ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

କାମାକ୍ଷାନଗର/ ପଣ୍ଡୁଆ/ ଭୁବନ : ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନର ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟର ଥିବା ଏକ ଧାନଜମିରୁ  ଶୁକ୍ରବାର ସକାଳେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଶୁଣ୍ଢରେ ଗଭୀର କ୍ଷତଚିହ୍ନ ଦେଖିବାକୁ ମିଳିଛି। ଚାଷ ଜମିରେ ବିଛା ହୋଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ହାତୀର ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ବନବିଭାଗ ସୂଚନା ଦେଇଛି। ଏପରି ଭାବେ ଦନ୍ତା ହାତୀର ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବରପାଇ ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର, ଭୁବନ ରେଞ୍ଜ ଅଧିକାରୀ ଅନିତା ସେଠୀ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପ‌ରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିଲା।

ଅନ୍ୟପକ୍ଷରେ, ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଏପରି ହାତୀ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି। ଗୁରୁବାର ଉକ୍ତ ଅଞ୍ଚଳରେ ୨ଟି ହାତୀ ବୁଲୁଥିବା ବନବିଭାଗ କହୁଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଏହି ଘଟଣା ବନବିଭାଗର ବିଫଳତାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି। ବନ କର୍ମଚାରୀମାନେ ହାତୀମାନଙ୍କର ଗତିପଥ ଉପରେ ନଜର ରଖୁ ନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ବି ସାଧାରଣରେ ଆଲୋଚନା ହେଉଛି।

ଏ ସମ୍ପର୍କରେ ଶବ ବ୍ୟବଚ୍ଛେଦ କରିଥିବା ଡା. ଉଦୟନାଥ ମହାଲିକଙ୍କୁ ପଚାରିବାରୁ ସେ କହିଲେ, ବିଦ୍ୟୁତ୍‌ ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନ ବନାଞ୍ଚଳ ଅଧିକାରୀ ଅନିତା ସେଠୀ କହିଥିଲେ ଯେ, ଦନ୍ତାର ଶବ ବ୍ୟବଚ୍ଛେଦ କରାଯାଇଛି। ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଅପରପକ୍ଷେ, ମଠକରଗୋଳା ବିଦ୍ୟୁତ ବିଭାଗର ଜୁନିଅର୍ ମ୍ୟାନେଜର୍ ସୂର୍ଯ୍ୟକାନ୍ତ ରାଉତ କହିଛନ୍ତି ‌ଯେ ଘଟଣାସ୍ଥଳରୁ ୧୧ କେଭି ଲାଇନ୍‌ର ଦୂରତା ପ୍ରାୟ ୨ ଶହ ମିଟର ଥିବା ବେଳେ ଏଲ୍‌ଟି ଖୁଣ୍ଟର ଦୂରତା ସାତ ଶହ ମିଟର ରହିଛି। ତେଣୁ ହାତୀ କେମିତି ମଲା କହିପାରିବୁ ନାହିଁ। ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହେଲା କି ଅନ୍ୟ କାରଣରୁ ତାହା ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର