ଚିନ୍ତା ବଢ଼ାଇଲାଣି ଭୁବନେଶ୍ବର-କଟକ ଟ୍ରାଫିକ୍‌ ପରିଚାଳନା: ପୁଣି ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‌ ଦାୟିତ୍ବ

ଚନ୍ଦ୍ରଶେଖରପୁର: ପୂର୍ବାହ୍ନ ୧୧ଟା। ପିକ୍‌ ଆୱାର। ମାତ୍ର ଇନ୍‌ଫୋ‌ସିଟି ଟ୍ରାଫିକ୍‌ ଛକରେ ନାହାନ୍ତି ପୁଲିସ। ମୁକୁଳା ପଡ଼ିଛି ଟ୍ରା‌ଫିକ୍‌ ପୋଷ୍ଟ। ଯିଏ ଯୁଆଡ଼େ ପାରୁଛନ୍ତି, ଯାଉଛନ୍ତି। ଗାଡ଼ିଚାଳକ ମନ ଇଚ୍ଛା ଯିବା ଆସିବା କରୁଥିବାରୁ ଦୁର୍ଘଟଣା ହେଉଛି। କେବଳ ପୂର୍ବାହ୍ନ ନୁହେଁ, ସନ୍ଧ୍ୟା ସମୟରେ ବି ସମାନ ଅବସ୍ଥା। ଏହା ଭୁବନେଶ୍ବରର ମାତ୍ର ଗୋଟିଏ ଟ୍ରାଫିକ୍‌ ଛକର ଦୃଶ୍ୟ। ଏମିତି ସହରର ଅନେକ ଛକରେ ଟ୍ରାଫିକ୍‌ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ପୁଲିସ। କେଉଁଠି ହୋମଗାର୍ଡ ତ ଆଉ କେଉଁ ଛାତ୍ରଛାତ୍ରୀଙ୍କ କାନ୍ଧରେ ଟ୍ରାଫିକ୍‌ ପରିଚାଳନା ଭାର ଧରାଇ ଦିଆଯାଇଛି। ଦିନକୁ ଦିନ ସହରର କଳେବର ବଢ଼ୁଥିବାରୁ ପ୍ରତି ୨ରୁ ୩ କିମି ଭିତରେ ଟ୍ରାଫିକ୍‌ ଛକ କରାଯାଉଛି। ମାତ୍ର ସେଠାରେ ପୁଲିସ ନାହାନ୍ତି। ଆଉ ଯେଉଁଠି ବି ରହୁଛନ୍ତି, ତାହା ଯଥେଷ୍ଟ ନୁହେଁ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ ଟ୍ରାଫିକ୍‌ ପୁଲିସ ପଦବି ପୂରଣ ହେଉ ନ ଥିବାରୁ ସମସ୍ୟା ଏବେ ଜଟିଳ ହେବ‌ାରେ ଲାଗିଛି। ସେପଟେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ କାନ୍ଧରେ ଟ୍ରାଫିକ୍‌ ପରିଚାଳନା ଭାର ଦେବାକୁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି।

ଚିନ୍ତା ବଢ଼ାଇଲାଣି ଭୁବନେଶ୍ବର-କଟକ ଟ୍ରାଫିକ୍‌ ପରିଚାଳନା
ନିୟୋଜିତ ହେବେ ୩୭୦ ‘ଛାତ୍ର/ଛାତ୍ରୀ ସ୍ବେଚ୍ଛାସେବୀ’
ଟ୍ରାଫିକ୍‌ ନିୟନ୍ତ୍ରଣ ବେଳେ କ୍ଷତିଗ୍ରସ୍ତ ହେଲେ କେହି ଦାୟୀ ରହିବେନି

ଭୁବନେଶ୍ବର ସହରାଞ୍ଚଳ ଆରକ୍ଷୀ ଜିଲ୍ଲାରେ ୨୫୦ ଓ କଟକ ସହରାଞ୍ଚଳ ଆରକ୍ଷୀ ଜିଲ୍ଲାରେ ୧୨୦ଜଣ ‘ଛାତ୍ର/ଛାତ୍ରୀ ସ୍ବେଚ୍ଛାସେବୀ’ଙ୍କୁ ନିୟୋଜିତ କରିବାକୁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି। ଯେଉଁମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଭୁବନେଶ୍ବର କିମ୍ବା କଟକର ଯେକୌଣସି ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ଛାତ୍ର/ଛାତ୍ରୀ ହୋଇଥିବା ନିତାନ୍ତ ଆବଶ୍ୟକ। ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ। ଶାରୀରିକ, ମାନସିକ ଓ ସ୍ବାସ୍ଥ୍ୟଗତ ଭାବେ ଟ୍ରାଫିକ୍‌ ପରିଚାଳନା ପାଇଁ ସେ ସକ୍ଷମ ହୋଇଥିବେ। ପ୍ରାର୍ଥୀଙ୍କ ନାମରେ କୌଣସି ଜାତୀୟ ବ୍ୟାଙ୍କରେ ଜମାଖାତା ଥିବା ଦରକାର। ପ୍ରତି ଛାତ୍ର/ଛାତ୍ରୀ ଟ୍ରାଫିକ୍‌ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ କରିବାର ଅବଧି ଏକ ବର୍ଷ ପର୍ଯ୍ୟନ୍ତ ରହିବ। ତାଙ୍କ କାର୍ଯ୍ୟ କରିବାର କ୍ଷମତା ଓ ଅନୁଶାସନକୁ ଦେଖି ବୃଦ୍ଧି କରାଯାଇପାରେ।

ଏହା ଏକ ସ୍ଥାୟୀ ନିଯୁକ୍ତି ନୁହେଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଦର୍ଶାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ଯେ କୌଣସି ଛାତ୍ର/ଛାତ୍ରୀ ଟ୍ରାଫିକ୍‌ ସ୍ବେଚ୍ଛାସେବୀ ଟ୍ରାଫିକ୍‌ ନିୟନ୍ତ୍ରଣ ସମୟରେ ଯଦି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୁଅନ୍ତି, ସେଥିପାଇଁ କୌଣସି ପୁଲିସ ଅଧିକାରୀ ଦାୟୀ ରହିବେ ନାହିଁ। ଏଭଳି ନିୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗୋଟିଏ ପଟେ ଟ୍ରାଫିକ୍‌ ପରିଚାଳନାରେ ସହଯୋଗ କରୁଥିବା ବେଳେ ଅନ୍ୟପଟେ କୌଣସି ଦୁର୍ଘଟଣା ହେଲେ କେହି କିଭଳି ଦାୟୀ ରହିବେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଆହୁରି କୁହାଯାଇଛି ଯେ ଟ୍ରାଫିକ୍‌ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସ୍ବେଚ୍ଛାସେବୀମାନେ ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶ ମାନିବେ। ନିଜ ଇଚ୍ଛା ମୁତାବକ କୌଣସି କାର୍ଯ୍ୟ କରିବେ ନାହିଁ।

ଆବେଦନ ସମୟରେ ନିଜ ପସନ୍ଦର ୩ଟି ଟ୍ରାଫିକ୍‌ ଛକରେ କାମ କରିବାକୁ ନାମ ଦେଇପାରିବେ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ନ ହେଲେ ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରୁ ଗୋଟିଏ ସମୟକୁ ସେମାନଙ୍କୁ ବାଛିବାକୁ ପଡ଼ିବ। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନ ଥିବା ଆବଶ୍ୟକ। ଉତ୍ତମ ଚରିତ୍ର ହୋଇଥିବା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ଦ୍ବାରା ଦରଖାସ୍ତରେ ଅନୁପ୍ରାଣିତ ହୋଇଥିବେ। ପ୍ରାର୍ଥୀ କେବେ ନିଜ କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରକାରର ଆନ୍ଦୋଳନାତ୍ମକ/ବିକ୍ଷୋଭ ପ୍ରଦର୍ଶନ କରିବେ ନାହିଁ। ପ୍ରାର୍ଥୀ କାର୍ଯ୍ୟ କରୁଥିବା ସମୟରେ ପଥଚାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହ ନିଜେ ଅନୁଶାସିତ ହୋଇ ରହି‌ବେ। କାର୍ଯ୍ୟରତ ସମୟରେ କମିସନରେଟ୍‌ ପୁଲିସ ଲୋଗୋ ଥିବା ଟି-ସାର୍ଟ ଓ ଟୋପି ପରିଧାନ କରିବେ। କୌଣସି ଛାତ୍ରଛାତ୍ରୀ ଟ୍ରାଫିକ୍‌ ନିୟମାବଳୀ ଉଲ୍ଲଂଘନ କିମ୍ବା ବିଶୃଙ୍ଖଳା କାର୍ଯ୍ୟ କଲେ, ସେମାନଙ୍କୁ ବହିଷ୍କାର କରାଯିବ।

ସୂଚନା‌ ଅନୁଯାୟୀ ବର୍ତ୍ତମାନ ସହରର କଳେବରକୁ ଦେଖିଲେ ରାଜଧାନୀ ପାଇଁ ପାଖାପାଖି ଏକ ହଜାର ଟ୍ରାଫିକ୍‌ ପୁଲିସ ଆବଶ୍ୟକ। କାରଣ ଟ୍ରାଫିକ୍‌ ପୁଲିସ ଅଧିକାରୀମାନେ ଟ୍ରାଫିକ୍‌ ପୋଷ୍ଟରେ ରହିବା ସହ ଜରିମାନା ଆଦାୟ କରିବା ଭଳି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବିଧାନସଭା କିମ୍ବା କୌଣସି ବଡ଼ଧରଣ ଆନ୍ଦୋଳନ ହେଲେ କଥା ସରିଲା। ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସର ଅଭାବ ପରିଲକ୍ଷିତ ହେଉଛି। ଆବଶ୍ୟକତା ତୁଳନାରେ ପାଖାପାଖି ୫୦% କମ୍‌ ଟ୍ରାଫିକ୍‌ ପୁଲିସ ରହିଛନ୍ତି।

ସମ୍ବନ୍ଧିତ ଖବର