ପ୍ରେରଣାଦାୟୀ ‘ମନ କୀ ବାତ୍‌’

ଜଗତ ପ୍ରକାଶ ନଡ୍ଡା

ଆଜି ଆମ ଦେଶ ପାଇଁ ଐତିହାସିକ ଦିନ। ଦେଶବାସୀଙ୍କ ହୃଦୟକୁ ଛୁଇଁଥିବା ପ୍ରଧାନମନ୍ତ୍ରୀଙ୍କ ‘‘ମନ କୀ ବାତ୍‌’’ କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପୂରଣ ହେବାକୁ ଯାଉଛି। ଅତ୍ୟନ୍ତ ପ୍ରେରଣାଦାୟୀ ଏହି ରେଡିଓ କାର୍ଯ୍ୟକ୍ରମ ୩ ଅକ୍ଟୋବର ୨୦୧୪ ଠାରୁ ପ୍ରତି ମାସର ଶେଷ ରବିବାର ଦିନ ପ୍ରସାରିତ ହୋଇଆସୁଛି। ଏହା ଏବେ ଦେଶର ସବୁଠୁ ଲୋକପ୍ରିୟ ମତବିନିମୟ କାର୍ଯ୍ୟକ୍ରମ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ବିଚାର, ତାଙ୍କର ମତାମତ ଏବଂ ଜ୍ଞାନପୂର୍ଣ୍ଣ କଥା ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ଦର୍ଶାଇଥାଏ।

ମୁଁ ଏହି କାର୍ଯ୍ୟକ୍ରମର ବ୍ୟାପକ ଲୋକପ୍ରିୟତାର ସାକ୍ଷୀ ରହିଛି, ଯେଉଁଠି ସବୁ କ୍ଷେତ୍ରର ଲୋକମାନେ ନିଜ ଘର, ପଡ଼ା ଏବଂ ରାସ୍ତା ପାର୍ଶ୍ୱ ଦୋକାନରେ ଏକତ୍ରିତ ହୋଇ ରେଡିଓ ସେଟ୍‌ ପାଖରେ ବସି ରହିଥାନ୍ତି ଏବଂ ଭାରତ ବିଷୟରେ ରୋଚକ କାହାଣୀ ଏବଂ ତଥ୍ୟ ଶୁଣିଥାନ୍ତି। ସେମାନେ ବାସ୍ତବ ଜୀବନର କାହାଣୀ, ଅପରିଚିତ ନାୟକମାନଙ୍କ ବିଷୟରେ ଶୁଣି ଅନୁପ୍ରାଣିତ ହୋଇଥାନ୍ତି; ଏହାପରେ ନିଜକୁ ରାଷ୍ଟ୍ର ଓ ଆମ ସମାଜର ସେବା ପାଇଁ ପୁନଃସମର୍ପିତ କରିଥାନ୍ତି।

ବିଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ରାଷ୍ଟ୍ର-ନିର୍ମାଣରେ ସାଧାରଣ ନାଗରିକଙ୍କ ଅପାର ଯୋଗଦାନକୁ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ପରିବେଶ ସଂରକ୍ଷଣ ସହ ଜଡ଼ିତ ପ୍ରସଙ୍ଗ ହେଉ; ଆମର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷିତ କରିବା ହେଉ; ସାମାଜିକ ଆନ୍ଦୋଳନକୁ ରୂପଦେବା ଏବଂ ଗରିବ ଓ ଅସହାୟ ଲୋକମାନଙ୍କୁ ସହାୟତା କରିବା; କ୍ରୀଡ଼ା, ବୈଜ୍ଞାନିକ ଦୃଷ୍ଟିକୋଣ, ସାହିତ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା; ବିଲୁପ୍ତପ୍ରାୟ କୁଟୀର ଉଦ୍ୟୋଗ ଓ ଅଭିନବ କଳାର ପୁନରୁଦ୍ଧାର; ଏବଂ ସାମାଜିକ ସଦ୍ଭାବ ଓ ରାଷ୍ଟ୍ରୀୟ ଏକତା ଦିଗରେ ପ୍ରୟାସ; ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି।

ଡିଜିଟାଲ କ୍ରାନ୍ତିର ଯୁଗରେ ନିଜ ପ୍ରାସଙ୍ଗିକତା ହରାଉଥିବା ଯୋଗାଯୋଗର ଏକ ସାଧାରଣ ମାଧ୍ୟମ କିଭଳି ଆମ ଦେଶକୁ ଅନୁପ୍ରାଣିତ କରିବା ଏବଂ ବଦଳାଇବାର ଏକ ଶକ୍ତିଶାଳୀ ଉପକରଣ ପାଲଟିଛି, ‘‘ମନ କୀ ବାତ’’ ତାହାର ଏକ ଉଦାହରଣ। କୌଣସି ପ୍ରକାରର ରାଜନୈତିକ ବାର୍ତ୍ତାରେ ସାମିଲ ନହୋଇ ଏହି କାର୍ଯ୍ୟକ୍ରମ ସରକାର-ନାଗରିକ ଭାଗିଦାରୀର ଏକ ଉଲ୍ଲେଖନୀୟ ମଞ୍ଚ ମଧ୍ୟ ପାଲଟିଛି। ଏହା ଏକ ଅଣରାଜୈନତିକ ମଞ୍ଚ ଯାହା ଆମ ରାଷ୍ଟ୍ରର ଅନ୍ତର୍ନିହିତ ଶକ୍ତି ଓ ଆମ ନାଗରିକମାନଙ୍କ ଅସାଧାରଣ ସାମର୍ଥ୍ୟକୁ ସାକାର କରିବା ଉପରେ ଧ୍ୟାନ ଦେଇଥାଏ। ଯୋଗାଯୋଗର ଏକ ଉପକରଣ ବ୍ୟବହାର କରି କିଭଳି ଦେଶକୁ ଏକଜୁଟ କରାଯାଇପାରିବ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ କାମ କରିବା ଲାଗି ସମସ୍ତଙ୍କୁ ଅନୁପ୍ରାଣିତ କରାଯାଇପାରିବ ତାହା ‘‘ମନ କୀ ବାତ’’ ଦୁନିଆକୁ ଦେଖାଇ ଦେଇଛି।

ମୋର ଲମ୍ବା ରାଜନୈତିକ ଜୀବନରେ, ମୁଁ ରାଜା ରାମମୋହନ ରାୟ, ମହାତ୍ମା ଗାନ୍ଧୀ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଜ୍ୟୋତିବା ଫୁଲେ, ବାବାସାହେବ ଭୀମରାଓ ଆମ୍ବେଦକର ଏବଂ ଜୟପ୍ରକାଶ ନାରାୟଣଙ୍କ ଭଳି ଆମର ମହାନ ନେତା ଓ ସମାଜ ସଂସ୍କାରକଙ୍କ ବିଷୟରେ ପଢ଼ି ଏବଂ ଶୁଣି ଅନୁପ୍ରାଣିତ ହୋଇଛି। ଏହି ମହାପୁରୁଷମାନଙ୍କ ବାଣୀ କିଭଳି ଆମ ଦେଶରେ ସାମାଜିକ ପରିବର୍ତ୍ତନକୁ ଗତିଶୀଳ କରିଛି; ସେମାନେ କିପରି ଭାବେ ଆମ ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ନିଜର ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଶୋଷିତ ଓ ବଞ୍ଚିତ ସମୁଦାୟଙ୍କ ସଶକ୍ତିକରଣ ଓ ଉନ୍ନତି ପାଇଁ ସେମାନେ କିଭଳି ସଂଘର୍ଷ କରିଛନ୍ତି, ତାହା ଆମେ ସମସ୍ତେ ଦେଖିଛୁ ଏବଂ ଅନୁଭବ କରିଛୁ।

ପୂର୍ବରୁ ମୁଁ ଭାବୁଥିଲି, ଆଧୁନିକ ଭାରତ କ’ଣ କେବେ ଏପରି ଜଣେ ବ୍ୟକ୍ତିଙ୍କୁ ଦେଖିବାର ସୁଯୋଗ ପାଇବ ଯିଏକି ନାଗରିକମାନଙ୍କୁ ଅନୁପ୍ରାଣିତ କରିବେ, ସେମାନଙ୍କୁ ଏକଜୁଟ କରିବେ ଏବଂ ସେମାନଙ୍କୁ ଆମ ଦେଶକୁ ବଦଳାଇବାର ରାସ୍ତା ଦେଖାଇବେ। ନରେନ୍ଦ୍ର ମୋଦୀଙ୍କ ସହିତ ମୋର ଦୀର୍ଘଦିନର ସମ୍ପର୍କ ରହିଛି, ମୁଁ ତାଙ୍କ ସହିତ ଅତି ନିକଟରେ ରହି କାମ କରିଛି। ମୁଁ ତାଙ୍କ ଭିତରେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱଙ୍କୁ ଦେଖିଥାଏ – ଏକାଧାରରେ ସେ ଜଣେ ସାମାଜ ସଂସ୍କାରକ, ମାର୍ଗଦର୍ଶକ, ଶିକ୍ଷକ, କଠୋର ପ୍ରଶାସକ, ଦୃଢ଼ ଇଚ୍ଛାଶକ୍ତି ଥିବା ବ୍ୟକ୍ତିତ୍ୱ, ପ୍ରେରଣାଦାୟୀ ବିଶ୍ୱନେତା, ପ୍ରଭାବଶାଳୀ ବକ୍ତା, ସହାନୁଭୂତିଶୀଳ ରାଷ୍ଟ୍ରନେତା, ଆମ ସାମାଜିକ-ସାଂସ୍କୃତିକ ଜାଗରଣର ଧ୍ୱଜାବାହକ ଏବଂ ଜଣେ ‘ପ୍ରଧାନ ସେବକ’ ଯିଏକି ଭାରତକୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପଥରେ ଆଗେଇ ନେବା ସହିତ ‘‘ବିଶ୍ୱ ଗୁରୁ’’ ଭାବେ ପୁନଃପ୍ରତିଷ୍ଠିତ କରିବା ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି।

ଏହି କାରଣରୁ ଯେତେବେଳେ ପ୍ରଧାନମନ୍ତ୍ରୀ ମନ କୀ ବାତ ମାଧ୍ୟମରେ ଦେଶବାସୀଙ୍କ ସହିତ ମତବିନିମୟ କରିଥାନ୍ତି, ଏହାର ଯାଦୁକରୀ ପ୍ରଭାବ ତୃଣମୂଳସ୍ତରେ ଜନସାଧାରଣଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। କରୋନା ମହାମାରୀ ପରିଚାଳନା, ଟିକାକରଣ ଅଭିଯାନରେ ସଫଳତା, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ପ୍ରୋତ୍ସାହନ, ଭାରତର ସ୍ୱଦେଶୀ ଖେଳନା ଉଦ୍ୟୋଗର ପୁନରୁଦ୍ଧାର ଓ ଗପ କହିବାର ଆମର ପ୍ରାଚୀନ କଳା, ସ୍ୱଚ୍ଛତା ଓ ପରିମଳ ଭଳି ଅନେକ କଷ୍ଟକର ଅଭିଯାନରେ ସଫଳତା ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀ ‘‘ମନ କୀ ବାତ’’କୁ କିଭଳି ଉପଯୋଗ କରିଛନ୍ତି ତାହା ଆମେ ସମସ୍ତେ ଦେଖିଛୁ।

‘‘ମନ କୀ ବାତ’’ର ଅଭିନବ ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କ ସହିତ ଖୋଲା ଏବଂ ଉତ୍ସାହୀ ମତବିନିମୟ କରିବା ଲାଗି ବିଭିନ୍ନ ପ୍ରକାରର ପ୍ରସଙ୍ଗ ଚୟନ କରିଥାନ୍ତି। ଜୈବିକ କୃଷି, ଶ୍ରୀ ଅନ୍ନ (ମିଲେଟ୍ସ), ଫିଟ୍‌ ଇଣ୍ଡିଆ ଆନ୍ଦୋଳନ, ଖେଲୋ ଇଣ୍ଡିଆ, ବେଟୀ ବଚାଓ-ବେଟୀ ପଢ଼ାଓ, ହର ଘର ତ୍ରିରଙ୍ଗା, ଯୁବ ଭାରତୀୟଙ୍କ ଅଭିନବ ଉଦ୍ଭାବନ, ଷ୍ଟାର୍ଟଅପ୍‌ ଆନ୍ଦୋଳନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ଆନ୍ଦୋଳନର ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ପ୍ରଗତି – ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜର ‘‘ମନ କୀ ବାତ’’ କାର୍ଯ୍ୟକ୍ରମରେ ଗଭୀର ଭାବେ ଆଲୋଚନା କରିଛନ୍ତି। ଏହା ଏକତରଫା ମତବିନିମୟ ନୁହେଁ; ବାସ୍ତବରେ ଏହା ପ୍ରଧାନମନ୍ତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କାରଣ ‘‘ମନ କୀ ବାତ’’ରେ ଲୋକମାନେ ହିଁ ନିଜର କାହାଣୀ ଓ ବିଚାର ବ୍ୟକ୍ତ କରିଥାନ୍ତି। ସେମାନେ ବିଭିନ୍ନ ଅନାଲୋଚିତ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହିତ ନିଜର ଅନୁଭୂତି ସମ୍ପର୍କରେ ପ୍ରତିକ୍ରିୟା ଦେଇଥାନ୍ତି।

ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଜାମ୍ମୁ-କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ କଚ୍ଛ ଠାରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ପର୍ଯନ୍ତ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ଓ ପ୍ରାଚୀନ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ପ୍ରତ୍ୟେକ ଭାରତୀୟଙ୍କୁ ଅବଗତ କରାଇପାରିଛନ୍ତି। ଆମ ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି। ଅନୁରୂପ ଭାବେ, ବିଶ୍ୱସ୍ତରରେ ଆମକୁ ପରିଚୟ ଦେବା ସହିତ ଆମ ସମାଜ ଉପରେ ଏକ ଗଭୀର ପ୍ରଭାବ ପକାଉଥିବା ଭାରତୀୟ ଓ ପ୍ରବାସୀ ଭାରତୀୟଙ୍କ କାହାଣୀ ‘‘ମନ କୀ ବାତ’’ ମାଧ୍ୟମରେ ଶୁଣିବାକୁ ମିଳିଥିବାରୁ ଏହି କାର୍ଯ୍ୟକ୍ରମ ଉଭୟ ଦେଶ ଓ ବିଦେଶରେ ବହୁଳ ଭାବେ ଲୋକପ୍ରିୟ ହୋଇପାରିଛି। ଆଜି ୧୧ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଥିବା ‘‘ମନ କୀ ବାତ’’ କାର୍ଯ୍ୟକ୍ରମକୁ ବିଶ୍ୱବ୍ୟାପୀ ଉଚ୍ଚ ପ୍ରଶଂସା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନ ଓ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ବହୁଳ ଭାବେ ବୃଦ୍ଧି ପାଇଛି, ଯାହାକି ବିରୋଧୀ ଦଳମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ‘‘ମନ କୀ ବାତ’’ କାର୍ଯ୍ୟକ୍ରମ ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ଯାହା ଭାରତର ସାମର୍ଥ୍ୟକୁ ଉଜାଗର କରିଥାଏ ଏବଂ ଆମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ନାଗରିକମାନଙ୍କୁ ଏକଜୁଟ କରିଥାଏ। ଏହା ସତ୍ତ୍ୱେ ବିରୋଧୀ ଦଳଗୁଡ଼ିକ, ବିଶେଷ କରି କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଅଭିନବ ପ୍ରୟାସକୁ ସବୁବେଳେ ନ୍ୟୁନ ପ୍ରମାଣିତ କରିବା ଲାଗି ଚେଷ୍ଟା କରି ଆସିଛନ୍ତି, ଯାହା ସେମାନଙ୍କ ତୁଚ୍ଛ ରାଜନୀତିକୁ ପ୍ରତିଫଳିତ କରିଥାଏ।

ଜନସାଧାରଣଙ୍କ ମଧ୍ୟରେ ‘‘ମନ କୀ ବାତ୍‌’’ର ଅପାର ଲୋକପ୍ରିୟତା ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ, ରୋହତକ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ, ଏବେ ସୁଦ୍ଧା ୧୦୦ କୋଟି ଲୋକ ‘‘ମନ କୀ ବାତ’’ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ୬୦% ଶ୍ରୋତା ରାଷ୍ଟ୍ର ନିର୍ମାଣ ଦିଗରେ କାମ କରିବା ଲାଗି ନିଜକୁ ସମର୍ପିତ କରିଛନ୍ତି। ‘‘ମନ କୀ ବାତ୍‌’’ର ୨୩ କୋଟି ନିୟମିତ ଶ୍ରୋତା ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ପ୍ରସାରଣ ଶୁଣିବା ଲାଗି ଲୋକମାନେ କେତେ ଆଗ୍ରହୀ ରହିଥାନ୍ତି ତାହା ଏଥିରୁ ପ୍ରମାଣିତ ହେଉଛି।

‘‘ମନ କୀ ବାତ’’ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେଉଛି ଏହା ଆମ ସମାଜରେ ସକାରାତ୍ମକତା ଆଣିଛି। ଆପଣ ଯେତେବେଳେ ଏହି ଅତ୍ୟଧିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ଶୁଣିବେ ସେତେବେଳେ ଆପଣ ଅନୁଭବ କରିପାରିବେ ଯେ, କେହି ଜଣେ ମାର୍ଗଦର୍ଶକ, ପରିବାରର ବରିଷ୍ଠ ବ୍ୟକ୍ତି ଆପଣଙ୍କର ମାର୍ଗଦର୍ଶନ କରୁଛନ୍ତି, ଏକ ଉଜ୍ଜ୍ୱଳ ଓ ଉନ୍ନତ ଭବିଷ୍ୟତ ମାର୍ଗରେ ଅଗ୍ରସର ହେବା ପାଇଁ ପଥ ପ୍ରଦର୍ଶନ କରୁଛନ୍ତି। ମୋର ଦୃଢ଼ବିଶ୍ୱାସ ରହିଛି ଯେ, ଯୋଗାଯୋଗର ଏହି ମାଧ୍ୟମ ଆମ ଦେଶରେ ପରିବର୍ତ୍ତନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାହକ ସାଜିବ। ଆସନ୍ତୁ ସମସ୍ତେ ମିଶି ‘‘ମନ କୀ ବାତ’’ ୧୦୦ତମ ଅଧ୍ୟାୟର ଉତ୍ସବ ପାଳନ କରିବା ଏବଂ ଆମ ଜୀବନରେ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ସାଇତି ରଖିବା। ବର୍ତ୍ତମାନ ସମସ୍ତେ ଏକଜୁଟ ହୋଇ ସଂକଳ୍ପ ନେବା ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଦେଶ ସେବା ପାଇଁ ନିଜକୁ ସମର୍ପିତ କରିବା ଲାଗି ମଧ୍ୟ ସମୟ ଉପନୀତ ହୋଇଛି।
ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭାରତୀୟ ଜନତା ପାର୍ଟି

ସମ୍ବନ୍ଧିତ ଖବର