ବିଶ୍ବକପ୍‌ ଗୋଟିଏ ରାତିରେ ଜିତି ହୁଏନି

ଭିଭିଏସ୍ ଲକ୍ଷ୍ମଣ

ଅବିଶ୍ବସନୀୟ, ଅସାଧାରଣ, ଅଭୁତପୂର୍ବ; ରବିବାରର ବିଶ୍ବକପ୍ ଫାଇନାଲ୍ ଲଢ଼େଇକୁ ଯେତେ‌ ଅଳଙ୍କାର ଦେଲେ ମଧ୍ୟ ସେତେ କମ୍। ଲର୍ଡସରେ ରହି ଏହି ଅବିସ୍ମରଣୀୟ ମୁକାବିଲାକୁ ଦେଖିବା ସମ୍ମାନର କଥା। ମୋ ମତରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ କିଛି ବି ପାର୍ଥକ୍ୟ ନଥିଲା। ଦୁର୍ଭାଗ୍ୟଜନକ ଭାବେ ଜଣେ ହିଁ ବିଜୟୀ ହେବାର ଥିଲା, ଏବଂ ଇଂଲଣ୍ଡ ଶେଷରେ ମୁକୁଟର ହକଦାର ହେଲା। କେନ୍ ୱିଲିୟମସନ୍ ଏବଂ ତାଙ୍କ ଦଳ କିନ୍ତୁ ଗର୍ବର ସହ ନିଜ ଅଭିଯାନ ଶେଷ କଲେ। ସେମାନଙ୍କ ଲଢ଼ୁଆ ଖେଳକୁ କ୍ରିକେଟ୍ ଦୁନିଆ କେବେ ବି ଭୁଲି ପାରିବ ନାହିଁ। ଢେର ବର୍ଷ ହେବ ମୁଁ ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପ୍ରଶଂସକ ରହି ଆସିଛି। ବିଶ୍ବକପ୍‌ରେ ସେମାନଙ୍କ ଏକାଗ୍ରତା, ଆଶା ଏବଂ ନୈତିକତା କିୱି ଦଳ ପ୍ରତି ମୋ ମନରେ ଥିବା ସମ୍ମାନକୁ ଆହୁରି ବଢ଼ାଇ ଦେଇଛି। ନେଟ୍ ରନ୍ ରେଟରେ ଆଗୁଆ ରହି ନ୍ୟୁଜିଲାଣ୍ଡ ସୌଭାଗ୍ୟ ବଶତଃ ସେମିଫାଇନାଲ୍ ଯାଇଥିଲା। ହେଲେ ଠିକଣା ସମୟରେ ନିଜ ଖେଳର ସ୍ତରକୁ ବଢ଼ାଇ ପାରିଥିଲା। ଶେଷରେ ଭାରତ ଭଳି ଦଳକୁ ହରାଇ ଫାଇନାଲ୍ ଯାଇଥିଲା ନ୍ୟୁଜିଲାଣ୍ଡ। ପୂରା ପ୍ରତିଯୋଗିତାରେ ୱିଲିୟମସନ୍ ବଳିଷ୍ଠ ‌ନେତୃତ୍ବର ପରିଚୟ ଦେଇଥିଲେ। ସାଥୀ ବ୍ୟାଟ୍ସମ୍ୟାନ୍‌ମାନେ ଅବଶ୍ୟ ତାଙ୍କୁ ଯେତିକି ସମର୍ଥନ ଦେବା କଥା ସେତିକି ଦେଇ ନଥିଲେ। କିୱି ବୋଲିଂ ବାହିନୀରୁ କିନ୍ତୁ ସେ ମନ ମୁତାବକ ସହଯୋଗ ପାଇଥି‌ଲେ। ସେଥିପାଇଁ ରବିବାରର ଝଟ୍‌କାରୁ ମକୁଳିବା ଲାଗି ନ୍ୟୁଜିଲାଣ୍ଡକୁ ବହୁ ସମୟ ଲାଗିବ। ହେଲେ ମୁଁ ସ୍ଥିର ନିଶ୍ଚିତ ଯେ ସେମାନେ ଆହୁରି ଶକ୍ତିଶାଳୀ ହୋଇ ଫେରିବେ। କାରଣ ଏହା ହିଁ ସେମାନଙ୍କ ସ୍ବଭାବ।

ଇଂଲଣ୍ଡ ବି ଚମତ୍କାର କ୍ରିକେଟ୍ ଖେଳିଲା। ସେମା‌ନେ ଦାବିଦାର ଭାବେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲେ। ବିଜେତା ହୋଇ ଏହାକୁ ସତ ପ୍ରମାଣିତ କରିଥିଲେ। ୨୦୧୫ ବିଶ୍ବକପ୍‌ର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବା ପରେ ଆରମ୍ଭ ହୋଇଥିବା ସୁଚିନ୍ତିତ ଯୋଜନା ଏବଂ କଠିନ ପରିଶ୍ରମର ଫଳ ସେମାନଙ୍କୁ ମିଳିଲା। ଏକ ସନ୍ତୁଳିତ ଦଳ ବାଛିଥିବାରୁ ଅଧିନାୟକ ଇଅନ ମୋର୍ଗାନ ଓ ଇଂଲଣ୍ଡ ଦଳୀୟ ଅଧିକାରୀ ପ୍ରଶଂସାର ପାତ୍ର। ଇଂଲଣ୍ଡର ସଫଳତା ପ୍ରମାଣିତ କରିଛି ଯେ ବିଶ୍ବକପ୍ ଗୋଟିଏ ରାତିରେ ଜିତି ହୁଏନି। ଏଥିଲାଗି ଲମ୍ବା‌ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିବାକୁ ହୁଏ। ପୂରା ପ୍ରତିଯୋଗିତା ଭଳି ଫାଇନାଲରେ ମଧ୍ୟ ବେନ୍ ଷ୍ଟୋକ୍ସ ଚମତ୍କାର ଖେଳ ଖେଳିଲେ। ଯୋଡ଼ିଦାର ହରାଇ ଚାଲିଥିଲେ ମଧ୍ୟ ତାଙ୍କ ଆଖିରେ ଆତ୍ମବିଶ୍ବାସର ଚମକ କମି ନଥିଲା। ଦୁଇ ବର୍ଷର କଠିନ ବ୍ୟକ୍ତିଗତ ଏବଂ ପେସାଦାର ଜୀବନ ପରେ ସେ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ବ୍ୟକ୍ତିଗତ ଭାବେ ସୁପର ଓଭରର ବିଚାରକୁ ମୁଁ ବହୁତ ପସନ୍ଦ କରେ। ବାଉଣ୍ଡରି ଗଣନାରୁ ବିଜେତା ବାଛିବା ନୀତି ଅବଶ୍ୟ ମୋତ‌େ ଟିକିଏ ଅଡ଼ୁଆ ଲାଗିଛି। ସୁପରଓଭର ଟାଇ ରହିଲେ ୱିକେଟ୍ ପତନ ସଂଖ୍ୟା କିମ୍ବା ଲିଗ୍ ପର୍ଯ୍ୟାୟର ମୁହାଁମୁହିଁ ଫଳାଫଳକୁ ହୁଏତ ଏକ କାରକ କରାଯାଇପାରେ। ତେବେ ଏଥରର ବିଶ୍ବକପ୍ ଫର୍ମାଟ୍‌କୁ ମୁଁ ଶହେରୁ ଶହେ ନମ୍ବର ଦେବି। ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କ ବିପକ୍ଷରେ ଖେଳିବା ପରେ ଶ୍ରେଷ୍ଠ ଚାରି ଦଳ ସେମିଫାଇନାଲ୍ ଖେଳିବା ଏକ ଭଲ କଥା। ଏହା ଦ୍ବାରା ସ୍ଥିର ପ୍ରଦର୍ଶନ ଦେଇଥିବା ଦଳ ହିଁ ଶେଷ ଚାରି ସ୍ଥାନ ମଧ୍ୟରେ ରୁହନ୍ତି। ଏଥରର ବିଶ୍ବକପ୍‌ କ୍ରିକେଟ୍‌ର ମହାନ ଉତ୍ସବ ଭାବେ ସବୁ ଆଶା ଆକାଂକ୍ଷା ପୂରଣ କରିଛି। ଏହାଠାରୁ ଅଧିକ କିଛି ଆଶା କରାଯାଇ ନପାରେ।

ସମ୍ବନ୍ଧିତ ଖବର