ଜର୍ମାନିଠୁ ହାରିଲା ପାକିସ୍ତାନ

ଭୁବନେଶ୍ବର: ଚଳିତ ଓଡ଼ିଶା ହକି ବିଶ୍ବକପ୍‌ର ପୁଲ୍ ‘ଡି’ର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ୨ ଥର ବିଜେତା ଜର୍ମାନି ୧-୦ ଗୋଲରେ ୪ ଥର ବିଜେତା ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ ଆକ୍ରମଣ ଓ ରକ୍ଷଣାତ୍ମକର ମିଶ୍ରଣ ଦେଖାଇଥିଲା। ତଥାପି ତୀବ୍ର ପ୍ରତିଦ୍ବନ୍ଦ୍ବୀତା ଏବଂ ହକି କଳାର ନିଖୁଣ ଲଢ଼େଇ ଭିତରେ ସମ୍ପନ୍ନ ହୋଇଥିଲା। ପାକିସ୍ତାନ ୪ ବର୍ଷ ତଳର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରାଜୟ ପ୍ରତିଶୋଧ ନେବାରେ ବିଫଳ ହୋଇଥିଲା। ଶନିବାରର ଏହି ପୁଲ୍ ‘ଡି’ ଦ୍ବିତୀୟ ମ୍ୟାଚ୍‌ ବେଶ ଦର୍ଶନୀୟ ଥିଲା। ସୁନ୍ଦର କଳାତ୍ମକ ହକି ଦେଖିଥିଲେ କଳିଙ୍ଗ ଷ୍ଟାଡିୟମର ଭରପୁର ୧୫,୦୦୦ ଦର୍ଶକ। ତଥାପି ସ୍କୋର୍ ଲାଇନ୍ ଅନୁସାରେ ଏହା ପ୍ରତିଫଳିତ ‌ହୋଇନଥିଲା। ଉଭୟ ଦେଶ ଅପେକ୍ଷାକୃତ ରକ୍ଷଣାତ୍ମମ ଖେଳିଥିଲେ ଏବଂ ଅଗ୍ରଭାଗରେ ପ୍ରଭାବହୀନ ପ୍ରଦର୍ଶନ ରହିବାରୁ ଅଧିକ ଗୋଲ୍ ସୁଯୋଗ ସୃଷ୍ଟି କରିପାରିନଥିଲେ। ତଥାପି ଉଭୟ ଦଳର ରକ୍ଷଣଭାଗ ଦୃଢ଼ ଥିବାରୁ ପେନାଲଟି କର୍ନର କିମ୍ବା ଗୋଲ ସଂଖ୍ୟା ସୀମିତ ରହିଥିଲା। ଏହି ମ୍ୟାଚ୍‌ ପୂର୍ବରୁ ସଂଧ୍ୟା‌ରେ ଅନୁଷ୍ଠିତ ଶନିବାରର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ ୭-୦ରେ ଜିତିବାରେ ଉଲ୍ଲସିତ ଦର୍ଶକ କିନ୍ତୁ ରାତିରେ ଗୋଲ ମରୁଡି ଅନୁଭବ ହୋଇଥିଲା। ପ୍ରଥମ ଦୁଇ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ୩୬ତମ ମିନିଟରେ ଜର୍ମାନିର ମାର୍କୋ ମିଲ୍ଟକାଉ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇଥିଲେ। କିଛି ସମୟ ପରେ ଜର୍ମାନିର ଟୋବିଅସ ହକ୍‌ଙ୍କ ହିଟ୍ ପାକିସ୍ତାନ ଡିଫେଣ୍ଡର ମହମ୍ମଦ ରସିଦଙ୍କ ଶରୀରରେ ବାଜିଥିବାରୁ ଦଳକୁ ଏକମାତ୍ର ପେନାଲଟି କର୍ନର ମିଳିଥିଲା। ଜର୍ମାନି କିନ୍ତୁ ଏହାକୁ ଗୋଲ ଦେବାରେ ବିଫଳ ହୋଇଥିଲା। ପରବର୍ତୀ ମିନିଟରେ ପାକିସ୍ତାନ ଅଗ୍ରଭାଗ ଜର୍ମାନି ସର୍କଲରେ ପହଞ୍ଚିଥିଲେ ମଧ୍ୟ ଗୋଲ ସୁଯୋଗ ସୃଷ୍ଟି କରିବା ପୂର୍ବରୁ ଫେରିଆସିଥିଲେ। ୫୨ତମ ମିନିଟରେ ମଧ୍ୟ ଜର୍ମାନିର ନିକଲାସଙ୍କୁ ମିଳିଥିବା ଗୋଲ୍‌ ସୁଯୋଗ ଗୋଲ୍‌ ବାରରେ ବାଜି ନିଷ୍ଫଳ ରହିଥିଲା। ୫୪ତମ ମିନିଟରେ ସେ ଦେଇଥିଲେ ଗୋଲ୍, ଯାହାକୁ ପାକିସ୍ତାନ ରିଭ୍ୟୁ ଜରିଆର ନାକଚ କରିବାରେ ସଫଳ ହୋଇଥିଲା। ସର୍କଲ ବାହାରୁ ଆସିଥିବା ଏହି ସଟ୍ ଜଣେ ଜର୍ମାନି ଖେଳାଳିଙ୍କ ଗୋଡ଼ରେ ବାଜି ଭିତରେ ପଶିଥିବାରୁ ଏହାକୁ ଗୋଲର ମାନ୍ୟତା ମିଳିନଥିଲା। ଫଳରେ ଏକମାତ୍ର ଗୋଲ ସହିତ ଜର୍ମାନି ବିଜୟୀ ହୋଇ ୩ ପଏଣ୍ଟରେ ଅଭିଯାନ ଆରମ୍ଭ କରିଥିଲା। ଭୁବନେଶ୍ବରରେ ୨୦୧୪ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନକୁ ହରାଇ ଜର୍ମାନି ବିଜେତା ହୋଇଥିବାରୁ ଏଠାରେ ନିଜର ପରବର୍ତୀ ମ୍ୟାଚ୍‌ରେ ମଧ୍ୟ ସମାନ ଦଳ ବିଜୟୀ ହୋଇଛି। ଏହି ୬୦ ମିନିଟର ମଧ୍ୟଭାଗ ପ୍ରାଧାନ୍ୟ ଖେଳରେ ମାତ୍ର ଗୋଟିଏ ଗୋଲ୍ ହେବା, ଉଭୟ ପକ୍ଷରୁ ଏକ ମାତ୍ର ପେନାଲଟି କର୍ନର ଦେଖିବାକୁ ମିଳିବା ରକ୍ଷଣାତ୍ମକ ଖେଳର ପ୍ରମାଣ ଦେଖାଇଥିଲା। କିନ୍ତୁ ୩ଟି ଗ୍ରିନ୍ କାର୍ଡ ଶାରୀରିକ ସଂଘର୍ଷର ନିଦର୍ଶନ ରଖିଥିଲା। ପାକିସ୍ତାନର ଦୁଇ ଜଣ ଇରଫାନ୍ ମହମ୍ମଦ ଜୁନିଅର (୫୩ ମିନିଟ), ଇରଫାନ୍ ମହମ୍ମଦ (୫୭ ମିନିଟ) ଏବଂ ଜର୍ମାନିର କ୍ରିଷ୍ଟୋଫର ରୁର୍ (୨୧ ମିନିଟ) ଗ୍ରିନ୍ ଦଣ୍ଡ ଭୋଗିଥିଲେ। ଜର୍ମାନିର ମ୍ୟାଟ୍ ଗ୍ରାମବଶ୍ଚଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ଏହି ମ୍ୟାଚ୍‌କୁ ଡିଜିପି ରାଜେନ୍ଦ୍ର ପ୍ରସାଦ ର୍ଶମା ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର