ଯୁବ ଏସିଆ କପ୍‌: ବିଜୟରୁ ଭାରତର ଅଭିଯାନ

କଲମ୍ବୋ: ଯୁବ (୧୯ ବର୍ଷରୁ କମ୍‌) ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ୬ ଥରର ବିଜେତା ଭାରତ ୭ ୱିକେଟ୍‌ରେ କୁଏତକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରିଥିବା କୁଏତ ନିର୍ଧାରିତ ୨୩ ଓଭରରେ ୭ ୱିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ମୀତ ଭାଭସାର ୨୮ ଓ ଗୋକୁଳ କୁମାର ୨୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ଆକାଶ ସିଂହ ଓ ପୂର୍ଣ୍ଣକ ତ୍ୟାଗୀ ୩ ଲେଖାଏଁ ଓ ବିଦ୍ୟାଧର ପାଟିଲ ଗୋଟିଏ ୱିକେଟ୍‌ ପାଇଥିଲେ। ଜବାବରେ ଭାରତ ଅର୍ଜୁନ ଆଜାଦ (୬୦*, ୫୮ ବଲ୍‌, ୫ ଚୌକା, ୨ ଛକା)ଙ୍କ ଅପରାଜିତ ଅର୍ଧଶତକ ବଳରେ ୧୯.୧ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅର୍ଧଶତକ ହାସଲ କରିଥିବା ଅର୍ଜୁନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଗତଥରର ବିଜେତା ଭାରତ ପରବର୍ତୀ ମ୍ୟାଚ୍‌ ୭ ତାରିଖରେ ପାକିସ୍ତାନ ସହ ଖେଳିବ।

ସମ୍ବନ୍ଧିତ ଖବର