କାର୍‌ରୁ ଚୋରି ଘଟଣା : ସୁନା ଗହଣା ସମେତ ମୋବାଇଲ ଜବତ, ଜଣେ ଗିରଫ

ଚୋରି ସୁନା ବନ୍ଧକ ରଖି ଆଣିଥିଲା ଲକ୍ଷେ ଟଙ୍କା ଋଣ

ଭୁବନେଶ୍ୱର : କାର୍‌ରୁ ଚୋରି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସକୁ ସଫଳତା ମିଳିଛି। ଚୋରି ସୁନା ଗହଣା ସମେତ ମୋବାଇଲ ଉଦ୍ଧାର ହେବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ନୂଆପଲ୍ଲୀ ଗଦାସାହିର ନିରଞ୍ଜନ ନାୟକ ଓରଫ ଟିକନ। ତା’ ଠାରୁ ଗୋଟିଏ ହାର, ମଙ୍ଗଳସୂତ୍ର, ୩ ହଳ ସୁନା ଚୁଡ଼ି, ଗୋଟିଏ ଚେନ୍‌ ଓ ଗୋଟିଏ ମୋବାଇଲ ଜବତ ହୋଇଛି। ଚୋରି ସୁନା ଗହଣାକୁ ସେ ଏକ ଫାଇନାନ୍ସ କମ୍ପାନିରେ ବନ୍ଧକ ରଖି ଲକ୍ଷେ ଟଙ୍କା ଋଣ ଆଣିଥିଲା। ସେଠାରୁ ଏହି ସୁନା ଅଣାଯିବା ସହ ତାର ରସିଦ୍‌ ମଧ୍ୟ ଜବତ କରାଯାଇଛି। ତେବେ ଚୋରି ସୁନା ବନ୍ଧକ ରଖି ଟଙ୍କା ଋଣ ଦେଇଥିବା ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ।

ସୂଚନା ମୁତାବକ, ଗତ ୧୦ ତାରିଖରେ ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରେ ପାର୍କିଂ ହୋଇଥିବା ଗାଡ଼ି ଭିତରୁ ନିମାପଡ଼ା ତମ୍ପାଳର ରାଜେଶ ସ୍ବାଇଁଙ୍କ ପତ୍ନୀଙ୍କ ଭ୍ୟାନିଟି ଚୋରି ହୋଇଥିଲା। ଏଥିରେ ୯ ଭରି ଓଜନର ସୁନା ଗହଣା ସମେତ ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ ଓ ୧ ହଜାର ଟଙ୍କା ଥିଲା। ଏ ନେଇ ରାଜେଶ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସେଠ‌ାରେ ଥିବା ସିସିଟିଭି ଖରାପ ଥିବାରୁ ଅଡୁଆରେ ପଡ଼ିଥିଲା। ଚୋରି ହୋଇଥିବା ମୋବାଇଲ ବନ୍ଦ ଥିବାରୁ ପୁଲିସର ଅଡୁଆ ବଢ଼ିଥିଲା। ଗତ ରାତିରେ ମୋବାଇଲ ଅନ୍‌ ହୋଇଥିଲା। ଅନ୍‌ ହେଉ ହେଉ ଲୋକେସନକୁ ଆଧାର କରି ପୁଲିସ ପ୍ଲଟ ନମ୍ବର ୧୨୦୬/ ୧୨୦୭ରେ ଚଢ଼ଉ କରିଥିଲା। ଚଢ଼ଉ ପରେ ଟିକନ ଧରାପଡ଼ିଥିଲା। ତା’ ନାମରେ ଲକ୍ଷ୍ମୀସାଗର ଓ ନୂଆପଲ୍ଲୀ ଥାନାରେ ମାମଲା ରହିଛି। ତା’ ଠାରୁ ପୂର୍ବରୁ ମଧ୍ୟ ବନ୍ଧୁକ ଜବତ କରାଯାଇଥିବା ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର