ଫୁଲ ଆଉ ମିଠା ବଜାର ସରଗରମ: ଖୋଜା ପଡ଼ିଲା ପଦ୍ମଫୁଲ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଆଜି ସରଗରମ ହୋଇଉଠିଥିଲା ରାଜଧାନୀର ମିଠା ଓ ଫୁଲ ବଜାର। ଅପରାହ୍ନ ୨ଟା ପର୍ଯ୍ୟନ୍ତ ସହରରେ ସବୁ ଶୂନଶାନ ଥିବା ବେଳେ ଅପରାହ୍ନରେ କିନ୍ତୁ ଉତ୍ସବର ପରିବେଶ ବାରି ହୋଇପଡ଼ିଥିଲା। ବିଜୟୀ ପ୍ରାର୍ଥୀଙ୍କୁ କିଏ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥିଲେ ତ’ ଆଉ କିଏ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରୁଥିଲେ। କେବଳ ପ୍ରାର୍ଥୀଙ୍କ ପାଖରେ ନୁହେଁ, ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା କର୍ମୀମାନେ ମଧ୍ୟ ବିଭିନ୍ନ କଲୋନି, ସଂଘ ଘରେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଥିଲେ।

ଆଜିର ମାହୋଲକୁ ଦୃଷ୍ଟିରେ ରଖି ଫୁଲ ଓ ମିଠା ବ୍ୟବସାୟୀମାନେ ଦୁଇଦିନ ଆଗରୁ ପ୍ରସ୍ତୁତି ଚଳାଇଥିଲେ। ଫୁଲ ବେପାରୀମାନେ ବେଶ୍‌ ଦୁଇ ପଇସା ବେପାର ଆଶାରେ ଦୁଇ ଦିନ ଆଗରୁ ବାହାରୁ ଫୁଲ ଆମଦାନୀ କରି ରଖିଥିଲେ। ଆଜି ଫୁଲ ତୋଡ଼ା ପିଛା ୫ରୁ ୧୦ ଟଙ୍କା ବଢ଼ିଯାଇଥିଲା। ଫୁଲ ବ୍ୟବସାୟୀ ରାଧାମୋହନଙ୍କ କହିବା କଥା, ଆମ ଆକଳନ ଅନୁସାରେ ଆମେ ଅଧିକ ଧଳା ଫୁଲ ଓ ଲିଲିଫୁଲ ଆଣିଥିଲୁ। ଫୁଲତୋଡ଼ା ଅପେକ୍ଷା ଫୁଲ ମାଳର ଚାହିଦା ଅଧିକ ଥିଲା। ଏଥର ମଧ୍ୟ ସନ୍ଧ୍ୟା ବେଳେ ପ୍ରତିଥର ନିର୍ବାଚନ ଫଳାଫଳ ଘୋଷଣା ପର ଭଳି ଫୁଲ ଚାହିଦା ବଢ଼ିଯାଇଥିଲା। ଏଣୁ ଆମେ ଆଗରୁ ପ୍ରସ୍ତୁତ ଥିଲୁ। ଆଜି ଦିନ ଅପେକ୍ଷା ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଦିନ ଅଧିକ ଫୁଲ ବିକ୍ରି ହେବାକୁ ଥିବାରୁ ଆମେ ଆଗୁଆ ୫ରୁ ୮ ଲକ୍ଷ ଟଙ୍କାର ବଇନା ଦେଇଛୁ।
ମିଠା ବ୍ୟବସାୟୀ ମଧ୍ୟ ପୂର୍ବ ରାତିର ବରାଦ ଅନୁସାରେ ମିଠା ପ୍ରସ୍ତୁତ କରି ସାରିଥିଲେ। ସେହିପରି ଅନ୍ୟ ଦିନ ଅପେକ୍ଷା ଅଧିକ ପରିମାଣର ମିଠା ସହରରେ ଲୋଡ଼ା ପଡ଼ିବାରୁ ଅନେକ ସ୍ଥାନରେ ରାତି ପର୍ଯ୍ୟନ୍ତ ମିଠା ତିଆରି କାମ ଚାଲିଥିବା ଦେଖିବାକୁ ମିଳିଥିଲା। ମିଠା ବ୍ୟବସାୟୀ ଲକ୍ଷ୍ମୀକାନ୍ତ ସାହୁଙ୍କ କହିବା କଥା, ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଘରେ ଘରେ ଲୋକ ମିଠା କିଣି ବାଣ୍ଟୁଛନ୍ତି। ତେଣୁ ସଂଧ୍ୟା ୬ଟାରେ ମିଠା ସରିଗଲା। ପୁଣି କାରିଗର ଡାକି ମିଠା ତିଆରି କରିବାକୁ ହୋଇଥିଲା। ଆଜି ବଜାରରେ ବୁନ୍ଦି ଲଡ଼ୁ, ରସଗୋଲା, ଗୋଲାପ ଜାମୁନ ଚାହିଦା ଅଧିକ ଥିଲା।

ଖୋଜା ପଡ଼ିଲା ପଦ୍ମଫୁଲ
ଚଳିତଥର ବିଧାନସଭା ନିର୍ବାଚନରେ ବିଜେପି ଭଲ ଫଳ କରିଛି। ଏ ନେଇ ପୂର୍ବରୁ ଅନେକ ଆକଳନ ଓ ବୁଥ୍‌ ବାହୁଡ଼ା ମତ ସର୍ଭେ କରାଯାଇଥିଲେ ମଧ୍ୟ ଫଳାଫଳ ଏପରି ହେବ ବୋଲି କେହି ଆକଳନ କରିବା କଥା ଛାଡ ଆଶା ମଧ୍ୟ କରି ନଥିଲେ। ହେଲେ ବିଜେପିର ଏଭଳି ଅଭୂତପୂର୍ବ ସଫଳତା ପରେ ସାରା ଓଡ଼ିଶାରେ ପଦ୍ମଫୁଲର ଚାହିଦା ବହୁଗୁଣିତ ହୋଇଯାଇଥିଲା। ବିଜୟ ହାସଲ କରିବା ପରେ ପ୍ରାର୍ଥୀଙ୍କ ପାଖକୁ ଯିବା ପୂର୍ବରୁ ପ୍ରଶଂସକ ମହଲରେ ଖୋଜା ପଡ଼ିଥିଲା ପଦ୍ମଫୁଲ। ପ୍ରଶଂସକ ମାନେ ବିଭିନ୍ନ ଫୁଲ ଦୋକାନ ସମ୍ମୁଖରେ ଗେଣ୍ଡୁ, ମଲ୍ଲୀ, ଡାଲିଆ ବଦଳରେ ଦୋକାନୀଙ୍କୁ ପଦ୍ମଫୁଲ ମାଗିଥିଲେ। ହେଲେ ଦୋକାନୀମାନେ ପୂର୍ବରୁ ଏ ନେଇ ପ୍ରସ୍ତୁତ ନଥିବାରୁ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇ ନଥିଲେ। ପାଖରେ ଯେତିକି ଫୁଲ ଥିଲା ସେମାନେ ତାକୁ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଥିଲେ। ଅନ୍ୟ ଫୁଲରେ ତିଆରି ତୋଡ଼ା ମଧ୍ୟରେ ଗୋଟିଏ ପଦ୍ମ ଫୁଲ ରଖି ତାହାକୁ ୭ଶହରୁ ହଜାରେ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାବକୁ ମିଳିଥିଲା। ଭୁବନେଶ୍ୱର ସମେତ, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର ଭଳି ଏକାଧିକ ସ୍ଥାନରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର