ଅଣଛାତ୍ରମୁକ୍ତ ଛାତ୍ରାବାସ କେବେ? ୨୦୧୯ରେ ତଡ଼ା ଖାଇଥିଲେ ୪୫୦ ଅଣଛାତ୍ର

ଆଉ ଚଢ଼ଉ କରୁନାହାନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡ଼ିଶାର ଗୌରବ ଉତ୍କଳ ବିଶ୍ବବିଦ୍ୟାଳୟ। ଅନେକ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କୁ ଗଢ଼ିଥିବା ରାଜ୍ୟର ଏହି ସର୍ବବୃହତ୍ତ ଓ ସର୍ବପୁରାତନ ବିଶ୍ବବିଦ୍ୟାଳୟ ଏବେ ଅଣଛାତ୍ରଙ୍କ କବ୍‌ଜାରେ। ସୁଉଚ୍ଚ ଗେଟ୍‌ରେ ସୁରକ୍ଷାକର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ହେଁ ସନ୍ଧ୍ୟା ହେଲେ କ୍ୟାମ୍ପସର ଏକାଧିକ ସ୍ଥାନରେ ଖୋଲାଖୋଲି ଭାବେ ଅଣଛାତ୍ରଙ୍କର ମଦ ଆସର ଜମୁଛି। ଅଣଛାତ୍ର କ୍ୟାମ୍ପସରେ ଖଟି କରୁଛନ୍ତି, ଛାତ୍ରୀନିବାସ ଆଗରେ ଚକ୍କର କାଟୁଛନ୍ତି, ଛାତ୍ରୀଙ୍କୁ କମେଣ୍ଟ ମାରିବା ସହିତ ଅନ୍ୟ ବାଟରେ ହଇରାଣ କରୁଛନ୍ତି। ଛାତ୍ରାବାସରେ ମଧ୍ୟ ସେମାନେ ଆଡ୍ଡା ଜମାଉଛନ୍ତି। ସେଠାରେ ହେଉଥିବା ଅନେକ ଗଣ୍ଡଗୋଳରେ ସେମାନଙ୍କର ମୁଖ୍ୟ ଭୂମିକା ରହୁଛି। କେବଳ ସେତିକି ନୁହେଁ, କ୍ୟାମ୍ପସ ଛାତ୍ରମାନଙ୍କର ହୋଇଥିଲେ ହେଁ କିଛି ଅଣଛାତ୍ର ସେମାନଙ୍କୁ ଆତଙ୍କିତ କରି ରଖୁଛନ୍ତି। କ୍ୟାମ୍ପସରେ ପାନ, ଗୁଟ୍‌ଖା ତ ପ୍ରକାଶ୍ୟରେ ବିକ୍ରି ହେଉଛି, ତା’ଠୁ ଆହୁରି ଭୟଙ୍କର ନିଶାଦ୍ରବ୍ୟ ମଧ୍ୟ କ୍ୟାମ୍ପସରେ ପଶୁଛି। କିନ୍ତୁ ପୁଲିସ କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାକୁ ରୋକିବା ଦିଗରେ ସଫଳ ହୋଇ ନାହାନ୍ତି।

ଶେଷ ଥର ୨୦୧୯ ମାର୍ଚ୍ଚ ମାସରେ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରିବା ସହ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍‌ ଆଦି ଜବତ କରିଥିଲେ। ଏହା ପରଠାରୁ କ୍ୟାମ୍ପସରେ ଥିବା ଛାତ୍ରାବାସଗୁଡ଼ିକରେ ଚଢ଼ାଉ ହୋଇନାହିଁ କିମ୍ବା ଅଣଛାତ୍ରଙ୍କୁ ଚିହ୍ନଟ କରି ତଡ଼ିବା ଦିଗରେ ପଦକ୍ଷେପ ନିଆ ଯାଇନାହିଁ। ଏହି କାରଣରୁ ଏବେ ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା ଘଟି ଚାଲିଛି। ଅବଶ୍ୟ ଏହା କିଛି ନୂଆ କଥା ନୁହେଁ। କ୍ୟାମ୍ପସରେ ଅଣଛାତ୍ରଙ୍କ ପତିଆରା ଏବେକାର ନୁହେଁ। ଅନେକ ବର୍ଷରୁ ଏଭଳି କାର୍ଯ୍ୟକଳାପ ଜାରି ରହିଛି। ଅନେକ ଛାତ୍ରାବାସରେ ଅଣଛାତ୍ର ରହିବାଠାରୁ ଆରମ୍ଭ କରି ଆଡ୍ଡା ଜମାଇବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାର ଖବର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ରହିଥିଲେ ମଧ୍ୟ ସେମାନଙ୍କୁ ହଟାଇବାକୁ କେହି ସାହସ ଜୁଟାଇ ପାରୁ ନାହାନ୍ତି। କେତେଥର ଉଦ୍ୟମ ହୋଇଛି ଅବଶ୍ୟ, ହେଲେ ରାଜନୈତିକ ଚାପରେ ବିଶ୍ବବିଦ୍ୟାଳୟ ଅଧିକାରୀଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଛି। ଏପରିକି ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସମୟରେ ଯାଞ୍ଚ କରିବାଲାଗି ଛାତ୍ରାବାସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରି ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ୨୦୧୯ ଫେବ୍ରୁଆରି ମାସରେ ଅଧିକାରୀମାନେ ଏପରି କରିବାକୁ ଉଦ୍ୟମ କରିବା ସମୟରେ ଢ଼େଲାମାଡ଼ର ସମ୍ମୁଖୀନ ହୋଇଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଉକ୍ତ ଛାତ୍ରାବାସର ପାଣି ଓ ବିଦ୍ୟୁତ୍‌ ସଂଯୋଗ କାଟିବାକୁ ବି ପ୍ରୟାସ କରି ବିଫଳ ହୋଇଥିଲେ।

ଅଣଛାତ୍ର ପ୍ରବେଶକୁ ରୋକିବାକୁ ଦୁଇବର୍ଷ ତଳେ ଛାତ୍ରାବାସ ଚାରିପାଖରେ ପାଚେରି ନିର୍ମାଣ କରାଯାଇଛି। ପାଖାପାଖି ଏକ କୋଟି ଟଙ୍କା‌ ଖର୍ଚ୍ଚ କରାଯାଇ ପାଚେରି ନିର୍ମାଣ ହୋଇଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ। ଛାତ୍ରାବାସ ଆଗ ପାର୍ଶ୍ବରେ ପାଚେରି ଥିବାବେଳେ ବାକି ତିନିପାଖ ମୁକୁଳା ପଡ଼ିଛି। ଫାଟକ ବନ୍ଦ ହେଉ ନଥିବାରୁ ଅଣଛାତ୍ର ବିନାବାଧାରେ ପଶିପାରୁଛନ୍ତି। ଉଚ୍ଚତା ନ ଥିବାରୁ ରାତି ବା ଅନ୍ୟ ସମୟରେ ଦରକାର ପଡ଼ିଲେ ପାଚେରି ଡେଇଁ ବି ପ୍ରବେଶ କରୁଛନ୍ତି। ଅଣଛାତ୍ର ଛାତ୍ରାବାସରେ ପ୍ରବେଶ କରିବା ସହ ରୁମ୍‌ରେ ଆଡ୍ଡା ଜମାଉଛନ୍ତି। ପୁଣି କିଛି ଅଣଛାତ୍ର ନିଜକୁ ପୁରାତନ ଛାତ୍ର ଦର୍ଶାଇ ଛାତ୍ରାବାସରେ ରହୁଥିବା‌ ମଧ୍ୟ ନଜରକୁ ଆସିଛି। ଏହାକୁ ରୋକିବାଲାଗି ଆବଶ୍ୟକ ଦୃଢ଼ତା କର୍ତ୍ତୃପକ୍ଷଙ୍କର ନଥିବାରୁ ‌ଏହାକୁ ଏକପ୍ରକାର ଗ୍ରହଣ କରି ନେଇଛନ୍ତି। ପ୍ରତି ଛାତ୍ରାବାସର ପ୍ରବେଶ ପଥରେ ସିସିଟିଭି ଲଗାଇ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଲଗା ଯାଉଥିବା ସିସିଟିଭି ରହସ୍ୟମୟ ଭାବେ ତୁରନ୍ତ ଖରାପ ହୋଇଯାଉଛି ବା ତା’କୁ ‌ବାଡ଼େଇ ଭାଙ୍ଗି ଦିଆ ଯାଉଛି। କ୍ୟାମ୍ପସ ସାରା ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ମଧ୍ୟ ସେମାନେ କେବଳ ନାମକୁ ମାତ୍ର ଠିଆ ହୋଇ ରହୁଛନ୍ତି। ସେମାନେ ଯାଞ୍ଚ କରିବାଲାଗି ପରିଚୟପତ୍ର ମାଗିବାକୁ ସାହସ ମଧ୍ୟ କରୁ ନାହାନ୍ତି। ତେଣୁ ଅଣଛାତ୍ରଙ୍କୁ ଅଟକାଇବେ ବା କେମିତି?

ଗତ ୧୦ ବର୍ଷ ମଧ୍ୟରେ ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତଡ଼ିବାକୁ ବିଭିନ୍ନ ଯୋଜନା ହୋଇଥିଲେ ମଧ୍ୟ ସେତେଟା ଆଖିଦୃଶିଆ ସଫଳତା ମିଳିପାରି ନାହିଁ। ସେହି ୨୦୧୯ର ଘଟଣାରେ ୭ ନମ୍ବର ଛାତ୍ରାବାସରୁ ଜୁଆଆଡ୍ଡା ଠାବ ସହ ୪୫୦ ଅଣଛାତ୍ର ତଡ଼ା ଖାଇଥିଲେ। ଏହାପରେ ବାକି ହଷ୍ଟେଲଗୁଡ଼ିକ ପ୍ରସଙ୍ଗରେ ତତ୍‌କାଳୀନ ବିଶ୍ବବିଦ୍ୟାଳୟ କୁଳସଚିବ କେୟାର ଟେକରମାନଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ‌ କରିଥିଲେ। ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ବି ନୋଟିସ ଜାରି ହୋଇଥିଲା। କେଉଁ ହଷ୍ଟେଲରେ କେତେ ଅଣଛାତ୍ର ରହୁଛନ୍ତି, କେତେ ଅଣଛାତ୍ର କେବଳ ଦିନରେ ଆସି ରହୁଛନ୍ତି, କେଉଁଠି ମଦ ଆସର କିମ୍ବା ଜୁଆଖେଳ ଚାଲୁଛି- ଏସବୁର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଉକ୍ତ ନିର୍ଦ୍ଦେଶର ଉତ୍ତର ଆସିଥିଲା କି ନା, ଯଦି ଆସିଥିଲା, ତେବେ ସେଥିରେ କ’ଣ ଲେଖାଥିଲା- ତାହା ଆଜିଯାଏ ରହସ୍ୟରେ ରହି ଯାଇଛି।

ସମ୍ବନ୍ଧିତ ଖବର