ଢାଲିଙ୍କୁ ପଛରେ ପକାଇଲେ ନବକିଶୋର

ବାଲିଅନ୍ତା: ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ବିଜେପିର ଅରବିନ୍ଦ ଢାଲିଙ୍କୁ ୨୧ ହଜାର ୪୭୩ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଜୟଦେବରେ ମୋଟ୍‌ ୧ ଲକ୍ଷ ୪୭ ହଜାର ୯୩୭ ( ୮୦. ୭୭ ପ୍ରତିଶତ) ମତଦାନ ହୋଇଥିଲା। ସେଥିମଧ୍ୟରୁ ନବକିଶୋର ୭୬,୭୯୦ ଭୋଟ ପାଇଥିବା ବେଳେ ଢାଲି ୫୫,୩୧୭ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ୮,୨୭୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା ୪,୨୯୧ ଖଣ୍ଡ ଭୋଟ ପାଇଛନ୍ତି। ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ବୁଥ୍‌ ନଂ-୧ରୁ ନବକିଶୋର ପ୍ରଥମ ରାଉଣ୍ଡରେ ୩୪ ଖଣ୍ଡ ଭୋଟ୍‌ରେ ଆଗରେ ରହି ନିଜ ବିଜୟ ପର୍ବ ଆରମ୍ଭ କରିଥିଲେ। ଜୟଦେବ ନିର୍ବାଚନମଣ୍ଡଳୀର ମୋଟ୍‌ ୨୩୬ ବୁଥରେ ୨୦ ରାଉଣ୍ଡ ଶେଷ ସୁଦ୍ଧା ଭୋଟ ବ୍ୟବଧାନ ଢାଲିଙ୍କ ଠାରୁ ଢେର ଆଗରେ ରହି ବିଜୟୀ ହୋଇଛନ୍ତି।

ଉଲ୍ଲେଖନୀୟ ଯେ ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଏହି ଆସନରୁ ଲଢ଼େଇକରି ଶ୍ରୀ ଢ଼ାଲି ୬୩,୦୦୦ ଖଣ୍ଡ ଭୋଟ୍‌ ପାଇ ବିଧାନସଭାକୁ ଯାଇଥିଲେ। ସେଥର ବିଜେପି ଟିକେଟ ପାଇଥିବା ନରେନ୍ଦ୍ରନାଥ ନାୟକ ୨୮,୭୯୮ ଭୋଟ୍‌ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ନବକିଶୋର ୪୪,୩୦୦ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ଅବସରରେ ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିମାନେ ନବ କିଶୋରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ଅନୁରୂପ ଭାବେ ନବ ବିଜୟ ଅବସରରେ ନିଜ ବିଜୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ, ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ କମଳ କୁମାର ପାତ୍ର (ଚନ୍ଦନ)ଙ୍କ ସମେତ ଜୟଦେବର ଭୋଟରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ବରିଷ୍ଠ ନେତା କୈଳାଶ ଚନ୍ଦ୍ର ପାତ୍ର ଏବଂ ୬ଟି ଜୋନର ଜିଲ୍ଲା ପରିଷଦ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର