ପ୍ୟାରିସ୍‌ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା: ବିଶ୍ବବାସୀଙ୍କୁ ସ୍ବାଗତ କରିବାକୁ ଫ୍ରାନ୍ସ ପ୍ରସ୍ତୁତ

୧୦ କ୍ରୀଡ଼ାରେ ୪୨ ଭାରତୀୟଙ୍କ ଯୋଗ୍ୟତା

ପ୍ୟାରିସ୍, ୧୭/୪: ଦିନକ ପୂର୍ବରୁ ଗ୍ରିସ୍‌ର ପୁରାତନ ଅଲିମ୍ପିଆ ସହରରେ ମଶାଲ ପ୍ରଜ୍ଜ୍ବଳନ ହେବା ସହ ପ୍ୟାରିସ୍‌ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ବୁଧବାରଠାରୁ ଆରମ୍ଭ ହୋଇଛି। ସାରା ବିଶ୍ବରେ ଏଥିଲାଗି ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଛି। ଜୁଲାଇ ୨୬ ତାରିଖ‌ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ଫ୍ରାନ୍ସ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ‘‘ଅଲିମ୍ପିକ୍ସ ଭଳି ବହୁ ପ୍ରତୀକ୍ଷିତ ଉତ୍ସବକୁ ସଫଳ କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଅବଶ୍ୟ ଏଭଳି ଏକ ବଡ଼ ଉତ୍ସବ ପୂର୍ବରୁ ନାନା ପ୍ରଶ୍ନ ଓ ଚିନ୍ତା ପ୍ରକାଶ ପାଇବା ସ୍ବାଭାବିକ। ଆମେ ଅଲିମ୍ପିକ୍ସ ଆୟୋଜନ କରି ଫ୍ରାନ୍ସର ଅସଲ ସାମର୍ଥ୍ୟକୁ ଦର୍ଶାଇବାକୁ ଚାହୁଛୁ। ବିଶ୍ବବାସୀକୁ ସ୍ବାଗତ କରିବା ଲାଗି ଆମ ଦେଶବାସୀ ଚାତକ ଭଳି ଚାହି ବସିଛନ୍ତି’’ ବୋଲି ୨୦୨୪ ଅଲିମ୍ପିକ୍ସର ମୁଖ୍ୟ ଆୟୋଜକ ଟୋନି ଏଷ୍ଟାନଗ୍ବେଟ୍ କହିଛନ୍ତି। ତେବେ ଫ୍ରାନ୍ସରେ ବଢ଼ି ଚାଲିଥିବା ସାମ୍ପ୍ରଦାୟିକ ଭେଦଭାବ, ଜାତିଗତ ବିବିଧତା ତଥା ଶରଣାର୍ଥୀ ସମସ୍ୟା ପାଇଁ ‘ଅଲିମ୍ପିକ୍ସ-୨୦୨୪’ର ସଫଳ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ସାରା ବିଶ୍ବରୁ ଆସିବାକୁ ଥିବା ହଜାର ହଜାର କ୍ରୀଡ଼ାବିତ୍, ପ୍ରଶଂସକ ତଥା ଅଧିକାରୀଙ୍କ ସୁରକ୍ଷା ଫ୍ରାନ୍ସ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ ବୋଲି ଆକଳନ କରାଯାଉଛି। ଏହାକୁ ଆଖି ଆଗରେ ରଖି ଅଲିମ୍ପିକ୍ସ ବେଳେ ତ୍ରିସ୍ତରୀୟ ବ୍ୟବସ୍ଥା କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମ୍ୟାକ୍‌ରୋଁ ନିଜ ଦେଶର ସୁରକ୍ଷା ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜକ ସହର ପ୍ୟାରିସ୍‌ର ମେୟର ଆନେ ହିଡାଲ୍‌ଗୋ ଖେଳାଳିଙ୍କ ସୁରକ୍ଷ‌ା ବ୍ୟବସ୍ଥାକୁ ପ୍ରଶାସନ ସର୍ବାଧିକ ଗୁରୁତ୍ବ ଦେଉଥିବା ଘୋଷଣା କରିଛନ୍ତି। ଅଲିମ୍ପିକ୍ସ ବେଳେ ୨୦,୦୦୦ ସୈନିକ ଓ ୪୦,୦୦୦ ପୁଲିସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ସେ। ସେହିଭଳି ଏକ ସବୁଜ ଅଲିମ୍ପିକ୍ସ ଆୟୋଜନ ଉପରେ ଜୋର ଦିଆଯାଉଥିବା କହିଛନ୍ତି। ଅର୍ଥାତ୍ ଅଲିମ୍ପିକ୍ସ ଯୋଗୁ ପ୍ରକୃତିର ଯେମିତି କୌଣସି କ୍ଷତି ନଘଟେ, ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହିଡାଲ୍‌ଗୋ।

ସୂଚନାଯୋଗ୍ୟ ଯେ ଆଧୁନିକ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ପ୍ୟାରିସ୍‌ରେ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଶେଷ ହେବ। ଏଥିରେ ୪୫ କ୍ରୀଡ଼ାର ବିଭିନ୍ନ ଇଭେଣ୍ଟ ୩୫ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ୨୦୬ ରାଷ୍ଟ୍ରର ୧୦,୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରିଟି କାଂସ୍ୟ ପଦକ ସହ ମୋଟ ୭ଟି ପଦକ ଜିତିଥିଲା। ଏଥର ଏହି ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଟୋକିଓ ଅଲିମ୍ପିକ୍ସକୁ ଭାରତ ତା’ ଇତିହାସର ସର୍ବବୃହତ୍ ଦଳ ପଠାଇଥିଲା। ଏଥିରେ ୧୨୬ଜଣ ଖେଳାଳି ଥିଲେ। ସେମାନେ ୧୮ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଏପର୍ଯ୍ୟନ୍ତ ମାତ୍ର ୪୨ ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିମଧ୍ୟରେ ବନ୍ଧୁକ ଚାଳନାରୁ ସର୍ବାଧିକ ୨୦ଜଣ ଥିଲା ବେଳେ ଦୌଡ଼କୁଦରୁ ୯, ଟେବୁଲ ଟେନିସରୁ ୬, ବ୍ୟାଡ୍‌ମିଣ୍ଟନ୍‌ରୁ ୫, ମୁଷ୍ଟିଯୁଦ୍ଧରୁ ୪ ଏବଂ ଭାରୋତ୍ତୋଳନ, ନୌଚାଳନା, ଅଶ୍ବଚାଳନା ଓ ତୀରନ୍ଦାଜିରୁ ଜଣେ ‌ଲେଖାଏଁ ଖେଳାଳି ଅଛନ୍ତି। ଭାରତୀୟ ପୁରୁଷ ହକି ଦଳ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତ‌ା ଅର୍ଜନ କରିସାରିଛି। ତେବେ ଆଗାମୀ ୧୦୦ ଦିନ ମଧ୍ୟରେ ଏହି ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତର ଶ୍ରେଷ୍ଠ ଦାବିଦାରଙ୍କ ମଧ୍ୟରେ ରହିଛନ୍ତି ନୀରଜ ଚୋପ୍ରା (ଜାଭଲିନ), ପିଭି ସିନ୍ଧୁ (ବ୍ୟାଡ୍‌ମିଣ୍ଟନ୍), ମୀରାବାଈ ଚାନୁ (ଭାରୋତ୍ତୋଳନ), ନିଖତ ଜରିନ (ମୁଷ୍ଟିଯୁଦ୍ଧ), ସାତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ (ବ୍ୟାଡ୍‌ମିଣ୍ଟନ୍), ଲଭଲୀନା ବଡ଼ଗୋହାଁଇ, ଅଦିତି ଅଶୋକ, ସିଫ୍‌ତ କୌର ଶର୍ମା ପ୍ରମୁଖ।

ସମ୍ବନ୍ଧିତ ଖବର