ଆଜିଠୁ ପାରାଲିମ୍ପିକ୍ସ: ଅଧିକ ପଦକ ଆଶା

ଭାରତୀୟ ପାରା ଆଥ୍‌ଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ସଚିନଙ୍କ ଅନୁରୋଧ

ଟୋକିଓ, ୨୩ା୮: ଟୋକିଓରେ ମଙ୍ଗଳବାରଠୁ ପାରାଲିମ୍ପିକ୍ସ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ୧୬୩ ଦେଶର ୪୫୦୦ରୁ ଅଧିକ ଆଥ୍‌ଲେଟ୍‌ ଭାଗନେଉଛନ୍ତି। ଖେଳାଳିମାନେ ୨୨ କ୍ରୀଡ଼ାର ୫୪୦ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଭାରତ ମଧ୍ୟ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ୫୪ ଜଣିଆ ଦଳ ପଠାଇଛି। ଚଳିତ ବର୍ଷ ଭାରତ ମଧ୍ୟ ଗତ ସଂସ୍କରଣଠୁ ଅଧିକ ପଦକ ଏବଂ ପ୍ରଥମ ଥର ଏହି ସଂଖ୍ୟା ଦୁଇ ଅଙ୍କରେ ପହାଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ସେପ୍ଟେମ୍ବର ୫ ତାରିଖରେ ଉଦ୍‌ଯାପିତ ହେବ ଏହି ପ୍ରତିଯୋଗିତା।

୨୦୧୬ ରିଓ ସ୍ବର୍ଣ୍ଣ ବିଜେତା ତାରକା ଜାଭଲିନ୍‌ (ଏଫ୍‌୪୬) ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଏବଂ ଉଚ୍ଚ ଡିଆଁ (ଟି୬୩) ତାରକା ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ନେତୃତ୍ବରେ ୫ ସ୍ବର୍ଣ୍ଣ ସହ ୧୫ ପଦକ ଜିତିବାର ଆଶା ରଖିଛି ଭାରତ। ଭାରତୀୟ ଆଥ୍‌ଲେଟ୍‌ମାନେ ୯ କ୍ରୀଡ଼ାରେ ନିଜର ଚମକ ଦେଖାଇବେ। ବିଶ୍ବ ମାନ୍ୟତାରେ ଭାରତର ୪ ଜଣ ଶୀର୍ଷରେ ଥିଲା ବେଳେ ୬ ଜଣ ଦ୍ବିତୀୟରେ ଏବଂ ୧୦ ଜଣ ତୃତୀୟ ସ୍ଥାନରେ ଥିବାରୁ ଏହି ଆଶା ଦେଖାଯାଇଛି। ୧୯୭୨ରେ ପ୍ରଥମ ଥର ଲାଗି ଭାରତ ପାରାଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲା ବେଳେ ଇତିହାସରେ ମୋଟ ୧୨ ପଦକ ହିଁ ଜିତିଛି। ୨୦୧୬ରେ ଭାରତ ୪ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପଦକ ଜିତି ତାଲିକାର ୪୬ତମ ସ୍ଥାନ ପାଇଥିଲା। ଯାହା ଭାରତର ପାରାଲିମ୍ପିକ୍ସରେ ଶ୍ରେଷ୍ଠ ସଫଳତା। ଚଳିତ ବର୍ଷ ଶ୍ରେଷ୍ଠ ୨୫ ଦେଶ ମଧ୍ୟରେ ରହିବାର ସମ୍ଭାବନା ରହିଛି।

