ରାତିରେ ଭୋଜିଭାତ, ସକାଳେ ଆତ୍ମହତ୍ୟା

ଭୁବନେଶ୍ବର : ରାତିରେ ପଡ଼ୋଶୀଙ୍କ ସହ ଭୋଜିଭାତ କଲେ। ଖାଇ ପିଇ ମଜାମସ୍ତି କଲେ। ହେଲେ ସକାଳକୁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ରାତିର ଉତ୍ସାହ ସକାଳକୁ ନଥିଲା। ରାତିରେ ଭୋଜିଭାତରେ ମସଗୁଲ୍‌ ଥିବା ମହିଳାଙ୍କ ଝୁଲନ୍ତା ଶବ ସମସ୍ତଙ୍କୁ ହତବାକ୍‌ କରିଦେଇଥିଲା। ମଞ୍ଚେଶ୍ବର ଥାନା ଭାଗବତ ସନ୍ଧାନ ଲେନ୍‌-୫ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଜଣଙ୍କ ହେଲେ ପ୍ରଜ୍ଞାପରମିତା ଦାସ(୩୪)। ଏନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଛି।

ସୂଚନା ମୁତାବକ, ୭ ବର୍ଷ ତଳେ ସତ୍ୟନାରାୟଣ ଧଳଙ୍କୁ ବିବାହ କରିଥିଲେ ପ୍ରଜ୍ଞା। ୪ ବର୍ଷର ଛୋଟିଆ ପୁଅ ସହ ଏହି ଦମ୍ପତି ଭାଗବତ ସନ୍ଧାନରେ ବେଶ୍‌ ହସଖୁସିରେ ଚଳି ଆସୁଥିଲେ। ମଝିରେ ମଝିରେ ପଡ଼ୋଶୀଙ୍କ ସହ ମିଶି ସେ ଭୋଜିଭାତ କରନ୍ତି। ବୁଧବାର ରାତିରେ ବି ଭୋଜିଭାତ ହୋଇଥିଲା। ତେବେ ଭୋଜି ସରୁ ସରୁ ରାତି ଅଧିକ ହୋଇଯିବାରୁ ତିନିଜଣଯାକ ପଡ଼ୋଶୀଙ୍କ ଘରେ ରହିଯାଇଥିଲେ। ସ୍ବାମୀ, ପୁଅ ଶୋଇଥିବା ବେଳେ ଭୋରୁ ଭୋରୁ ପ୍ରଜ୍ଞା ତାଙ୍କ ଘରକୁ ଚାଲିଆସିଥିଲେ। ସତ୍ୟନାରାୟଣ ସକାଳ ପ୍ରାୟ ୮ଟା ବେଳକୁ ଘରକୁ ଯାଇଥିଲେ। କିନ୍ତୁ ଯେତେ ବାଡ଼େଇଲେ ବି ପ୍ରଜ୍ଞା କବାଟ ଖୋଲିନଥିଲେ। ସନ୍ଦେହ ହେବାରୁ ସତ୍ୟ ଝରକା ପଟେ ଉଣ୍ଡିବାରୁ ପ୍ରଜ୍ଞା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେ ପାଟି କରି ପଡ଼ୋଶୀଙ୍କୁ ଡାକିବା ସହ କବାଟ ଭାଙ୍ଗି ପ୍ରଜ୍ଞାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ପିଣ୍ଡରେ ଆଉ ପ୍ରାଣ ନଥିଲା। ଖବର ପାଇ ମ‌ଞ୍ଚେଶ୍ବର ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତେବେ ରାତିରେ ଖୁସିବାସିରେ ଭୋଜିଭାତରେ ସାମିଲ ହୋଇଥିବା ପ୍ରଜ୍ଞାଙ୍କ ସହ ସକାଳୁ ଏମିତି କି’ ଘଟଣା ଘଟିଗଲା ଯେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ, ତାହା ସମସ୍ତଙ୍କ କଳ୍ପନା ବାହାରେ। ତାଙ୍କ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଝିଅ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ତାଙ୍କ ବାପା ପ୍ରଦୀପ୍ତ ଦାସ ଥାନାରେ ଅଭିଯୋଗ କରିଥିବା ଆଇଆଇସି ସୁଧୀର କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର