ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ଆଜି ଶପଥ ନେବେ

ଡେରାଡୁନ୍‌ : ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ଡେରାଡୁନ୍‌ ସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ହୋଇଥିବା ବିଧାୟକ ଦଳ ବୈଠକରେ ପୁଷ୍କରଙ୍କୁ ନେତା ନିର୍ବାଚିତ କରାଯାଇଛି। ତିରଥ ସିଂହ ରାୱତ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବୋ ପରେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅନେକ ନେତା ରହିଥିଲେ। ସମସ୍ତଙ୍କୁ ପଛରେ ପକାଇ ଆଜି ପୁଷ୍କର ବାଜି ମାରିଛନ୍ତି। ବିଧାୟକ ଦଳ ବୈଠକ ପରେ ଧାମୀ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।

୪୫ ବର୍ଷୀୟ ଧାମୀ ୨ ଥର ବିଧାୟକ ହୋଇଛନ୍ତି। ସେ ରାଜ୍ୟର କୁମାଓଁ ଅଞ୍ଚଳ ସ୍ଥିତ ଖତିମା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ସେ ଅତି ଘନିଷ୍ଠ। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଧାମୀ ଉତ୍ତରା‌ଖଣ୍ଡ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଧାମୀ କହିଛନ୍ତି, ସେ ଚ୍ୟାଲେଂଜକୁ ଗ୍ରହଣ କରୁଛନ୍ତି ଏବଂ ସମସ୍ତଙ୍କ ସମର୍ଥନରେ ସେ ଦଳକୁ ଆଗକୁ ନେବେ। ସତପାଲ୍‌ ମହାରାଜ, ଧନ ସିଂହ ରାୱତଙ୍କ ସମେତ ପ୍ରାୟ ୬ ଜଣ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୪ ମାସ‌ ମଧ୍ୟରେ ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ତୃତୀୟ ମୁଖ୍ୟମନ୍ତ୍ରୀ ହେବେ। ପୁଷ୍କର ସିଂହଙ୍କ ପୂର୍ବରୁ ତିରଥ ସିଂହ ରାୱତ ଗତ ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ପୂର୍ବରୁ ତ୍ରିବେନ୍ଦ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଥିଲେ। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି। ୧୯୭୫, ସେପ୍ଟେମ୍ବର ୧୬ରେ ଜନ୍ମ ହୋଇଥିବା ପୁଷ୍କର ସିଂହ ଧାମୀ ହ୍ୟୁମାନ୍‌ ରିସୋର୍ସ‌୍‌ ମ୍ୟାନେଜମେଣ୍ଟ୍‌ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସରେ ପିଜି ଏବଂ ଏଲ୍‌ଏଲ୍‌ବି କରିଛନ୍ତି। ପୁଷ୍କର ସିଂହ ମଧ୍ୟ ଆରଏସ୍‌ଏସ୍‌ ସହ ସମ୍ପୃକ୍ତ ଥିଲେ ଏବଂ ଉତ୍ତରାଖଣ୍ଡରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ। ଉତ୍ତରାଖଣ୍ଡରେ ସେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର