କ୍ରେନ୍ ଲଗାଇ ମୂର୍ତ୍ତି ବିସର୍ଜନ

ଭୁବନେଶ୍ବର: ଚଳିତବର୍ଷ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ଯେପରି ସସମ୍ମାନେ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ କ୍ରେନ୍‌ ସାହାଯ୍ୟରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ବିସର୍ଜନ କରାଯାଇଛି। କୁଆଖାଇରେ ବିଏମ୍‌ସି ପକ୍ଷରୁ ଖୋଳା ଯାଇଥିବା ଅସ୍ଥାୟୀ ପୋଖରୀ ନିକଟରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ପହଞ୍ଚିବା ପରେ ‌େକ୍ରନ୍ ମାଧ୍ୟମରେ ଉଠାଇ ବିସର୍ଜନ କରାଯାଇଛି। ବିଏମ୍‌ସିର ନିର୍ବାହୀ ଯନ୍ତ୍ରୀ ପିଏନ୍ଏସ୍ ପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ବର୍ଷ ବିସର୍ଜନ ସମୟରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକର ଶରୀରକୁ ଭାଙ୍ଗି ବିସର୍ଜନ କରାଯାଉଥିଲା। ଏହାଦ୍ବାରା ମା’ଙ୍କୁ ଅସମ୍ମାନ ହେଉଥିବା ଆମେ ହୃଦୟଙ୍ଗମ କରିବା ପରେ କ୍ରେନ୍ ମାଧ୍ୟମରେ ବିସର୍ଜନ କରିବାକୁ ଯୋଜନା କରିଥିଲୁ। ଏଥିପାଇଁ କୁଆଖାଇ ନଦୀ କୂଳରେ ଖୋଳା ଯାଇଥିବା ଦୁଇଟି ଅସ୍ଥାୟୀ ପୋଖରୀ ନିକଟରେ ଦୁଇଟି କ୍ରେନ୍ ରଖାଯାଇଥିଲା। ମୃଣ୍ମୟୀ ମୂର୍ତ୍ତି ପହଞ୍ଚିବା ପରେ ସେଗୁଡ଼ିକୁ ଗାଡ଼ିରୁ କ୍ରେନ୍ ମାଧ୍ୟମରେ ଉଠାଇ ପୋଖରୀରେ ପକାଇଥିଲୁ। ଆଜି କୁଆଖାଇ ଏବଂ ଦୟାରେ ଖୋଳା ଯାଇଥିବା ୪ଟି ଯାକ ଅସ୍ଥାୟୀ ପୋଖରୀରେ ଶତାଧିକ ମୂର୍ତ୍ତି ବିସର୍ଜନ ହୋଇଛି। ଯେପରି ବିସର୍ଜନ ସମୟରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ବିସର୍ଜନ ସ୍ଥାନରେ ଆବଶ୍ୟକୀୟ ଆଲୋକ ଓ ପୁଲିସ ମୁତୟନ କରାଯାଇଛି। ବିଏମ୍‌ସି ପକ୍ଷରୁ କୁଆଖାଇରେ ପାଣ୍ଡରା ନିକଟରେ ଦୁଇଟି, ଦୟାରେ ଲିଙ୍ଗିପୁର ଏବଂ ଟଙ୍କପାଣି ରୋଡ ନିକଟରେ ଗୋଟିଏ ଲେଖାଏଁ ବିସର୍ଜନ ପୋଖରୀ କରାଯାଇଥିଲା। ଆଜି ପୂର୍ବାହ୍ନରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ପ୍ରମୁଖ କୁଆଖାଇ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପୂଜା ମଣ୍ଡପଗୁଡ଼ିକରୁ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ବିସର୍ଜନ ପାଇଁ ନେବା ପରେ ବିଏମ୍‌ସି ପକ୍ଷରୁ ମଣ୍ଡପ ନିକଟରେ ସଫେଇ କରାଯାଇଛି।

ମୋ ଦେହରେ କାଇଁ ବାଡ଼େଇ ହେଲୁ…
ପୂଜାରେ ଆଜି ବାଣୀବିହାରରୁ ରାଜମହଲ ଓଭରବ୍ରିଜ୍‌ ଯାଏଁ ଏତେ ଜାମ୍‌ ଥିଲା ଯେ କେହି କାହାକୁ ଅତିକ୍ରମ କରିବା ସମ୍ଭବ ନଥିଲା। ଭିଡ଼ରେ ଯାତାୟାତ ବେ‌େଳ ପରସ୍ପର ସହ ଧକ୍କା ହେବା ସ୍ବାଭାବିକ ଥିଲା। କିଛି ଯୁବକ ଗହଳିରେ ଯାଉଥିବା ବେଳେ ଜଣେ ଯୁବତୀଙ୍କ ଦେହରେ ମାଡ଼ ହେବାରୁ ମୋ ଦେହରେ କାଇଁ ମାଡ଼ ହେଲୁ ବୋଲି କହି ଉଭୟ ବଚସା ଆରମ୍ଭ କରିଥିଲେ। ବଚସା ଉଗ୍ରରୂପ ନେଇଥିଲା। ଉଭୟ ପଟୁ ଯୁବକଙ୍କୁ ତାଙ୍କର ସାଙ୍ଗମାନେ ଏବଂ ଯୁବତୀଙ୍କୁ ତାଙ୍କର ସାଙ୍ଗମାନେ ଟାଣୁଥିଲେ। ‌େଶଷରେ କର୍ମକର୍ତା ଆସି ଓଗାଳିବାରୁ ବଚସା ଥମିଥିଲା।

ମୁରବିଙ୍କୁ ସମ୍ବର୍ଧନା
ସ୍ଥାନୀୟ ଅଞ୍ଚଳରେ ମେଢ଼ଗୁଡିକ ଯିବା ସମୟରେ ମୁରବିମାନଙ୍କୁ ସମ୍ବର୍ଧିତ କରାଯାଇଛି। ପ୍ରଥମେ ବଢ଼େଇବାଙ୍କ ଛକଠାରେ ବିଜେପି ନେତା ଅମିୟ ଦାଶଙ୍କ ଅଧ୍ୟକ୍ଷତାରେ ସମସ୍ତ ସାହି ମୁରବିଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ସେଠାରେ ବିଜେପି ନେତା ସମୀର ମହାନ୍ତି, ମଦନ ମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା, ଶେଷ ଶେଖର ଗରାବଡ଼ୁ, ଅନିକେତ ବଟୁ, ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭଜନ ମଣ୍ଡପ ଠାରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସନତ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମେଢ଼ ମୁରବିଙ୍କୁ ସମ୍ବର୍ଧନା ଦେଇଥିଲେ। ସେହିପରି ସାମନ୍ତରାପୁରଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଞ୍ଜନ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ର, ସାଧାରଣ ସମ୍ପାଦକ ଯୋଗୀନାଥ ନାୟକ, ଯୁବ କଂ‌େଗ୍ରସ ସଭାପତି ଶଙ୍କୁନା କଅଁର, ଦେବୀ ପ୍ରସାଦ ସ୍ବାଇଁ, ରେଖା ହାତା, ଶ୍ରେୟା ମହାନ୍ତି, କ୍ଷୀରୋଦ ବେହେରା, ସୁଦର୍ଶନ ସାହୁ, ଏସ୍‌କେ ଅବତାବ ଅଲ୍ଲୀ, ଆଦିତ୍ୟ ସାହୁ, ମିହିରି ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ସୁମନ୍ତ ମହାନ୍ତିଙ୍କ ସମେତ ଶତାଧିକ ଯୁବକ ସାମିଲ ହୋଇଥିଲେ।

ନୂଆଗାଁ’ର ମୁଦୁଲି ବାବୁ ହୋ..
ସହିଦନଗର ଦୁର୍ଗାପୂଜା ଭସାଣ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେ‌େଳ ଦୁଇଜଣ ପିଲା ହଜିଯାଇଥିଲେ। ସେମାନଙ୍କୁ ନେଇ କିଛି ବ୍ୟକ୍ତି ପୂଜା ମଣ୍ଡପରେ ଠିଆ କରାଇ ବାରମ୍ବାର ତାଙ୍କର ପିତାମାତାଙ୍କୁ ନାମ ଧରି ସମ୍ବୋଧନ କରିଥିଲେ। ମାତ୍ର ଘଣ୍ଟାଏ କାଳ କେହି ବି ଆସିନଥିଲେ। ପିଲା ‌ଦୁହେଁ କାନ୍ଦି ଆକ୍ରାନ୍ତ ହୋଇଥିଲେ। ଶେଷରେ ମଂଚ ଉପରୁ ଜଣେ ବ୍ୟକ୍ତି ଘୋଷଣା କରିଥିଲେ, ନୂଆଗାଁ’ର ମୁୁଦୁଲି ବାବୁୁ ହୋ.. ସେତିକି ମେଢ଼ ଦେଖ। ତୁମ ପିଲା ଏଠି ବହୁତ କାନ୍ଦିଲାଣି, ତୁରନ୍ତ ଆସ। ଏହାଶୁଣି ମୁଦୁଲି ବାବୁ ଆସି ତାଙ୍କ ପିଲାକୁ ନେଇଥିଲେ। ଅନ୍ୟ ପିଲାଟିକୁ ମଧ୍ୟ ତାଙ୍କ ମା’ ଆସି ନେଇଥିଲେ।

ଜିପ୍‌ରେ ନେତାଗିରି
ଆଜି ହଜାର ହଜାର ରାଜଧାନୀବାସୀ ରାସ୍ତାର ଉଭୟ ପାର୍ଶ୍ବରେ ଭିଡ଼ ଜମେଇଥିଲେ। ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନେତୃସ୍ଥାନୀୟ ବ୍ୟକ୍ତି ନେତାଗିରି ଦେଖାଇବା ଜିପ୍‌ରେ ଛିଡ଼ା ହୋଇ ମୁଣ୍ଡିଆ ପକାଇ ଚାଲିଥିଲେ। ବେକରେ ଫୁଲମାଳ ପକାଇ ଜିପ୍‌ରେ ଯାତ୍ରା କରିବା ବେଳେ କିନ୍ତୁ ଦେଖେଣାହାରୀଙ୍କ ଟାହିଟାପରାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର