ଆଫଗାନିସ୍ତାନର ଐତିହାସିକ ସେମିଫାଇନାଲ୍ ପ୍ରବେଶ: ୮ ରନ୍‌ରେ ହାରିଲା ବାଂଲାଦେଶ

ଅଷ୍ଟ୍ରେଲିଆର ଅପ୍ରତ୍ୟାଶିତ ବିଦାୟ, ବିଶ୍ବକପ୍ ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ

କିଙ୍ଗ୍ସଟାଉନ୍: ପ୍ରବଳ ଉତ୍କଣ୍ଠାରେ ଭରପୂର ତଥା ଅତୁଳନୀୟ ରୋମାଞ୍ଚଭରା ସୁପର-୮ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ବାଂଲାଦେଶକୁ ୮ ରନ୍‌ରେ ହରାଇବା ସହ ଆଫଗାନିସ୍ତାନ କ୍ରିକେଟ୍ ଦଳ ମଙ୍ଗଳବାର ନୂଆ ଇତିହାସ ରଚିଛି। ତା’ ସହିତ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିବାର ଐତିହାସିକ ସଫଳତା ଲାଭ କରିଛି । ସେହିଭଳି ବାଂଲାଦେଶକୁ ମାତ୍ର ୧୦୫ ରନ୍‌ରେ ଅଲଆଉଟ୍ କରି ଗୃହଯୁଦ୍ଧ ପ୍ରବଣ, ଆତଙ୍କବାଦ ଜର୍ଜରିତ ତଥା କ୍ରୂର ତାଲିବାନ ଶାସନରେ ଅତିଷ୍ଠ ଆଫଗାନିସ୍ତାନବାସୀଙ୍କୁ ନିଜ କ୍ରିକେଟ୍ ଇତିହାସର ସବୁଠୁ ବଡ଼ ସଫଳତା ଭେଟି ଦେବାର ଗୌରବମୟ ଅଧ୍ୟାୟ ଯୋଡ଼ିଛି ରସିଦ ଖାନ୍‌ଙ୍କ ଯୁବ କ୍ରିକେଟ୍ ବାହିନୀ। ଏହା ପୂର୍ବରୁ ଆଫଗାନିସ୍ତାନ ସୁପର-୮ରେ ପୂର୍ବବିଜେତା ତଥା ଅନ୍ୟତମ ପ୍ରମୁଖ ଟ୍ରଫି ଦାବିଦାର ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

କେବଳ ସେତିକି ନୁହେଁ, ଆତ୍ମବିଶ୍ବାସଭରା ଆଫ୍‌ଗାନ କ୍ରିକେଟ୍ ଦଳ ନିଜ ଅସାଧାରଣ ରଣକୌଶଳରେ କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତିବା ସହ ଏକାଥରକେ ପ୍ରତିପକ୍ଷ ବାଂଲାଦେଶ ଓ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ବିଦାୟ ପଥ ଦେଖାଇବାର ଯୁଗଳ ସଫଳତା ଲାଭ କରିଛି। ଆଫଗାନିସ୍ତାନର ଏହି ନାଟକୀୟ ଉତ୍‌ଥାନ ପାଇଁ ସମଗ୍ର ବିଶ୍ବରୁ ଏହି ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଏସୀୟ ଦେଶର ରାଜଧାନୀ କାବୁଲଠାରୁ ଆରମ୍ଭ କରି କାନ୍ଦାହାର ପର୍ଯ୍ୟନ୍ତ, ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ହଜାର ହଜାର ଆଫଗାନିସ୍ତାନ ନାଗରିକ ରାଜରାସ୍ତାରେ ଉତ୍ସବ ପାଳନ କରିବା ସହ ସାରା ଦିନ ନାଚଗୀତରେ ମସଗୁଲ୍ ରହିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବା ସହ ସୁପର-୮ର ସର୍ବକନିଷ୍ଠ ଦଳ ଆଫଗାନିସ୍ତାନ ବିଶ୍ବକ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଛି। ନବୀନ-ଉଲ୍‌-ହକ୍ ବାଂଲାଦେଶର ଶେଷ ୱିକେଟ୍ ନେବା ପରେ କିଙ୍ଗ୍ସଟାଉନ୍‌ ପଡ଼ିଆରେ ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା। ପ୍ରତୀକ୍ଷିତ ସ୍ବପ୍ନ ପୂରଣ ହେବା ଖୁସିରେ ଆଫଗାନିସ୍ତାନ ଖେଳାଳିଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା। ପରସ୍ପରକୁ କୁଣ୍ଢାଇ ଅଭିନନ୍ଦନ ଜଣାଇବା ସହ ସମସ୍ତେ ମିଳିତ ଭା‌ବେ ପ୍ରଶଂସକଙ୍କୁ ଆବେଗଭରା କୃତଜ୍ଞତା ଜଣାଇଥିଲେ। ସ୍ବପ୍ନର ସେମିଫାଇନାଲ୍‌ରେ ଏବେ ଆଫଗାନିସ୍ତାନ ୨୭ ତାରିଖରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ। ସେହିଦିନ ସଂଧ୍ୟାରେ ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ।

ରସିଦଙ୍କ ବିଶ୍ବ କୀର୍ତ୍ତିମାନ
ବର୍ଷା ବ୍ୟାଘାତ ପାଇଁ ବାରମ୍ବାର ବନ୍ଦ ହୋଇ ପୁଣି ଥରେ ଆରମ୍ଭ ହୋଇଥିବା ମଙ୍ଗଳବାରର ଘଟଣା ବହୁଳ ମୁକାବିଲାରେ ଆଫଗାନିସ୍ତାନ ମାତ୍ର ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ୧୨.୧ ଓଭର‌ରେ ହାସଲ କରିଥିଲେ ଉନ୍ନତ ରନ୍ ରେଟ୍ ହାରରେ ବାଂଲାଦେଶ ଉଭୟ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆକୁ ପଛରେ ପକାଇ ସେମିଫାଇନାଲ୍ ଯାଇଥା’ନ୍ତା। ତେବେ ବର୍ଷା ପାଇଁ ଡକୱର୍ଥ/ଲୁଇସ୍ ନିୟମ ଲାଗୁ ହେବା ପରେ ବାଂଲାଦେଶକୁ ୧୯ ଓଭରରେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ବାଂଲାଦେଶ ଓପନର ଲିଟନ ଦାସଙ୍କ ଲଢ଼ୁଆ ତଥା ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ କେବଳ ୧୦୫ ରନ୍ କରିପାରିଥିଲା। ଅଭିଜ୍ଞ ସାକିବ-ଉଲ୍-ହକ୍‌ଙ୍କ ସହ ଅନ୍ୟ ବ୍ୟାଟର୍‌ଙ୍କ ଅତି ଉତ୍ସାହପୂର୍ଣ୍ଣ ତଥା ଦୁଃସାହସିକ ବ୍ୟାଟିଂ ଦଳ ପାଇଁ କାଳ ‌ହୋଇଥିଲା। ଆଫଗାନିସ୍ତାନ ବୋଲରଙ୍କ ଶାଣିତ ତଥା ଲକ୍ଷ୍ୟଭେଦୀ ବୋଲିଂର ସମ୍ମୁଖୀନ ହୋଇ ନପାରି ଜଣେ ପରେ ଜଣେ ବାଂଲା ବ୍ୟାଟର୍ ନିଜ ନିଜ ୱିକେଟ୍ ଫିଙ୍ଗି ଚାଲିଥିଲେ। ଆଫ୍‌ଗାନ ବୋଲର ପଡ଼ିଆ ଭିତରେ ଏମିତି ଭୟ ସୃଷ୍ଟି କରିଥିଲେ ଯେ ବାଂଲାଦେଶର ୩ଜଣ ବ୍ୟାଟର୍‌ ଖାତା ଖୋଲି ପାରି ନଥିଲେ। ଆଫ୍‌ଗାନ ବୋଲରମାନେ ମଧ୍ୟ ତିନିଥର ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। ପୁଣି ୭ଜଣ ଏକ ଅଙ୍କରେ ସୀମିତ ରହିଯାଇଥିଲେ। ମାତ୍ର ୨୬ ରନ୍ ଦେଇ ୪ ୱିକେଟ୍ ନେଇ ବାଂଲାଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ନବୀନ-ଉଲ-ହକ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଧିନାୟକ ରସିଦ ଖାନ୍ ମଧ୍ୟ ୨୩ ରନ୍‌ରେ ୪ ୱିକେଟ୍ ନେଇ ନିଜ ଦଳର ସ୍ମରଣୀୟ ସଫଳତାରେ ନିଜ ବଳିଷ୍ଠ ଅବଦାନ ଛାଡ଼ିଥିଲେ। ବାଂଲାଦେଶ ପରାଜୟ ପରେ କିନ୍ତୁ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ପୂର୍ବରୁ ଓପନର୍‌ ରହମନୁଲ୍ଲା ଗୁରବାଜଙ୍କ ଉପଯୋଗୀ ୪୩ ରନ୍ ସହ ଅଧିନାୟକ ରସିଦ ଖାନ୍‌ଙ୍କ ୧୦ ବଲ୍ ୧୯* ରନ୍ ବଳରେ ଆଫଗାନିସ୍ତାନ ୫ ୱିକେଟ୍ ବିନିମୟରେ ୧୧୫ ରନ୍ କରିପାରିଥିଲା। ବ୍ୟକ୍ତିଗତ ଭାବେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍ ମଧ୍ୟ ଏକ ନିଆରା ମାଇଲଖୁଣ୍ଟ ଛୁଇଁଥିଲେ। ସାକିବ-ଅଲ୍-ହାସନ (୮)ଙ୍କୁ ଟପି ରସିଦ (୯) ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ଥର ୪ ୱିକେଟ୍ ସଫଳତା ଲାଭ କରିବାର ଗୌରବ ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଆଫଗାନିସ୍ତାନ ୨୦ ଓଭରରେ ୧୧୫/୫ (ରହମନୁଲ୍ଲା ଗୁରବାଜ ୪୩, ରସିଦ ଖାନ୍ ୧୯*, ଇବ୍ରାହିମ ଜଦ୍ରାନ ୧୮, ଅଜମତୁଲ୍ଲା ଓମରଜାଇ ୧୦, ରିସାଦ ହୋସନ ୩/୨୬, ତସ୍କିନ ଅହମଦ ୧/୧୨, ମୁସ୍ତାଫିଜୁର ରହମାନ ୧/୧୭)। ବାଂଲାଦେଶ ୧୭.୫ ଓଭରରେ ୧୦୫ (ଡି/ଏଲ୍ ଲକ୍ଷ୍ୟ ୧୯ ଓଭରରେ ୧୧୪, ଲିଟନ ଦାସ ୫୪*, ତୌହିଦ ହୃଦୟ ୧୪, ନବୀନ-ଉଲ୍-ହକ୍ ୪/୨୬, ରସିଦ ଖାନ୍ ୪/୨୩)।

ସମ୍ବନ୍ଧିତ ଖବର