ଅସୁରକ୍ଷିତ ରାଜଧାନୀ : ଫନି ପରେ ଲୁଟେରା ସକ୍ରିୟ, ୨୦ ଦିନରେ ୫୦ ଲୁଟ୍

ଦୁଷ୍କର୍ମ କରିବାକୁ ମଧ୍ୟ ପଛାଉ ନାହାନ୍ତି, ଲୁଟେରାଙ୍କ ଟାର୍ଗେଟରେ ନିକାଞ୍ଚନ ଅଞ୍ଚଳ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫନି ପରେ ପରେ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଚଳିତ ମାସରେ ମାତ୍ର ୨୦ ଦିନ ମଧ୍ୟରେ ଲୁଟେରା ଗ୍ୟାଙ୍ଗ୍ ଏଭଳି ଆତଙ୍କ ଖେଳାଇଲେଣି ଯେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଲୁଟେରାମାନେ କେଉଁଠି ଝରକା କିମ୍ବା ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ବୋହି ନେଲେଣି ତ କେଉଁଠି ଘରେ ପଶି ହାତଗୋଡ଼ ବାନ୍ଧି ଡକାୟତି କଲେଣି। କାର୍‌ ଚାଳକଙ୍କୁ କଟୁରିରେ ହାଣି ଟଙ୍କା ଗହଣା ଛଡ଼ାଇ ନେଉଛନ୍ତି ତ କେଉଁଠି ଚେନ୍‌ ଝାମ୍ପି ନେଉଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ ଲୁଟେରାମାନେ ଇଜ୍ଜତ ନେବାକୁ ମଧ୍ୟ ପଛାଉନାହାନ୍ତି। ଘରେ ରହୁଥିବା ଏକୁଟିଆ ଝିଅ, ବୋହୂଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ କରୁଛନ୍ତି। ପ୍ରତ୍ୟେକ ଦିନ ରାଜଧାନୀରେ ଏଭଳି ଅଭାବନୀୟ ଘଟଣା ଘଟୁଛି। ଯାହାକୁ ନେଇ ରାଜଧାନୀବାସୀ ଚିନ୍ତିତ। ଏଣେ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରି ନପାରିବା କିମ୍ବା ଗିରଫ ହେଉଥିବା ଲୁଟେରା ଗ୍ୟାଙ୍ଗ୍ ଉପରେ କମିସନରେଟ ପୁଲିସ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ତାହା ନ କରିବାରୁ ଲୁଟେରା ଗ୍ୟାଙ୍ଗ୍ ଉପରମୁହାଁ ହୋଇଯାଇଛନ୍ତି। ଫଳରେ ଏଭଳି ଲୁଟପାଟ ଭଳି ଅପରାଧ ରାଜଧାନୀରେ ବଢ଼ି ବଢ଼ି ଚାଲିଛି। ଏଥିରେ ପୁଲିସର ଦୁର୍ବଳତା ଜଳଜଳ ହୋଇ ଦେଖାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ କମିସନରେଟ ପୁଲିସର ବଡ଼ ବାବୁମାନେ ଏ ନେଇ ମୁହଁ ଖୋଲୁନାହାନ୍ତି।

କମିସନରେଟ ପୁଲିସର ଜଣେ ଅଧିକାରୀଙ୍କଠାରୁ ଯାହା ସୂଚନା ମିଳିଛି, ତାହା ଅତ୍ୟନ୍ତ ଚାଞ୍ଚଲ୍ୟକର। ଗତ ମାସ(ଅର୍ଥାତ ଫନି ପରେ) ରାଜଧାନୀରେ ଏଭଳି ଲୁଟପାଟ ଓ ଛିନତାଇ ଆରମ୍ଭ ହୋଇଛି। ପୁଲିସ ଫନି ପାଇଁ ବ୍ୟସ୍ତ ରହିଲା। ଏହି ସୁଯୋଗରେ ଭୁବନେଶ୍ବର ବାହାରୁ କେତେକ ଲୁଟେରା ଗ୍ୟାଙ୍ଗ ଏଠାକୁ ଚାଲି ଆସିଛନ୍ତି। ସେହି ଗ୍ୟାଙ୍ଗ ଏବେ ଲୁଟପାଟ କରି ଆତଙ୍କ ଖେଳାଉଛି। ବିଦ୍ୟୁତ୍‌ କାଟ ମଧ୍ୟ ସିନ୍ଧିଚୋରି କରିବାକୁ ସୁବିଧା କରୁଛି। ବିଶେଷକରି ରାଜଧାନୀରେ ଥିବା ନିକାଞ୍ଚନ ଜାଗାକୁ ଏହି ଲୁଟେରା ଗ୍ୟାଙ୍ଗ ସଦସ୍ୟ ଟାର୍ଗେଟ୍‌ କରି ରାତିରେ କଳାକନା ବୁଲାଉଛନ୍ତି। ଖଣ୍ଡଗିରି, ସହିଦନଗର, ମଞ୍ଚେଶ୍ବର, ତମାଣ୍ଡୋ, ଧଉଳି, ଏୟାରଫିଲଡ୍‌ ଅଞ୍ଚଳରେ ଏଭଳି ଅଧିକାଂଶ ଘଟଣା ଘଟି ଚାଲିଛି। ଅନେକ ଘଟଣା ଗଣମାଧ୍ୟମ ସମ୍ମୁଖକୁ ମଧ୍ୟ ଆସୁନାହିଁ। ଏହି ସବୁ ଘଟଣା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗତ କ୍ରାଇମ୍‌ ମିଟିଂରେ ପୁଲିସ ମଧ୍ୟ ସ୍ବୀକାର କରିଛି କି, ରାଜଧାନୀରେ ଚୋରି, ସିନ୍ଧିଚୋରି, ଛିନତାଇ, ଲୁଟପାଟ, ରାହାଜାନୀ ଭଳି ଘଟଣା ବଢ଼ି ଚାଲିଛି। କେବଳ ଚଳିତ ମାସରେ ଆଜିର ତାରିଖ ଯାଏ ପାଖାପାଖି ୫୦ଟି ଛିନତାଇ, ଲୁଟ, ସିନ୍ଧିଚୋରି ଓ ରାହାଜାନୀ ଭଳି ଘଟଣା ଘଟି ସାରିଲାଣି। ଗତ ମାସରେ ୨୫୦ରୁ ଅଧିକ ଏଭଳି ଘଟଣା ଘଟିଥିଲା। ଯାହାକି କମିସନରେଟ ପୁଲିସ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି।

ପ୍ରମୁଖ ଲୁଟ୍‌ ଓ ସିନ୍ଧିଚୋରି ଘଟଣା

ବାଲିଅନ୍ତା ଥାନା ଅଧୀନ ଫୁଲନଖରା ଛକରୁ ଇଣ୍ଡିଆନ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ଲକ୍ଷ ଟଙ୍କା ଲୁଟ
ଖଣ୍ଡଗିରି ଥାନା ଅଧୀନ ଘାଟିକିଆ ଅଞ୍ଚଳରେ ସୁଚିତ୍ରା ମିଶ୍ର ନାମକ ଜଣେ ଶିକ୍ଷୟିତ୍ରୀଙ୍କୁ କଟୁରିରେ ହାଣି ୫ଲକ୍ଷ ଟଙ୍କା ଗହଣା ଲୁଟ୍
ସହିଦନଗର ଥାନା ଅଧୀନ କେଶୁରା ଆଶୁତୋଷ ନଗର ଲେନ-୪ରେ ରହୁଥିବା ବିଶ୍ବରଂଜନ ମହାପାତ୍ର ନାମକ ଜଣେ ସଫ୍ଟୱେର୍‌ ଇଂଜିନିୟରଙ୍କ ଘରେ ନିଶା ସ୍ପ୍ରେ’ କରି ୮ଲକ୍ଷ ଟଙ୍କାର ଗହଣା ଚୋରି
ଖଣ୍ଡଗିରି ଥାନା ଅଧୀନ ବରବାରି ଅଞ୍ଚଳରେ ରହୁଥିବା ଜଣେ ନୌସେନା ଅଧିକାରୀଙ୍କ ପତ୍ନୀଙ୍କ ଘରେ ପଶି ଗହଣା ଲୁଟ କରିବା ସହ ଅସଦାଚରଣ ଉଦ୍ୟମ
ମଞ୍ଚେଶ୍ବର ଥାନା ଅଧୀନ ଚକେଇସିଆଣିରେ ରହୁଥିବା ପ୍ରଫେସର ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ଘରେ ପଶି ୮ଭରି ଗହଣା, ଟଙ୍କା ଓ ଦାମୀ ସାମଗ୍ରୀ ଚୋରି
ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ପ୍ରାଚୀ ବିହାରରେ ରହୁଥିବା ସରୋଜ ପଣ୍ଡାଙ୍କ ଘରେ ପଶି ୨ଲକ୍ଷ ଟଙ୍କା ଓ ଗହଣା ଚୋରି
ନୂଆପଲ୍ଲୀ ଥାନା ଅଧୀନ ପାଲ ହାଇଟ୍ସ ନିକଟରେ ରହୁଥିବା ଓମ୍‌ ପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ୧୫ଲକ୍ଷ ଟଙ୍କାର ଗହଣା ଚୋରି
ମଞ୍ଚେଶ୍ବର ଥାନା ଅଧୀନ କଳାଝରୀ ଗ୍ରାମ ଦିନା ସାମଲ ଓ ଦେବରାଜ ପୃଷ୍ଟିଙ୍କ ଘରୁ ଡକାୟତି, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌

ସମ୍ବନ୍ଧିତ ଖବର