ସହିଦନଗରରେ ଗାଁ ରାସ୍ତାର ଚିତ୍ର

ଭୁବନେଶ୍ବର : ରାଜଧାନୀର ଭିଆଇପି ଅଞ୍ଚଳ ମଧ୍ୟରେ ସହିଦନଗର ଅନ୍ୟତମ। କେବଳ ଭିଆଇପିଙ୍କ ବାସସ୍ଥଳୀ ପାଇଁ ନୁହେଁ, ରାଜଧାନୀର ଏକ ବଡ଼ ବ୍ୟବସ‌ାୟିକ କେନ୍ଦ୍ର ଭାବେ ଏହି ଅଞ୍ଚଳ ବେଶ୍ ଜଣାଶୁଣା। କିନ୍ତୁ ପରିତାପର କଥା, ଏହି ଅଞ୍ଚଳର ଭିତର ଦୃଶ୍ୟ କିନ୍ତୁ ଭିନ୍ନ। ବିଶେଷକରି ଏଠିକାର ରାସ୍ତାଗୁଡ଼ିକ ନିପଟ ମଫସଲ ଗାଁ ରାସ୍ତାର ଚିତ୍ର ପ୍ରଦର୍ଶନ କରନ୍ତି। ସ୍ପର୍ଶ ହସ୍ପିଟାଲ ପାଖ ରାସ୍ତା ଏହାର ଏକ ନଗ୍ନ ନମୁନା।

ବାଣୀବିହାର ଓଭରବ୍ରିଜ୍ ପାଖରୁ ସ୍ପର୍ଶ ହସ୍ପିଟାଲ ପାର୍ଶ୍ବ ଦେଇ ସହଦନଗର ଭିତରକୁ ଲମ୍ବିଥିବା ରାସ୍ତାଟି ଏହି ଅଞ୍ଚଳର ଏକ ପ୍ରମୁଖ ରାସ୍ତା। ଏହାର ଅବସ୍ଥା ଗତ ଦୁଇ ବର୍ଷ ହେଲା ବଡ଼ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ପ୍ରତିଦିନ ରୋଗୀ ନେଇ ଆମ୍ବୁଲାନ୍‌ସ ଯା’ଆସ କରୁଛି। ବଡ଼ ବଡ଼ କୋଚିଂ ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସଂସ୍ଥାର ଅଫିସ ମଧ୍ୟ ରହିଛି। ତେଣୁ ଏହି ରାସ୍ତା ଉପରେ ସହଦନଗରବାସୀଙ୍କ ସହ ବାହାର ଲୋକମାନେ ନିର୍ଭର କରନ୍ତି। ମାତ୍ର ରାସ୍ତା ସାରା ଖାଲଖମା ହୋଇଥିବାରୁ ଯାତାୟତରେ ଲୋକେ ସମସ୍ୟାରେ ପଡ଼ନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ଖାଲରେ ପାଣି ଜମି ରହୁଛି। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ଏହି ରାସ୍ତା କଡ଼ରୁ ଅଳିଆ ଆବର୍ଜନା ନିୟମିତ ସଫା ହେଉନାହିଁ। ତେଣୁ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି।

ସ୍ଥାନୀୟ ବାସିନ୍ଦା ବଜ୍ର କିଶୋର ରାଉତଙ୍କ କହିବାନୁଯାୟୀ ପ୍ରାୟ ୨ବର୍ଷରୁ ଅଧିକ ଦିନ ହେଲାଣି ରାସ୍ତା ଏମତି ଅବସ୍ଥାରେ ପଡ଼ିଛି। ଦିନକୁ ଦିନ ଖାଲ ସବୁ ବଡ଼ ହେବାରେ ଲାଗିଛି। ତେଣୁ ଖାଲ ଗୁଡ଼ିକରେ ଆଣ୍ଠୁଏ ଗଭୀରରେ ପାଣି ଜମି ରହିଛି। ସନ୍ଧ୍ୟାରେ ଲାଇନ୍‌ କଟି ଯାଉଥିବା ବେଳେ ଏହି ରାସ୍ତାରେ ବହୁ ଲୋକ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏନେଇ ସହିଦନଗର ପୂର୍ବତନ କର୍ପୋରେଟର ଉମା ମିଶ୍ରଙ୍କ କହିବା କଥା ଗତ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ରାସ୍ତା କାମ କରାଯାଇଥିଲା। ପରେ ବିଭିନ୍ନ କମ୍ପାନି ପକ୍ଷରୁ ରାସ୍ତା ଖୋଳି ଦିଆଯାଉଛି। କେତେବେଳେ ଓପିଟିସିଏଲ ଖୋଳି ପକାଉଛି ତ କେତେବେଳେ ଆଉ କେଉଁ ବିଭାଗ ପକ୍ଷରୁ କାମ କରିବା ପାଇଁ ରାସ୍ତାକୁ ଖୋଳି ଦିଆଯାଉଛି। ନିୟମାନୁସାରେ ଖୋଳି ପକାଉଥିବା କମ୍ପାନି ବା ସଂସ୍ଥା ତୁରନ୍ତ ମରାମତି କରିବା କଥା। କିନ୍ତୁ ସେମାନେ କାମ ବିଳମ୍ବ କରିବା ସହ ମରାମତି କରୁନାହାନ୍ତି। ଏନେଇ ସେ ବହୁଥର ଅଭିଯୋଗ କଲେ ମଧ୍ୟ ବିଏମ୍‌ସି ପକ୍ଷରୁ ଉକ୍ତ ସଂସ୍ଥାମ‌ାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ସମ୍ବନ୍ଧିତ ଖବର