ଫୁଟ୍‌ପାଥ୍‌ରେ ଗଡ଼ିଲେ ମାତାଲ ମହିଳା

ଭୁବନେଶ୍ବର : ରାଜଭବନ ଛକ ନିକଟ ବସ୍‌ ବେ’ ପାଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ନିଶାସକ୍ତ ଅବସ୍ଥାରେ ଜଣେ ମଧ୍ୟବୟସ୍କା ମହିଳା ଦୀର୍ଘ ସମୟ ଧରି ଫୁଟ୍‌ପାଥରେ ଗଡ଼ୁଥିଲେ ହେଁ ତାଙ୍କୁ ଉଦ୍ଧାର କରାଯାଇ ନଥିଲା। ମହିଳାଙ୍କ ଗୋଡ଼ ଓଢଣିରେ ବନ୍ଧା ହୋଇଥିବାରୁ ସେହି ବାଟ ଦେଇ ଯାଉଥିବା ଅନ୍ୟ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାତାଲ ମହିଳାଜଣକ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଦେହରେ ହାତ ନମାରିବାକୁ ଧମକାଇଥିଲେ। ଏହା ଦେଖି ସେଇବାଟ ଦେଇ ଯାଉଥିବା ଲୋକଙ୍କ ଭିଡ଼ ଜମି ଯାଇଥିଲା। ପିସିଆର୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ମହିଳାଙ୍କୁ ଦେଖିବା ପରେ ପିସିଆର୍‌ ବି ତାଙ୍କୁ ସାଙ୍ଗରେ ନେଇନଥିଲା। କେହି ଜଣେ ଆମ୍ବୁଲାନ୍ସକୁ ଫୋନ୍‌ କରିବା ପରେ ଆମ୍ବୁଲାନ୍‌ସ ପହଞ୍ଚିଥିଲା। କିନ୍ତୁ ସେଥିରେ ମହିଳାଙ୍କୁ ମେଡିକାଲ୍‌ ନେବାକୁ ଆମ୍ବୁଲାନ୍ସ କର୍ମଚାରୀ ଅମଙ୍ଗ ହୋଇଥିଲେ।

ପିସିଆର୍‌ର ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ମହିଳାଜଣକ ଅଭ୍ୟାସଗତ ଭାବେ ଏପରି ମାତାଲ ଅବସ୍ଥାରେ ବିଭିନ୍ନ ସ୍ଥାନରେ ପଡ଼ି ରୁହନ୍ତି। ତାଙ୍କ ଘର ନୂଆପଲ୍ଲୀ ଅଞ୍ଚଳରେ। ବାରମ୍ବାର ଏପରି କାଣ୍ଡ କରୁଥିବାରୁ ପୂର୍ବରୁ ଅନେକବାର ପିସିଆର୍ ତାଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିବାକୁ ଚେଷ୍ଟା କରିଛି। କିନ୍ତୁ ମହିଳାଜଣକ ବସିବା ପରେ ଗାଡ଼ିର କାଚକୁ ବାଡ଼େଇ ଭାଙ୍ଗିବାକୁ ଚେଷ୍ଟା କରନ୍ତି। ଏପରିକି ତାଙ୍କ ଘରେ ନେଇ ଛାଡ଼ିବାକୁ ସମ୍ପୃକ୍ତ ମହିଳାଙ୍କ ପଡ଼ିଶା ଘର ଲୋ‌େକ ପୁଲିସ୍‌କୁ ବାରଣ କରିଛନ୍ତି। ୬ ନମ୍ବର ମେଡିକାଲ୍‌କୁ ନେଲେ ସେଠାରେ ଖରାପ ବ୍ୟବହାର ଦେଖାଉଥିବାରୁ ଡାକ୍ତରମାନେ ତାଙ୍କ ଚିକିତ୍ସା କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି।

ସମ୍ବନ୍ଧିତ ଖବର