ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ କ୍ଷତିପୂରଣରୁ ବଞ୍ଚିତ ହେଉଛନ୍ତି କି ଅଂଶୁଘାତ ମୃତକ?

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଂଶୁଘାତ ମୃତ୍ୟୁ ନେଇ ରିପୋର୍ଟ

ଭୁବନେଶ୍ବର: ଓଡ଼ିଶା ସମେତ ଦେଶରେ ଏବେ ଭୀଷଣ ଗ୍ରୀଷ୍ମ ଲହରି। ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଅଂଶୁଘାତ ମାମଲା ବଢ଼ିବାର ଆଶଙ୍କା ରହିଛି। ଏଥିରେ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। ହେଲେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଘୋଷଣାକୁ ନେଇ ବିବାଦ ଲାଗି ରହିଛି। ରାଜ୍ୟ ସରକାର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅଂଶୁଘାତ ମୃତ୍ୟୁ ପାଇଁ ବାଧ୍ୟତାମୂଳକ କରିଛନ୍ତି। ଯାହାଫଳରେ କୌଣସି ବ୍ୟକ୍ତି ଖରା ପାଇଁ ପ୍ରାଣ ହରାଇଥିଲେ ହେଁ ଯଦି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ହେବ ନାହିଁ, ତାହାଲେ ତାଙ୍କୁ ଅନୁକମ୍ପା ରାଶି ମିଳିବ ନାହିଁ। ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଂଶୁଘାତ ଜନିତ ମୃତ୍ୟୁର ଅଟୋପ୍‌ସି ଫାଇଣ୍ଡିଙ୍ଗ୍‌ସ(ଶବ ବ୍ୟବଚ୍ଛେଦ)କୁ ନେଇ ଏକ ରିପୋର୍ଟ ଜାରି ହୋଇଛି। ଏଥିରେ ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ସର୍ବଦା ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି। ତେଣୁ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ରିପୋର୍ଟ ଆଧାରରେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁର ଘୋଷଣା ହେବ କି ନାହିଁ ତାହା ଏବେ ନଜରରେ ରହିଛି।
ଅଂଶୁଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୫୦ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ଚଳିତବର୍ଷ ବର୍ତ୍ତମାନସୁଦ୍ଧା ୨ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଗୋଟିଏ ଗଞ୍ଜାମ ଓ ଅନ୍ୟଟି ବଲାଙ୍ଗୀରରୁ। ମାତ୍ର ଏହି ଦୁଇ ଜଣଙ୍କ ମୃତ୍ୟୁ ଅଂଶୁଘାତ ନୁହେଁ, ବରଂ ହୃଦ୍‌ଘାତ ଯୋଗୁଁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ‌ରେ ଦର୍ଶାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତବର୍ଷ ରାଜ୍ୟରେ ସରକାରୀ ଭାବେ ୨୫ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି। ଏସବୁ ମୃତ୍ୟୁ ଶବ ବ୍ୟବଚ୍ଛେଦରେ ସ୍ପଷ୍ଟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଂଶୁଘାତ ମୃତ୍ୟୁ ନେଇ ରିପୋର୍ଟ
ସବୁ ଅଂଶୁଘାତ ମାମଲାରେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ ନୁହେଁ
ବିନା ଶବ ବ୍ୟବଚ୍ଛେଦରେ ଅଂଶୁଘାତ ମୃତ୍ୟୁ ସ୍ପଷ୍ଟ ହେବନାହିଁ: ସରକାର

ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ଜଳବାୟୁ ପରିବର୍ତ୍ତନ ଓ ମାନବ ସ୍ବାସ୍ଥ୍ୟ(ଏନ୍‌ବିସିସିଏଚ୍‌ଏଚ୍‌) ଅଧୀନରେ ପ୍ରସ୍ତୁତ କରାଯାଇଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି)ର ନିର୍ଦ୍ଦେଶକ ପ୍ରଫେସର ଡା.ଅତୁଲ ଗୋଏଲଙ୍କ ନେତୃତ୍ବରେ ଅଂଶୁଘାତ ମୃତ୍ୟୁ ସଂପର୍କିତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି। ଏହାସହ ଦେଶର ବିଭିନ୍ନ ନାମୀ ସ୍ବାସ୍ଥ୍ୟାନୁଷ୍ଠାନର ୬ଜଣ ସଦସ୍ୟ ଓ ଏନ୍‌ସିଡିସିର ୨ଜଣ ସଦସ୍ୟ ରହିଛନ୍ତି। ଏଥିରେ କୁହାଯାଇଛି ଯେ ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ବୟସ୍କଙ୍କ ହୃଦ୍‌ଘାତ ହୋଇଥାଏ। ଆମେରିକାରେ ଏକ ଅନୁଧ୍ୟାନ‌ରୁ ଜଣାପଡ଼ିଛି ଯେ ଖରାଦିନେ କୌଣସି କାରଣରୁ ଯଦି ୪.୭ଡିଗ୍ରି ବଢ଼ିଯାଏ ତାହାଲେ ଏହା ହୃଦ୍‌ଘାତ ଆଶଙ୍କା ୨.୬% ବଢ଼ାଇ ଦେଇଥାଏ। ଅଂଶୁଘାତ ଜନିତ ମୃତ୍ୟୁକୁ ମୁଖ୍ୟତଃ ୨ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ସିଧାସଳଖ ତାତି ଜନିତ ମୃତ୍ୟୁ ଓ ଅନ୍ୟଟି ହେଉଛି ତାତି ପାଇଁ ସିଧାସଳଖ ନ ‌ହେଲେ ହେଁ ପୂର୍ବରୁ ରହିଥିବା ରୋଗ କାରଣରୁ। ଅନେକ ସମୟରେ ଖରା ସଂପର୍କିତ ଚେତାବନୀ ନ ଥିଲେ ମଧ୍ୟ ତାତି ଜନିତ ମୃତ୍ୟୁ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ ତାତି ଜନିତ ମୃତ୍ୟୁ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। କାରଣ ଅନେକ ସମୟରେ ଶବ ବ୍ୟବଚ୍ଛେଦରେ ମୃତ୍ୟୁର ପ୍ରକୃତ କାରଣ ନ ମିଳିପାରେ। ଯେଉଁ ହସ୍ପିଟାଲରେ ଫରେନ୍‌ସିକ ମେଡିସିନ୍‌(ଏଫ୍‌ଏମ୍‌ଟି) ବିଭାଗ ରହିଛି, ସଂପୃକ୍ତ ବିଭାଗର ସହାୟତାରେ ଶବ ବ୍ୟବଚ୍ଛେଦ କରାଯିବା ଦରକାର। ଏସ୍‌ଆରସି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ଅଂଶୁଘାତ ମୃତ୍ୟୁ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ନଚେତ୍ ଅଂଶୁଘାତ ମୃତ୍ୟୁର ଅନୁକମ୍ପା ରାଶିକୁ ନେଇ ବିବାଦ ଉପୁଜିବ। କେନ୍ଦ୍ର ସରକାର ଅଂଶୁଘାତ ମୃତ୍ୟୁକୁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ଗ୍ରହଣ କରୁନାହାନ୍ତି। ତେଣୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ମୃତକଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି। କୌଣସି ମୃତ୍ୟୁ ଅଂଶୁଘାତ ପାଇଁ ହୋଇଛି କି ନାହିଁ ତାହାର ଏକ ମେକାନିଜିମ୍ ରହିବା ଦରକାର। ଯଦି ଏହା ନ ରହିବ ତାହାଲେ କିଛି ଖଳ ଲୋକ ଅନୁକମ୍ପା ରାଶି ହାତେଇବା ପାଇଁ ଡାକ୍ତରଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର