ଚଟ୍ଟୋଗ୍ରାମ ଟେଷ୍ଟ୍‌, ଆଫ୍‌ଗାନିସ୍ତାନ ୨୭୧/୫

ରସିଦ୍‌ ସର୍ବକନିଷ୍ଠ ଟେ‌ଷ୍ଟ ଅଧିନାୟକ, ରହମତ୍‌ ଦେଶର ପ୍ରଥମ ଟେଷ୍ଟ ଶତକ ହାସଲକାରୀ

ଚଟ୍ଟୋଗ୍ରାମ (ବାଂଲାଦେଶ: ବାଂଲାଦେଶ ଏବଂ ଆଫ୍‌ଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ୍‌ ଚଟୋଗ୍ରାମସ୍ଥିତ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ବାହାରେ ଏହି ମ୍ୟାଚ୍‌ ଖେଳାଯାଉଛି। ବିଶ୍ବ ଟେ‌ଷ୍ଟ ଚାମ୍ପିଅନ୍‌ସିପ୍‌ରେ ବାଂଲାଦେଶ ସାମିଲ ଥିଲା ବେଳେ ଆଫ୍‌ଗାନିସ୍ତାନ ବାଦ୍‌ ପଡ଼ିଛି। ତେବେ ଏହି ଏକମାତ୍ର ଟେଷ୍ଟ୍‌ ଆଫ୍‌ଗାନିସ୍ତାନ ପାଇଁ ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଆଫ୍‌ଗାନିସ୍ତାନର ନେତୃତ୍ବ ନେଇଥିବା ଅଫ୍‌ ସ୍ପିନର ରସିଦ୍‌ ଖାନ୍‌ ବିଶ୍ବର ସର୍ବକନିଷ୍ଠ ଟେ‌ଷ୍ଟ ଅଧିନାୟକ ବିବେଚିତ ହୋଇଥିଲା ବେଳେ ରହମତ୍‌ ସାହା ଆଫ୍‌ଗାନିସ୍ତାନର ପ୍ରଥମ ଟେଷ୍ଟ୍‌ ଶତକ ହାସଲକାରୀ ହେବାର କୀର୍ତ୍ତିମାନ କରିଛନ୍ତି। ରସିଦ୍‌ଙ୍କୁ ଏବେ ୨୦ ବର୍ଷ ୩୫୦ ଦିନ ବୟସ ହୋଇଥିଲା ବେଳେ ସର୍ବକନିଷ୍ଟ ଟେ‌ଷ୍ଟ ଅଧିନାୟକ ଭାବେ ସେ ୧୫ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ୧୫ ବର୍ଷ ତଳେ ଏଭଳି କୀର୍ତ୍ତିମାନ ଜିମ୍ବାୱେ ୱିକେଟ୍‌ରକ୍ଷକ ତାତେନ୍ଦା ତାଇବୁଙ୍କ ନାମରେ ରହିଥିଲା। ୨୦୦୪‌ ହରା‌ରେ ଟେଷ୍ଟ୍‌ରେ ସେ ଜିମ୍ବାୱେ ଦଳର ନେତୃତ୍ବ ‌ନେଇଥିଲା ବେଳେ ରସିଦ୍‌ଙ୍କ ବୟସ ତୁଳନାରେ ୮ ଦିନ ବଡ଼ ଥିଲେ। ‌ଗତ ଏପ୍ରିଲରେ ଆଫ୍‌ଗାନିସ୍ତାନ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ରହମତ୍‌ ସାହା ଏବେ ରସିଦ୍‌ ଖାନ୍‌ଙ୍କ ଅଧୀନରେ ଖେଳି ଦେଶର ପ୍ରଥମ ଟେ‌ଷ୍ଟ ଶତକ ହାସଲକାରୀ ହେବାରେ ନୂଆ ଇତିହାସ ରଚିଛନ୍ତି। ଗତବର୍ଷ ଆୟର୍ଲାଣ୍ଡ୍‌ ବିପକ୍ଷ ଡେରାଡୁନ୍‌ ଟେଷ୍ଟ୍‌ରେ ୯୮ ରନ୍‌ ତାଙ୍କର ସର୍ବାଧିକ ଟେଷ୍ଟ୍‌ ସ୍କୋର୍‌ ଥିଲା। ହେଲେ ଗୁରୁବାର ରହମତ୍‌ ତାହାକୁ ଟପି ଆଫ୍‌ଗାନିସ୍ତାନର ପ୍ରଥମ ଟେଷ୍ଟ୍‌ ଶତକ ହାସଲକାରୀ ହେବାର ଐତିହାସିକ ସଫଳତା ପାଇଛନ୍ତି। ଏଥି ସହିତ ଟେ‌ଷ୍ଟ ଖେଳୁଥିବା ସମସ୍ତ ୧୨ ଦେଶର କେହି ନା କେହି ଶତକ ହାସଲକାରୀ ରହିଲେ।

ଆଫ୍‌ଗାନିସ୍ତାନ ଦଳ ମଧ୍ୟ ଚମତ୍କାର ଆରମ୍ଭ କରିଛି। ଟସ୍‌ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଦିଓ ବାଂଲାଦେଶ ଦ୍ରୁତ ବୋଲର ତାଇଜୁଲ୍‌ ଇସ୍‌ଲାମ ପ୍ରାରମ୍ଭିକ ଯୋଡ଼ି ଇବ୍ରାହିମ୍‌ ଜଦ୍ରାନ୍‌ (୨୧) ଓ ଇସାନଉଲ୍ଲା (୯)ଙ୍କୁ ଶିକାର କରିନେଇଥିଲେ ତେବେ ରହମତ୍‌ ସାହା (୧୦୨) ଏବଂ ଅସ୍‌ଗର ଆଫ୍‌ଗାନ (୮୮*) ତୃତୀୟ ୱିକେଟ୍‌ରେ ୧୨୦ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଅବଶ୍ୟ ତାଇଜୁଲ୍‌ଙ୍କ ପରେ ନୟିମ୍‌ ହାସନ୍‌ଙ୍କ ଯୁଗଳ ଝଟ୍‌କା ସତ୍ତ୍ବେ ଆଫ୍‌ଗାନିସ୍ତାନ ପ୍ରଥମ ଦିବସରେ ୫ ୱିକେଟ୍‌ ହରାଇ ୨୭୧ ରନ୍‌ କରିନେଇଛି। ହାସମୁତୁଲା ସାହିଦିଙ୍କୁ ଅଲ୍‌ରାଉଣ୍ଡର ମହମୁଦୁଲ୍ଲା ଶିକାର କରିନେବା ପରେ ରହମତ୍‌ ଓ ଅଲ୍‌ରାଉଣ୍ଡର ମହମ୍ମଦ ନବି (୦)ଙ୍କୁ ଗୋଟିଏ ଓଭରରେ ନୟିମ୍‌ ଆଉଟ୍‌ କରିଦେଇଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଆଫ୍‌ଗାନଙ୍କ ସହ ୱିକେଟ୍‌ରକ୍ଷକ ଅଫ୍‌ସାର ଜଜାଇ (୩୫) ଅପରାଜିତ ରହିଛନ୍ତି। ପ୍ରଥମ ଦିବସରେ ବାଂଲା ବୋଲରମାନେ ମୋଟ ୯୬ ଓଭର ବୋଲିଂ କରିଛନ୍ତି।

ସମ୍ବନ୍ଧିତ ଖବର