୪୦ ବର୍ଷୀୟ ଝାଝାରିଆ ୨୦୦୪ ଓ ୨୦୧୬ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଏବଂ ବିଶ୍ବ କୀର୍ତ୍ତିମାନଧାରୀ। ଚଳିତ ବର୍ଷ ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିବା ଅଶାରେ ରହିଛନ୍ତି ଝାଝାରିଆ। ମାରିୟାପ୍ପାନ ୨୦୧୬ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଏବଂ ସଂପ୍ରତି ବିଶ୍ବମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ଉଦ୍‌ଘାଟନୀ ଦିବସରେ ଭାରତର ପତାକା ଧରିବେ। ବିଶ୍ବ ବିଜେତା ସନ୍ଦୀପ ଚୌଧୁରୀ (ଜାଭଲିନ୍‌, ଏଫ୍‌୬୪) ଭାରତର ତୃତୀୟ ସ୍ବର୍ଣ୍ଣ ପଦକ ଅଶାୟୀ। ବିଶ୍ବ ବିଜେତା ସୁନ୍ଦର ସିଂହ ଗୁର୍ଜାର ଓ ଅର୍ଜିତ ସିଂହ (ଜାଭଲିନ୍‌, ଏଫ୍‌୪୬) ଏବଂ ନଭଦୀପ ସିଂହ (ଜାଭଲିନ୍‌, ଏଫ୍‌୪୧) ମଧ୍ୟ ପଦକ ଆଶାୟୀ ଦୌଡ଼ରେ ଅଛନ୍ତି।

ପ୍ରଥମ ଥର ଲାଗି ପାରାଲିମ୍ପିକ୍ସରେ ସାମିଲ ହୋଇଥିବା ବ୍ୟାଡ୍‌ମିଣ୍ଟନରେ ମଧ୍ୟ ଭାରତ ପଦକ ଆଶା ରହିଛି। ବିଶ୍ବର ଏକ ନମ୍ବର ତଥା ଏକାଧିକ ଥର ବିଶ୍ବ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ (ଏସ୍‌ଏଲ୍‌୩) ସ୍ବର୍ଣ୍ଣ ପଦକ ଆଶାୟୀଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ କୃଷ୍ଣ ନଗର (ଏସ୍‌ଏଚ୍‌୬) ଓ ତରୁନ ଧୀ‌ଲୋଁ (ଏସ୍‌ଏଲ୍‌୪)ଙ୍କ ଭଲ କରିବାର ସମ୍ଭାବନା ରହିଛି। ଦୁଇଥରର ବିଶ୍ବ ବିଜେତା ଅଭିଜ୍ଞ ପାରୁଲ ପାରମାର ଏବଂ କିଶୋରୀ ପଲକ କୋହଲିଙ୍କ ମଧ୍ୟ ପଦକ ଆଶା ରହିଛି। ମଙ୍ଗଳବାର ତୀରନ୍ଦାଜିରୁ ଭାରତ ଟୋକିଓ ପାରାଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ। ତୀରନ୍ଦାଜି ଓ ବନ୍ଧୁକଚାଳନାରେ ମଧ୍ୟ ଭାରତର ପଦକ ଆଶା ରହିଛି। ତୀରନ୍ଦାଜ‌ରେ ରାକେଶ କୁମ‌ାର ଓ ଶ୍ୟାମ ସୁନ୍ଦର (କାମ୍ପାଉଣ୍ଡ), ବିବେକ ଚିକରା ଓ ହରବିନ୍ଦର ସିଂହ (ରିକର୍ଭ) ଏବଂ ମହିଳା ତୀରାନ୍ଦାଜ ଜ୍ୟୋତି ବାଲିୟାନ (କମ୍ପାଉଣ୍ଡ ଏକକ ଓ ମିଶ୍ରିତ) ଭାଗନେବେ। କାନୋଇଂ, ସନ୍ତରଣ, ଶକ୍ତି‌ଉତ୍ତୋଳନ, ଟେବୁଲ ‌ଟେନିସ ଓ ଟାଏକୋଣ୍ଡୋରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ଓ ସୋନାଲ ପଟେଲ ୨୫ ତାରିଖରେ ପ୍ରତିଦ୍ବନ୍ଦ୍ବିତା କରିବେ। ଡିସ୍‌କସ୍‌ ଫିଙ୍ଗାଳି ବିନୋଦ କୁମାର, ଜାଭଲିନ ଫିଙ୍ଗାଳି ଟେକ ଚାନ୍ଦ ଓ ଶକ୍ତିଉତ୍ତୋଳକ ଜୟଦୀପ ଓ ସକିନା ଖାତୁନ ମଧ୍ୟ ଭାରତ ପାଇଁ ପଦକ ଜିଣି ପାରିବେ।

ଭାରତୀୟ ପାରା ଆଥ୍‌ଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ସଚିନଙ୍କ ଅନୁରୋଧ

ମୁମ୍ବାଇ: ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ଆଗାମୀ ପାରାଲିମ୍ପିକ୍ସ ଲାଗି ଭାରତୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ‘‘ଏହା ପାରାଲିମ୍ପିକ୍ସର ସମୟ ଏବଂ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଟୋକିଓ ଯାଉଥିବା ୫୪ ଭାରତୀୟ ଆଥ୍‌ଲେଟ୍‌ଙ୍କୁ ଉତ୍ସାହିତ କରନ୍ତୁ। ମୁଁ ସର୍ବଦା କହେ ଯେ ଏହି ମହିଳା ଓ ପୁରୁଷ କେବଳ ଖେଳାଳି ନୁହନ୍ତି। ସେମାନେ ଭିନ୍ନକ୍ଷମ। ଏମାନଙ୍କ ନିକଟରେ ଅସାଧାରଣ ବ୍ୟକ୍ତିତ୍ବ ରହିଛି। ସେମାନଙ୍କ ଜୀବନ ଯାତ୍ରା ଦେଖିଲେ ଆମର ଆଖି ଖୋଲିଯିବ। ଯେଉଁଭଳି କ‌ଷ୍ଟ କରି‌ ସେମାନେ ଖେଳକୁ ଆସିଛନ୍ତି, ତାହା ଆମ ପାଇଁ ପ୍ରେରଣା। ଅନ୍ୟ ଖେଳାଳିମାନଙ୍କୁ ଆମେ ଯେଭଳି ସମ୍ମାନ ଦେଉଛେ। ଏମାନଙ୍କୁ ମଧ୍ୟ ସେହିଭଳି ଦେବା’’ ବୋଲି ସଚିନ କହିଛନ୍ତି। ‌‘‘ମୁଁ ଶୁଣିବାକୁ ପାଇଲି ଭାରତ ଚଳିତ ବର୍ଷ ୧୦ରୁ ଅଧିକ ପଦକ ଜିତିବ। ମୋ ବିଶ୍ବାସ ନିଶ୍ଚିତ ଏହା ହେବ। ରିଓରେ ଜିତିଥିବା ୪ ପଦକଠୁ ଏଥର ନିଶ୍ଚିତ ବଢ଼ିବ। ୧୦ ପଦକ ଜିତିଲେ ଆମେ ସ୍ବତନ୍ତ୍ର ଭାବେ ବଡ଼ ଉତ୍ସବ ପାଳନ କରିବା। ୫୪ ଖେଳାଳି ପୋଡିୟମରେ ପହଞ୍ଚିପାରିବେନି ସତ କିନ୍ତୁ ସମସ୍ତେ ଆମ ପାଇଁ ଆଦର୍ଶ। ଆମେ ସେମାନଙ୍କ ଖେଳକୁ ଉପଭୋଗ କରିବା। ସମସ୍ତଙ୍କୁ ଅନୁରୋଧ କରିବା ଚାଲନ୍ତୁ ଆମ ପ୍ରିୟ ଭାରତର ଏହି ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା’’ ବୋଲି ସଚିନ କହିଛନ୍ତି। ସୂଚନାଯୋଗ୍ୟ ଯେ ପାରାଲିମ୍ପିକ୍ସ ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଭାରତରୁ ୫୪ ‌କ୍ରୀଡ଼ାବିତ୍‌ ୯ଟି ଖେଳରେ ଭାଗନେବେ।

ସମ୍ବନ୍ଧିତ ଖବର