ଲୁଣା-ଖଣ୍ଡିଆବନ୍ଧ ରାସ୍ତା କାମକୁ ନେଇ ଛକାପଞ୍ଝା

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତର ଲୁଣା-ଖଣ୍ଡିଆବନ୍ଧ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ରାସ୍ତାର ୮୦ ପ୍ରତିଶତ ଅଂଶ କଂକ୍ରିଟ୍‌ ହୋଇସାରିଥିଲେ ହେଁ ବାକି ଅଂଶ ସେମିତି ପଡ଼ିଛି। ପ୍ରାୟ ୩୦୦ ମିଟର ଦୈର୍ଘ୍ୟର ରାସ୍ତା ଗୋଷ୍ଠୀ କନ୍ଦଳ ଯୋଗୁ କଂକ୍ରିଟ୍‌ ହୋଇପାରୁନାହିଁ। ସରପଞ୍ଚ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ବିରୋଧୀ ପକ୍ଷଙ୍କ ଅଭିଯୋଗ ପାଇଁ କାମ ଆଗେଇ ପାରୁନାହିଁ। ଏବେ ପୁଣି ଉକ୍ତ କାମ ଚର୍ଚ୍ଚାକୁ ଆସିଛି।

ଆଜି ସରପଞ୍ଚ ବିଷ୍ଣୁପ୍ରିୟା ସାହୁ ଏନେଇ ଏକ ଜରୁରୀକାଳୀନ ବୈଠକ ଡାକିବାକୁ ମାଇକ୍‌ରେ ପ୍ରଚାର କରାଇଛନ୍ତି। ରବିବାର ପୂର୍ବାହ୍ଣ ୧୦ଟାରେ ଏହି ବୈଠକ ହେବ ଏବଂ ସମସ୍ତ ୱାର୍ଡର ଅଧିବାସୀମାନେ ଯୋଗ ଦେବାକୁ ସେ ଅନୁରୋଧ କରି ମାଇକ୍‌ରେ ପ୍ରଚାର କରାଇଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ କହିବା କଥା କିଛି ଲୋକ କାମ ବନ୍ଦ କରାଉଛନ୍ତି। ବ୍ଲକ୍‌ରେ ବାରମ୍ବାର ଅଭିଯୋଗ କରି କାମ କରାଇଦେଉନାହାନ୍ତି। ଆଉ ମାତ୍ର ୩୦୦ ମିଟର କାମ ବାକି ପଡ଼ିଛି। ତେଣୁ ପଞ୍ଚାୟତବାସୀ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ହୋଇଥିବା କାମର ସମୀକ୍ଷା କରିବା ସହ ବାକି ଥିବା କାମ କିଭଳି ଶେଷ ହେବ, ସେଥିପାଇଁ ବିଚାରବିମର୍ଶ କରିବାକୁ ସେ ଏହି ବୈଠକ ଡକାଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କୁ ବିରୋଧ କରୁଥିବା ଯୁବ ଗୋଷ୍ଠୀଙ୍କ କହିବାନୁସାରେ ଯେତିକି ରାସ୍ତା ନିର୍ମାଣ କରାଯାଇଛି, ସେଥିରେ ବହୁ ଅନିୟମିତତା କରାଯାଇଛି। ସିମେଣ୍ଟ, ଚିପ୍‌ସ ଓ ବାଲି ଭାଗମାପରେ ଠିକ୍‌ କରାଯାଇନାହିଁ। କାର୍ଯ୍ୟରେ ସ୍ବଚ୍ଛତା ଦୃଷ୍ଟିରୁ ସେମାନେ ବ୍ଲକ୍‌ ପ୍ରଶାସନକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଛନ୍ତି। ତେଣୁ କାମରେ ହୋଇଥିବା ଅନିୟମିତତାକୁ ଲୁଚାଇବା ପାଇଁ ସେମାନଙ୍କୁ ବଦନାମ କରିବାକୁ ସରପଞ୍ଚ ଅପଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଏହି ଘଟଣା ଏବେ ବ୍ଲକ୍‌ରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର