କଲେଜ ସମ୍ମୁଖ ରାସ୍ତା ମରାମତି ପାଇଁ ଦାବି ଜଣାଇଲେ ଛାତ୍ରୀ

ବ୍ୟାସନଗର: ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ଉଜୁଡ଼ିଯାଇଛି ଯାଜପୁରରୋଡ୍‌ ଦଳାସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତା। ତାକୁ ପୋତାଯାଇଥିଲେ ବି ସେଥିରେ ପାଣି ଜମି ଯାତାୟାତରେ ବାଧକ ସାଜିଛି। ଏଥିପାଇଁ ଛାତ୍ରୀମାନେ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମରାମତି ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଛାତ୍ରୀମାନେ ଆଜି ଦାବି ଜଣାଇଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ବିପର୍ଯ୍ୟସ୍ତ ରାସ୍ତାର ମରାମତି କରାନଗଲେ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।

ଗ୍ୟାସ୍‌ ପାଇପ ଲାଇନ ବିଛାଯିବା ନିମନ୍ତେ ଦଳା-ଶଙ୍ଖଚିଲା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ବରେ ଗାତ ଖୋଳାଯାଇଥିଲା। ଏହି ସମୟରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ମଧ୍ୟ ଗାତ ଖୋଳା ଯାଇଥିଲା। ଫଳରେ ସେଠାରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ମଧ୍ୟ ଭାଙ୍ଗିଯାଇଥିଲା। ପାଣି ପାଇପ୍‌ ଫାଟି ରାସ୍ତା ବୁଡ଼ି ସୁଅ ଚାଲିଥିଲା। କଲେଜ ସମ୍ମୁଖ ରାସ୍ତା ଖାଲଖମା ହେବା ସହ କର୍ଦମାକ୍ତ ହୋଇଯାଇଛି। ୩ ମାସ ଧରି ଏହା ସେମିତି ପଡ଼ିରହିଥିବାରୁ ଛାତ୍ରୀମାନେ ପଡ଼ି ଆହତ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ଯୁକ୍ତ ଦୁଇ ଓ ଯୁକ୍ତ ୩ ର ଛାତ୍ରୀମାନେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ମରାମତି ପାଇଁ ଦାବି ଜଣାଇଥିଲେ।

ସେହିପରି ଛାତ୍ରୀମାନେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ଭେଟି ଏହାର ପ୍ରତିକାର ଦାବି କରିଛନ୍ତି। ଆସନ୍ତ ୭ଦିନ ମଧ୍ୟରେ ସମାଧାନ ନହେଲେ ରାସ୍ତାରୋକ ସହ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାଇଛନ୍ତି। ଛାତ୍ରୀ ସ୍ନେହଲତା ପରମାଣିକ, ମମତାରାଣୀ ଜେନା, ସୀମା ଦାସ, ସଙ୍ଗୀତା ଗୁରୁ, ଅଲିଭା ସାହୁ, ଶୁଭସ୍ମିତା ରାଉତ, ରଶ୍ମିରେଖା ବଳ, ପୂଜାରିଣୀ ସେଠୀ, ମୋନାଲିସା ସାହୁ, ବର୍ଷାରାଣୀ ପରିଡ଼ା, ପୟୋସିନୀ ରାଉତ, ଧରିତ୍ରୀ ବାରିକ, ଆଶାଲତା ମଲିକ, ଦୀପ୍ତିପ୍ରଭା ବେହେରା, ଅଙ୍କିତା ଦାସ, ନିକିତା ସାହୁ, ଅର୍ପିତା ପୃଷ୍ଟି, ରାଜଶ୍ରୀ ସାହୁ, ମାମାଲି ମହାନ୍ତି, ଲିଜାରାଣୀ ମଲିକ, ବେବୀରାଣୀ ସାହୁ, ଲୋପାମୁଦ୍ରା ସାମଲ ପ୍ରଭୃତି ଏହି ପ୍ରତିନିଧି ଦଳରେ ସାମିଲ ହୋଇ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର