ବିଜୁ ମିନି ମାରାଥନ୍‌:ସମସାଦ୍‌ଙ୍କ ହ୍ୟାଟ୍ରିକ୍‌

ରଶ୍ମି, ଅଶୋକ, ରଂଜିତ, ସବିତା, ଡଲି ଶ୍ରେଷ୍ଠ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କ୍ରୀଡ଼ାବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମିନି ମାରାଥନ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ଲଗାତାର ୩ ବର୍ଷ ଧରି ମହିଳା ବିଭାଗର ବିଜେତା ହୋଇ ଖୋର୍ଧା ଝିଅ ସମସାଦ ଆରା ବେଗମ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ୧୮ରୁ ୫୦ ବର୍ଷ ବୟସର ମହିଳା ବିଭାଗ ମୁଖ୍ୟ ବର୍ଗରେ କଟକ ସାଇ ଛାତ୍ରାବାସରେ ରହୁଥିବା ସମସାଦ୍‌ ୨୧ ମିନିଟ୍‌ ୬.୪୫ ସେକେଣ୍ଡ୍‌ ସମୟ ନେଇ ବିଜୁ ପଟ୍ଟନାୟକ ପାର୍କରୁ ପ୍ରାୟ ୫ କିଲୋମିଟର୍‌ ଦୂରତ୍ୱ ଅତିକ୍ରମ କରି (ଭାୟା ରାଜମହଲ) କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ।

ଜିସିପିଇର ଜୟନ୍ତୀ ସେଠୀ, ଝାଡ଼ଖଣ୍ଡର ସାକ୍ରୋ ବେସ୍ରା, କିସ୍‌ର ସୁଚିତା ତିର୍କି, ଭୁବନେଶ୍ୱରର ପ୍ରତିମା ଟୋପ୍ପୋ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ୧୫ରୁ ୧୮ ବାଳିକା ବର୍ଗରେ କଟକର ସବିତା ମହାନ୍ତ, ମୟୂରଭଞ୍ଜର ଈତିଶ୍ରୀ ମହାନ୍ତ, କିସ୍‌ର ପ୍ରଭାତି ମାଝୀ, କଟକର ଶ୍ୱେତା କୁଜୁର, ମିଲି ମାଝୀ ପ୍ରଥମ ୫ ସ୍ଥାନରେ ରହିଥିଲେ। ସେହିଭିଳି ୫୦ ବର୍ଷରୁ ଊର୍ଧ୍ୱ ମହିଳା ବର୍ଗରେ ପଶ୍ଚିମବଙ୍ଗର ଡଲି ମହାତ, ଲକ୍ଷ୍ମୀ ମହାତ, ଖୋର୍ଧାର ପ୍ରଭାସିନୀ ସୁପକାର, ଯାଜପୁର ବାସନ୍ତୀ ମହାନ୍ତି, ଭୁବନେଶ୍ୱରର ମଲ୍ଲିମଣୀ ସୋରେନ୍‌ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ଦଖଲ କରି ସମ୍ମାନିତ ହୋଇଥିଲେ।
ପୁରୁଷଙ୍କ ୧୮ରୁ ୫୦ ବର୍ଷ ମୁଖ୍ୟ ବର୍ଗରେ ଓଡ଼ିଶା ପୁଲିସ୍‌ର ଅଶୋକ ଦଣ୍ଡସେନା (୧୭ ମିନିଟ୍‌ ୫୯.୯୮ ସେକେଣ୍ଡ୍‌) ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ଝାଡ଼ଖଣ୍ଡର ମୁକୁନ୍ଦ ବାଆଁରା, ମୟୂରଭଞ୍ଜର ଯୋଗେନ୍ଦ୍ର ତିରିଆ, ଓଡ଼ିଶା ପୁଲିସ୍‌ର ବୁଡ୍ରାବିଶି ନାୟକ, ପଶ୍ଚିମବଙ୍ଗର ଲକ୍ଷ୍ମୀକାନ୍ତ ମହାତ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ୧୫ରୁ ୧୮ ବର୍ଷ ବାଳକ ବର୍ଗରେ କଟକର ରଶ୍ମିରଂଜନ ନାୟକ, ଝାଡ଼ଖଣ୍ଡର କ୍ୟାପଟେନ୍‌ ପୂର୍ତି, ଭୁବନେଶ୍ୱରର ଦିଲୀପ ନାୟକ, କଟକର ହେମନ୍ତ ହାଁସଦା, ବାବୁଲା ପାତ୍ର ଶୀର୍ଷ ୫ ସ୍ଥାନ ଦଖଲ କରି ପୁରସ୍କୃତ ହୋଇଥିଲେ। ବୟସ୍କ ବର୍ଗରେ (୫୦ ବର୍ଷରୁ ଊର୍ଧ୍ୱ) ମେଦିନପୁରର ରଂଜିତ ମହାତ, ଖୋର୍ଧାର ଡାନିଏଲ୍‌ ଡିଗଲ, ମୟୂରଭଞ୍ଜର ଦିଗେଶ୍ୱର ମହାତ, ମେଦିନିପୁରର ମଧୁସୂଦନ ମହାତ, କଟକର ଧ୍ୱଜା ଜଗତ ପ୍ରଥମରୁ ପଞ୍ଚମ ସ୍ଥାନରେ ରହି ଅର୍ଥ ପୁରସ୍କାର ପାଇଥିଲେ।

ବିଭିନ୍ନ ବର୍ଗର ପ୍ରତିଯୋଗିତାକୁ ରୂପନ୍ଵିତା ପଣ୍ଡା, ଲୁସେଲା ଏକ୍କା, ଲିପିକା ମହାପାତ୍ର, ସତ୍ୟନାରାୟଣ ସେନାପତି, ସୁଷମା ନନ୍ଦ, ରାଜକୁମାରୀ ପାତ୍ର, ରାଜେଶ ସିଂହ, ଶ୍ରୀଚରଣ ପରିଡ଼ା, ସୁରେନ୍ଦ୍ର ନାଥ ନାୟକ, ନିବେଦିତା ସାହୁ ପ୍ରମୁଖ ପ୍ରଶିକ୍ଷକମାନେ ପରିଚାଳନା କରିଥିଲେ। ସହକାରୀ କ୍ରୀଡ଼ା ନିର୍ଦେଶକ ସନାତନ ସାହୁ, ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପାଣି, ଜିସିପିଇ ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର ବେହେରା ଏହାର ସୁପରିଚାଳନା କରିଥିଲେ।
ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ସୋମବାର ସକାଳେ ଏହି ମିନି ମାରାଥନ୍‌କୁ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉଦ୍‌ଘାଟନ କରିଥିବାବେଳେ ଦୌଡ଼ାଳିମାନେ ଶିଶୁ ଭବନ ଛକ, ରାଜମହଲ, ଏଜି ଛକ, ରାଜଭବନ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ପୁରସ୍କାର ବିତରଣୀ ଉତ୍ସବରେ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, କ୍ରୀଡ଼ା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା, ଯୁଗ୍ମ ସଚିବ ମନୋଜ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୦୪ ମସିହାରୁ ନିୟମିତ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଏଥର ୩୪୦୦ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ପ୍ରାୟ ୨୮୦୦ ଜଣ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର