ଅଭଙ୍ଗା କଣ୍ଢେଇ ନିଆରା କାରିଗରୀ

ସସ୍ମିତା ସାହୁ

କ‘ଆ… ଚାଲ୍‌ ତୋର ମୋର କରିବା କଣ୍ଢେଇ ବାହାଘର…
ପୁଅ ମୋର ଆଉ ଝିଅ ‌େତାର…।’

ଣ୍ଢେଇକୁ ନେଇ ଏମିତି କେତେ ଗୀତ, କବିତା, ନାଟକ, ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ତାହାର ହିସାବ ନାହିଁ। କଣ୍ଢେଇ ଆମ ଜୀବନର ପ୍ରଥମ ବନ୍ଧୁ। ପିଲାଟି ଦିନୁ ଯଦି ଆମେ କାହାକୁ ଆଗେ ଚିହ୍ନୁ, ସେ ହେଉଛି ଆମ କଣ୍ଢେଇ। କେବେ ସେ କାଠଘୋଡ଼ା ତ’ କେବେ ପୁଣି ମାଟି ପିତୁଳା। ଯୁଗ ସହ ତାଳ ଦେଇ ଏହି କାଠ, ମାଟି ଓ ପଥର କଣ୍ଢେଇର ସ୍ଥାନ ନେଇଛି ତୁଳୁତୁଳିଆ ଟେଡିବିୟର୍‌, ରବର ସୁନ୍ଦରୀ ବାର୍ବି ଡଲ୍‌ ଓ ପ୍ଲାଷ୍ଟିକ୍‌ ତିଆରି ବାଘ, ଭାଲୁ ଓ ହାତୀ। କିନ୍ତୁ ଓଡ଼ିଶାରେ ଆଉ ଏକ ଧରଣର ପାରମ୍ପରିକ କଣ୍ଢେଇ ବେଶ୍ ଲୋକପ୍ରିୟ, ତାହା ହେଉଛି କାଗଜ ତିଆରି ଅଭଙ୍ଗା କଣ୍ଢେଇ। ଯଦିଓ କାଗଜ କଣ୍ଢେଇ ପ୍ରସ୍ତୁତିର ଧାରା ଏବେ ଶ୍ରୀକ୍ଷେତ୍ର ପୁରୀରେ ସକ୍ରିୟ ରହିଛି, କିନ୍ତୁ କ୍ରମେ ବଜାରରେ ଭର୍ତ୍ତିହୋଇଥିବା ଚିକିମିକିଆ ଦେଶୀବିଦେଶୀ କଣ୍ଢେଇର ଭିଡ଼ରେ ତାହା ସ୍ତିମିତ ହୋଇପଡ଼ୁଥିବା ମନେହୁଏ।

ପୁରୀର କାଗଜ ମୁଖା ଓ କଣ୍ଢେଇ
ପୁରୀରେ ପାରମ୍ପରିକ କାଗଜ ମୁଖା ହସ୍ତଶିଳ୍ପ ବହୁତ ପୁରୁଣା। କାଗଜ, ଅଠା, ମାଟି, କରତ ଗୁଣ୍ଡ, ଖଡ଼ି, ରଙ୍ଗ, ବାନିସୀ, ଶାଗୁ ଓ ମହିଗିରାରେ କାଗଜ ନିର୍ମିତ ଏହି ଅଭଙ୍ଗା କଣ୍ଢେଇ ପ୍ରସ୍ତୁତ ହୁଏ। କାଗଜ ତିଆରି ବାଘ, ହାତୀ, ହରିଣ, ଷଣ୍ଢ ଆଦି ପିଲାଠୁ ବୁଢ଼ା, ସମସ୍ତଙ୍କୁ ବେଶ୍ ଆକର୍ଷିତ କରେ। ଅତୀତରେ ଶିଳ୍ପୀମାନେ କାଗଜ କଣ୍ଢେଇ ଲାଗି ବେଶ୍ ପ୍ରଶଂସା ସାଉଁଟୁଥିଲେ। ମାତ୍ର ଏବେ ସେଇ କଳା ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି।
ପୁରୀରେ ପୂର୍ବରୁ ଚିତ୍ରକର ସାହିର ୧୫ରୁ ଅଧିକ ପରିବାର କାଗଜ ମୁଖା, କଣ୍ଢେଇ, ସବାରୀ, ମନ୍ଦିର ଆଦି ପ୍ରସ୍ତୁତ କରୁଥିଲେ। ପାଳ ସାହି ଓ ବାସେଳି ସାହିରେ ମଧ୍ୟ କିଛି ପରିବାର ଏହି କାରିଗରୀରେ ପାରଙ୍ଗମ ଥିଲେ। ମାତ୍ର ପାରମ୍ପରିକ କଳା ପ୍ରତି ଲୋକେ ମୁହଁ ମୋଡ଼ିବା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଏହି କଳାକୁ ସଂକଟ ଭିତରକୁ ଠେଲିଦେଇଛି। କଣ୍ଢେଇ ଶିଳ୍ପୀ ବିଷ୍ଣୁପ୍ରିୟା ମହାପାତ୍ର ଥରେ ଏକ ସାକ୍ଷାତ୍‌କାରରେ କହିଥିଲେ, ଏହି କଣ୍ଢେଇରେ ପିଲାମାନଙ୍କର ଭାରି ଶ୍ରଦ୍ଧା। ବଡ଼ମାନେ ବି ଘର ସଜେଇବାକୁ କାଗଜ ମୁଖା ଓ କଣ୍ଢେଇ କିଣି ନିଅନ୍ତି। କାଗଜରେ ପ୍ରସ୍ତୁତ ହେଉଥିଲେ ହେଁ ଏହାକୁ ମୂଷା ଓ ଅନ୍ୟ କୀଟ ଯେଭଳି ନଷ୍ଟ ନକରିବେ ସେନେଇ ପ୍ରକ୍ରିୟାକରଣ କରାଯାଉଛି। କିନ୍ତୁ ବଜାର ଦରକୁ ଦେଖିଲେ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ। କ୍ରମେ ଏହି ପାରମ୍ପରିକ କଳା ଆଦର ହରାଉଛି।

‘ଅଭଙ୍ଗା କଣ୍ଢେଇ’ର ଆଧୁନିକ ରୂପକାର ହରିହର
ଆଧୁନିକ ଶୈଳୀରେ କାଗଜରେ ଅଭଙ୍ଗା କଣ୍ଢେଇ ତିଆରି କରି ଓଡ଼ିଶାର କଣ୍ଢେଇ ଶିଳ୍ପକୁ ନୂଆ ଦିଶା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଫକୀରପୁର ନିବାସୀ ହରିହର ସୂତାର। ‘ପେପର ମାଚି’ ଭାବେ ପରିଚିତ ଏହି ହସ୍ତକଳାର ଯାଦୁଗର ହରିହର ୧୯୮୬ରେ ହରିୟାଣାର ସୁରଜକୁଣ୍ଡରେ ହେଉଥିବା ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳାରେ ଯୋଗଦେଇଥିଲେ। ସେଠାରେ ତାମିଲନାଡୁରୁ ଆସିଥିବା ପେପର୍‌ ମାଚି ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ଖୁବ୍‌ ଆକର୍ଷିତ କଲା। ସେ ପୁଡୁଚେରୀର କାଡାଲୋରକୁ ଯାଇ ଜଣେ ଶିଳ୍ପୀଙ୍କଠାରୁ ଏହି କଳା ଶିକ୍ଷା କରି ଓଡ଼ିଶା ଫେରିଥିଲେ। କେନ୍ଦୁଝର ଆସି ସେ ‘ଅଭଙ୍ଗା କଣ୍ଢେଇ’ ଗ୍ରୁପ୍‌ ଗଠନ କରି କଣ୍ଢେଇ ପ୍ରସ୍ତୁତ କରିବା ସହ ଲୋକମାନଙ୍କୁ ଏହା ଶିଖାଉଛନ୍ତି।
ଏହି ‌କାଗଜ କଣ୍ଢେଇ ପ୍ରସ୍ତୁତି ପ୍ରଣାଳୀ ସମୟସାପେକ୍ଷ। କାଗଜ, ତେନ୍ତୁଳି ମଞ୍ଜି, ତୁତିଆ, ଚକ୍‌ଗୁଣ୍ଡ ଓ ଫେବିକଲ୍‌ ଅଠାକୁ ବ୍ୟବହାର କରି କଣ୍ଢେଇ ପ୍ରସ୍ତୁତ କରାଯାଏ। କାଗଜକୁ ପ୍ରଥମେ ପାଣିରେ ବତୁରାଇ ଏହାକୁ ଗ୍ରାଇଣ୍ଡିଂ କରାଯାଇଥାଏ। ପରେ ଏହାକୁ ତେନ୍ତୁଳି ମଞ୍ଜି ଅଠା ଓ ଚକ୍‌ଗୁଣ୍ଡ ସାହାଯ୍ୟରେ ଏକ ପ୍ରକାର ମଣ୍ଡ ପ୍ରସ୍ତୁତ କରାଯିବା ପରେ ହାତରେ କଣ୍ଢେଇ ତିଆରି ହୁଏ। ଶେଷରେ ଏହାକୁ ରଙ୍ଗ ଦିଆଯାଇଥାଏ। ଏହା ଦକ୍ଷିଣ ଭାରତର ଏକ ଲୋକପ୍ରିୟ ହସ୍ତକଳା।

ହରିହରଙ୍କ ବାପା ସ୍ବର୍ଗତ ରଙ୍କନାଥ ସୂତାର ଜଣେ ନାମକରା କାଠ କାରିଗର ଥିଲେ। ଏଣୁ ପିଲାଟି ଦିନୁ ହିଁ ହରିହର କାଠ କାମ ଶିଖିଥିଲେ। ଏଥିସହ ମାଟି ଓ ପଥର ମୂର୍ତ୍ତି ତିଆରି, ଚିତ୍ର ଆଙ୍କିବା ଓ କାଗଜରେ ବିଭିନ୍ନ ମୁଖ‌ା ଆଦି ତିଆରିରେ ସିଦ୍ଧହସ୍ତ ହୋଇଥିଲେ। ହରିହର କହନ୍ତି, ‘‘ଓଡ଼ିଶାରେ ପୂର୍ବରୁ ପୁରୀ ଅଞ୍ଚଳରେ ‘କାଗଜ ମୁଖା’ ପ୍ରସ୍ତୁତିର ପରମ୍ପରା ଥିଲା। ହାତୀ ମୁଣ୍ଡ, ଜଗନ୍ନାଥ ମୁଖା ଆଦି କାଗଜରେ ତିଆରି ହେଉଥିଲା। କିନ୍ତୁ ‘ପେପର୍‌ ମାଚି’ ଏକ ଭିନ୍ନ କଳା । ଏଥିରେ କାଗଜ ଉପରେ କାଗଜ ପରସ୍ତ ପରସ୍ତ କରି ମଝିରେ ତେନ୍ତୁଳି ଅଠା ଦେଇ ଏହାକୁ ଯୋଡ଼ାଯାଏ। ମୁଁ କିନ୍ତୁ ଏହି କାଗଜ କଣ୍ଢେଇକୁ ଅଲଗା ଢ଼ଙ୍ଗରେ ତିଆରି କରିବାକୁ ଚାହିଁଲି, ଯେପରି ଏହା ଅଧିକ ବର୍ଷ ଧରି ରହିପାରିବ ଏବଂ ଏହା ମାଟି କଣ୍ଢେଇ ଭଳି ଅନୁଭୂତି ଦେବ। ଏଣୁ ମୁଁ ଅଦରକାରୀ ଚିରା କାଗଜକୁ ଭିଜାଇ, ଏହାକୁ ବାଟି, ଏଥିରେ ତେନ୍ତୁଳି ଅଠା ଓ ଚକ୍‌ଗୁଣ୍ଡ ମିଶାଇ ମଣ୍ଡ ପ୍ରସ୍ତୁତ କଲି। ଏହି ମଣ୍ଡ ମାଟି ଭଳି କାମ କଲା। ପ୍ରଥମେ ମୁଁ ଏଥିରୁ କୋଣାର୍କ ଚକ୍ର ତିଆରି କରିଥିଲି।’’ ଗତ ୨୫ ବର୍ଷ ହେଲା ହରିହର ଓଡ଼ିଶାରେ ରହି କେଉଁଝରର ବିଭିନ୍ନ ବର୍ଗର ଲୋକଙ୍କୁ ଏହି କଳା ଶିଖାଉଛନ୍ତି। ଫଳରେ ଏବେ ଓଡ଼ିଶାରେ ୫୦୦୦ରୁ ଅଧିକ କାଗଜ କଣ୍ଢେଇ କାରିଗର ଦେଖିବାକୁ ମିଳିଲେଣି। ନିଜ ହାତତିଆରି ସାମଗ୍ରୀକୁ ସେ ଭାରତର ସମସ୍ତ ରାଜ୍ୟରେ ପହଞ୍ଚାଇ ସୁନାମ ଅର୍ଜନ କରିଥିବାବେଳେ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର