ଇଣ୍ଡିଆ ଇଣ୍ଡିଆ ରଡ଼ିରେ କମ୍ପିଲା କଳିଙ୍ଗ

ମରୋକ୍କୋ ସମର୍ଥକଙ୍କ ଖଞ୍ଜଣୀ ମାଡ଼

ଭୁବନେଶ୍ବର : ଶୁକ୍ରବାର ଭାରତ-ମରୋକ୍କୋ ମ୍ୟାଚ୍ ଦେଖିବା ଲାଗି କଳିଙ୍ଗ ଷ୍ଟାଡିୟମ୍‌ରେ ଉପସ୍ଥିତ ହଜାର ହଜାର ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ମାହୋଲ ପୂରା ମନ୍ତ୍ରମୁଗ୍ଧକର ହୋଇଥିଲା। ଇଣ୍ଡିଆ… ଇଣ୍ଡିଆ… ରଡ଼ିରେ ଷ୍ଟାଡିୟମ୍ ପୂରା କମ୍ପି ଉଠିଥିଲା। ‌ପୂରା ମ୍ୟାଚ୍‌ରେ ଏମାନେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ମଧ୍ୟାନ୍ତରରେ ଏମାନେ ବିଭିନ୍ନ ବଲିଉଡ୍ ହିଟ୍ ନମ୍ବରରେ ନୃତ୍ୟ କରି ପରସ୍ପର ସହ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଏହି ପିଲାମାନେ ନିଜ ନିଜ ଶିକ୍ଷାନୁଷ୍ଠାନର ପୋଷାକରେ ମ୍ୟାଚ୍ ଦେଖିବାକୁ ଆସିଥିବାରୁ ଗ୍ୟାଲେରି ରଙ୍ଗ ବେରଙ୍ଗର କାନଭାସ୍‌ ଭଳି ଭ୍ରମ ସୃଷ୍ଟି କରିଥିଲା। ତୁଳନାତ୍ମକ ଭାବେ କିନ୍ତୁ ସାଧାରଣ ଦର୍ଶକଙ୍କ ସଂଖ୍ୟା କମ୍ ରହିଥିଲା। ବିଶେଷ କରି ବ୍ରାଜିଲ-ଆମେରିକା ମ୍ୟାଚ୍‌ରେ ଆଶାଜନକ ଦର୍ଶକ ହୋଇନଥିଲେ। ଏହି ମ୍ୟାଚ୍ କିନ୍ତୁ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ମରୋକ୍କୋ ସମର୍ଥକଙ୍କ ଖଞ୍ଜଣୀ ମାଡ଼
ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌ର ୯୯.୯୯ ପ୍ରତିଶତ ଦର୍ଶକ ଥିଲେ ଭାରତର ସମର୍ଥକ। ହାତଗଣତି ମରୋକ୍କୋ ସମର୍ଥକ କିନ୍ତୁ ଖଞ୍ଜଣୀ ଓ ଡ୍ରମ୍ ବଜାଇ ନିଜ ଉପସ୍ଥିତ ଜାହିର କରିଥିଲେ। ନିଜ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମାର୍ଦ୍ଧ ୦-୦ରେ ଅମୀମାଂସିତ ରହିବା ପରେ ଦ୍ବିତୀୟାର୍ଦ୍ଧର ଷଷ୍ଠ ମିନିଟ୍‌ରେ ସେମାନଙ୍କ ପ୍ରୟାସ ଓ ପ୍ରତୀକ୍ଷାର ଫଳ ମିଳିଥିଲା। ଭାରତୀୟ ରକ୍ଷଣଭାଗର ଅସାବଧାନତା ପାଇଁ ମରୋକ୍କୋ ପେନାଲ୍ଟିରୁ ଗୋଲ୍ ଅର୍ଜନ କରି ଆଗୁଆ ‌ ହୋଇଯାଇଥିଲା। ଢେର ସମୟ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ଗୀତ ଗାଇବା ସହ ଏହାର ତାଳେ ତାଳେ ବାଜା ବଜାଇ ସେମାନେ ଖୁସି ମନାଇଥିଲେ।

ସମ୍ବନ୍ଧିତ ଖବର