ମଙ୍ଗଳରେ ହେଲିକପ୍ଟର୍‌ ଉଡ଼ାଇବ ଇସ୍ରୋ!

ଆମଠାରୁ ପ୍ରାୟ ସାଢ଼େ ୨୨ କୋଟି କି.ମି. ଦୂରରେ ଅବସ୍ଥିତ ମଙ୍ଗଳ ଗ୍ରହକୁ ଭାରତର ପ୍ରଥମ ମଙ୍ଗଳ ଅଭିଯାନ ‘ମଙ୍ଗଳାୟନ’ର ଐତିହାସିକ ସଫଳତା ପରେ ଏବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁଣି ଥରେ ଏକ ବିରାଟ, ଦୃଢ଼ ତଥା ସାହସୀ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି। ଏହାର ଦ୍ବିତୀୟ ମଙ୍ଗଳ ଅଭିଯାନ ‘ମଙ୍ଗଳାୟନ-୨’ରେ ମଙ୍ଗଳ ପୃଷ୍ଠରେ ଏକ ରୋଭର ଓ ହେଲିକପ୍ଟର ଅବତରଣ କରାଇବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି। ଏହି ଅଭିଯାନର ସଫଳତା ସହ ଭାରତ ମଙ୍ଗଳ ପୃଷ୍ଠରେ ଏକ ହେଲିକପ୍ଟର ଅବତରଣ କରାଇବାରେ ଆମେରିକା ଓ ଚୀନ୍ ପରେ ବିଶ୍ବର ତୃତୀୟ ଦେଶ ହେବାର ସୌଭାଗ୍ୟ ଲାଭ କରିବ।

‘ମଙ୍ଗଳାୟନ-୨’ରେ ମଙ୍ଗଳ ପୃଷ୍ଠରେ ଏକ ରୋଭର ଓ ହେଲିକପ୍ଟର ଅବତରଣ କରାଇବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି। ଏହି ଅଭିଯାନର ସଫଳତା ସହ ଭାରତ ମଙ୍ଗଳ ପୃଷ୍ଠରେ ହେଲିକପ୍ଟର ଅବତରଣ କରାଇବାରେ ଆମେରିକା ଓ ଚୀନ୍ ପରେ ବିଶ୍ବର ତୃତୀୟ ଦେଶ ହେବାର ସୌଭାଗ୍ୟ ଲାଭ କରିବ।

ଇସ୍ରୋ ଦ୍ବାରା ପ୍ରସ୍ତୁତ ରୋଭରଟି ଏକ ବୈପ୍ଳବିକ ଉପାୟରେ ମଙ୍ଗଳ ପୃଷ୍ଠରେ ଅବତରଣ କରିବ। ଏୟାରବ୍ୟାଗ୍ ଓ ରାମ୍ପ୍ ପରି ପାରମ୍ପରିକ କୌଶଳ ଅବଲମ୍ବନ ନକରି ତାହା ମହାକାଶଯାନରୁ ଏକ ଅତ୍ୟାଧୁନିକ ସ୍କାଇ କ୍ରେନ୍ ଦ୍ବାରା ଧୀରେ ଧୀରେ ଓହ୍ଲାଇବ ବୋଲି ଜଣାଯାଇଛି। ଏହି ପ୍ରକ୍ରିୟା ଦ୍ବାରା ମଙ୍ଗଳର ଆହ୍ବାନପୂର୍ଣ୍ଣ ଖାଲଢିପ ଅଞ୍ଚଳରେ ଅବତରଣ କରିବା ମଧ୍ୟ ସୁରକ୍ଷିତ ତଥା ନିରାପଦ ହେବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା ରଖିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ପରେ ସମାନ ପ୍ରକ୍ରିୟା ମଙ୍ଗଳ ପୃଷ୍ଠରେ ମାନବ ଅବତରଣର ମାଧ୍ୟମ ହେବ ବୋଲି କୁହାଯାଉଛି। ଏଥି ସହିତ ମଙ୍ଗଳର ଅତି ପତଳା ବାୟୁମଣ୍ଡଳରେ ଅବତରଣକୁ ସୁଗମ କରିବା ଲାଗି ଇସ୍ରୋ ଏକ ସୁପରସୋନିକ ଆକାଶଛତା ମଧ୍ୟ ବିକଶିତ କରୁଛି। କାରଣ ପୃଥିବୀ ବାୟୁମଣ୍ଡଳର ପ୍ରାୟ ଏକ ଶତାଂଶ ସାନ୍ଦ୍ରତା ଥିବା ମଙ୍ଗଳ ବାୟୁମଣ୍ଡଳରେ ପାରମ୍ପରିକ ଆକାଶଛତା କାମ କରିବ ନାହିଁ। ଏଥି ସହିତ ମଙ୍ଗଳର ପତଳା ବାୟୁମଣ୍ଡଳରେ ଉଡ଼ି ତାହା ବିଷୟରେ ପରୀକ୍ଷା ନିରୀକ୍ଷା କରିବା ଲାଗି ଇସ୍ରୋ ଏକ ସ୍ବତନ୍ତ୍ର ହେଲିକପ୍ଟର ମଧ୍ୟ ବିକଶିତ କରୁଛି। ଏହି ଦୌଡ଼ରେ ଭାରତ ଚୀନଠାରୁ ଆଗରେ ରହିବ ବୋଲି ଆଶା କରାଯାଉଛି।

ତେବେ ଭାରତ ଏପରି ଦୁଃସାହସିକ ମଙ୍ଗଳ ଅଭିଯାନ କରିବା ପଛରେ ତିନିଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଲା ପୃଥିବୀ ବାହାରେ ଜୀବସତ୍ତା ଅନ୍ବେଷଣ କରିବା। ଆମ ସୌରମଣ୍ଡଳରେ ପୃଥିବୀ ଓ ମଙ୍ଗଳର ଗଠନ ପ୍ରାୟ ଏକାଭଳି ହୋଇଥିବାରୁ ଏବଂ ଏକଦା ମଙ୍ଗଳରେ ପ୍ରଚୁର ଜଳ, ଉଷ୍ମ ଜଳବାୟୁ ଓ ବହଳ ବାୟୁମଣ୍ଡଳ ଥିବାରୁ ସେଠାରେ ଜୀବସତ୍ତା ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଦ୍ବିତୀୟରେ, ପୃଥିବୀରେ ଜୀବଜଗତ ସୃଷ୍ଟି ହେଲା ବେଳେ ମଙ୍ଗଳରେ ଭୀଷଣ ଜଳବାୟୁ ପରିବର୍ତ୍ତନ ସଂଘଟିତ ହୋଇଥିଲା। ସୁତରାଂ ମଙ୍ଗଳର ଆଗ୍ନେୟଗିରି, ଉଲ୍‌କାମାଡ଼ରୁ ସୃଷ୍ଟ ଗର୍ତ୍ତ ଓ ଅନ୍ୟାନ୍ୟ ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ସେ ଦିଗରେ କିଛି ଆଲୋକପାତ କରିହେବ। ସେହିପରି ତାହାର ବାୟୁମଣ୍ଡଳକୁ ଅଧ୍ୟୟନ କରି ତାହାର ଗଠନ ଓ ବିବର୍ତ୍ତନ ବାବଦରେ ବିଶେଷ ଜ୍ଞାନ ଆହରଣ କରି ପୃଥିବୀର ଭବିଷ୍ୟତ ବିଷୟରେ ମଧ୍ୟ ପୂର୍ବାନୁମାନ କରିହେବ। ତୃତୀୟରେ, ଏପରି ରୋବୋଟିକ୍ ଅଭିଯାନ ଦ୍ବାରା ଭବିଷ୍ୟତରେ ସେଠାକୁ ମାନବ ଅଭିଯାନର ଖର୍ଚ୍ଚ ଓ ବିପଦକୁ ମଧ୍ୟ ହ୍ରାସ କରାଯାଇପାରିବ।

ସମ୍ବନ୍ଧିତ ଖବର