ଓଡ଼ିଶା କ୍ରୀଡ଼ାରେ କଣ କେହି ନାହାନ୍ତି? ଭୋଳାନାଥ ସିଂହ ୩ ଜଣିଆ କମିଟିର ମୁଖ୍ୟ, ଦିଲୀପ ତିର୍କି ସଦସ୍ୟ

ତୃତୀୟ ସଦସ୍ୟ ମନୋନୀତ କରିବାକୁ ଅଲିମ୍ପିକ ସଂଘକୁ ଚିଠି, ରାଜ୍ୟ ହକି ଜଗତରେ ଆଲୋଡ଼ନ, ନିଷ୍ପତ୍ତି ବଦଳାଇବାକୁ ଦାବି

କଟକ/ଭୁବନେଶ୍ବର: ଓଡ଼ିଶା ଅର୍ଥରେ ଚଳିବା, ଓଡ଼ିଶାର ଭିତ୍ତିଭୂମି ଉପଯୋଗ କରିବା। ଓଡ଼ିଶା ହକିକୁ କିନ୍ତୁ ପୂରା ଆମ ନିୟନ୍ତ୍ରଣରେ ରଖିବା। ସମ୍ଭବତଃ ଏହି ନୀତି, ନିୟମ ଓ ଲକ୍ଷ୍ୟକୁ ନେଇ ହକି ଇଣ୍ଡିଆ କାର୍ଯ୍ୟ କରୁଛି। କାରଣ ଗତ କିଛି ଦିନ ହେବ ଏହି ଜାତୀୟ ସଂଗଠନ ରାଜ୍ୟ ହକି ବିରୋଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛି। ପ୍ରଥମେ ହକି ଗାଙ୍ଗପୁର ଓଡ଼ିଶାର ସହଯୋଗୀ ସଦସ୍ୟତା କାଟିