ଅଟକିଲା ବାଲ୍ୟ ବିବାହ: ହାତଗଣ୍ଠି ପୂର୍ବରୁ ହାତକଡ଼ି

ବର ସମେତ ୫ ଗିରଫ

ଭୁବନେଶ୍ବର: ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ପଡ଼ିଲା ହାତକଡ଼ି। ରାଜଧାନୀରେ ଅଟକିଲା ବାଲ୍ୟ ବିବାହ। କୁଆଖାଇ ନଦୀପଠାର ଏକ ମନ୍ଦିରରେ ଚାଲିଥିବା ବାଲ୍ୟ ବିବାହକୁ ରୋକାଯାଇ ପାରିଛି। ବର ସମେତ ୫ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଉଦ୍ଧାର ୧୪ ବର୍ଷୀୟା ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତି(ସିଡବ୍ଲୁସି)ରେ ହାଜର ପରେ ଏକ ଓପନ୍ ସେଲ୍ଟରରେ ରଖାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବମିଖାଲରେ ରହୁଥିବା ବର ଟି. କାର୍ତ୍ତିକ, ତାଙ୍କ ବାପା ଜି. ଦଣ୍ଡ, ମା’ ଭି. ପଦ୍ମା ଓ କନ୍ୟାର ପିତା ଟି. ତ୍ରିନାଥ ଏବଂ ମା’ ଟି. ନରସୀମା। ସେମାନଙ୍କ ଘର ଗଞ୍ଜାମରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କୁଆଖାଇ ନଦୀପଠାର ଏକ ନିକାଞ୍ଚନ ସ୍ଥାନରେ ଥିବା ରାଧାକୃଷ୍ଣ ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ସି଼ଡିପିଓ ଏବଂ ରୁଚିକା ଚାଇଲ୍ଡ ଲାଇନର କର୍ମକର୍ତ୍ତା ମଞ୍ଚେଶ୍ବର ଥାନା ପୁଲିସ ସହ ମିଳିତ ଭାବେ ଚଢ଼ଉ କରିଥିଲେ। ସେତେବେଳକୁ ବାହାଘର ପ୍ରାୟ ଅଧାଅଧି ଶେଷ ହୋଇ ଯାଇଥିଲା। ହାତଗଣ୍ଠି ପଡ଼ିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଠିକଣା ସମୟରେ ଚଢ଼ଉ ହୋଇଥିବାରୁ ବାଲ୍ୟ ବିବାହ ରୋକାଯାଇ ପାରିଲା ବୋଲି ଚାଇଲ୍ଡ ଲାଇନ୍ ଅଧିକାରୀ ବେଣୁଧର ସେନାପତି କହିଛନ୍ତି। କେଉଁ ପରିସ୍ଥିତିରେ ନାବାଳିକା ବିବାହ କରୁଥିଲେ ସେ ନେଇ ତାଙ୍କୁ କାଉନସେଲିଂ କରାଯିବ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଥାନାରେ ୪୨୨/୨୩ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର