମୋ ବସ୍‌’ରେ ଯାତ୍ରୀଙ୍କଠାରୁ ମୋବାଇଲ ଲୁଟ୍ ବେଳେ ଯାତ୍ରୀମାନେ ତାକୁ ଧରିଥିଲେ। ବାଣୀବିହାର ଛକରେ ଲୁଟେରାକୁ କାବୁ କରି ଲୋକେ ପୁଲିସ ଜିମା ଦେଇଛନ୍ତି।

ଲୁଟେରାଠାରୁ ଦୁଇଟି ମୋବାଇଲ ଜବତ କରାଯାଇଛି। ଲୁଟେରା ହିନ୍ଦୀରେ କଥାବାର୍ତ୍ତା ହେଉଥିବାରୁ, ସେ ରାଜ୍ୟ ବାହାର ଲୋକ ବୋଲି ପୁଲିସ ସନ୍ଦେହ କରୁଛି। ଏହି ଗ୍ୟାଙ୍ଗରେ ଆଉ କେତେ ଜଣ ଅଛନ୍ତି ସେନେଇ ପଚରାଉଚରା କରୁଛି ପୁଲିସ।

ଉଲେ୍ଲଖ ଯୋଗ୍ୟ, କିଛି ମାସ ହେବ ‘ମୋ ବସ୍‌’ରେ ଲୁଟେରାମାନେ ସକ୍ରିୟ ହୋଇ ଉଠିଥିଲେ। ବସ୍‌ରେ ଗହଳିର ସୁଯୋଗ ନେଇ ଯାତ୍ରୀଙ୍କୁ ଲୁଟ୍‌ପାଟ୍‌ ଚଳାଇଥିଲେ। ଏ ନେଇ ଅଭିଯୋଗର ଲମ୍ବା ତାଲିକା ପହଞ୍ଚିଲା ପରେ କମିସନରେଟ୍‌ ପୁଲିସ୍‌ର ନିଦ ହଜିଯାଇଥିଲା। ପୁଲିସ୍‌, ଯାତ୍ରୀଙ୍କୁ ଚକ୍‌ମା ଦେଉଥିବା ଏହି ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ସ୍ପେସାଲ୍‌ ସ୍କ୍ବାର୍ଡ  ଠାବ କରିଥିଲା। ଗ୍ୟାଙ୍ଗର ୩ ମୁଖ୍ୟଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ନିକୁଞ୍ଜ ସାମନ୍ତରାୟ(୫୫), କଟକ କେଶରପୁର ଅଞ୍ଚଳର ସେକ୍‌ ମୁନା(୩୩) ଏବଂ ସହିଦନଗର ବାୟାବାବା ବସ୍ତିର ସେକ୍‌ ସୁଲ୍‌ତାନ(୬୦)। ସହଯୋଗୀମାନେ ହେଲେ କେଶରପୁରର ହଲିମ୍‌ ଖାନ୍‌ ଓରଫ ରାଜେଶ(୪୨), ଢ଼େଙ୍କାନାଳ ଭାପୁରର ପ୍ରଫୁଲ୍ଲ ବାରିକ(୪୦), ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୁର୍ଯ୍ୟୋଧନ ମହାପାତ୍ର ଓରଫ ଭୀମ(୩୩) ଏବଂ କଟକ ସତୀ ଚଉରା ଅଞ୍ଚଳର ସେକ୍‌ ଫିରୋଜ୍‌ ଓରଫ ବବୁଲ(୪୧)। ପୁଲିସ ସେମାନଙ୍କ ଠାରୁ ନଗଦ ୫୭ ହଜାର ଟଙ୍କା ଓ ୯ଟି ମୋବାଇଲ୍‌ ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ରାଜଧାନୀରେ କେଶରପୁର ସମେତ ବିଞ୍ଝାରପୁର ଏବଂ ଗମାଣ୍ଡିଆ ଭଳି ୩ଟି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ପୁଲିସ ଗୋଟିଏ ଗ୍ୟାଙ୍ଗକୁ ଠାବ କରିଥିବା ବେଳେ କଟକ ପୁଲିସ ଆଉ ଏକ ଗ୍ୟାଙ୍ଗକୁ ଠାବ କରିଥିଲା।

ସମ୍ବନ୍ଧିତ ଖବର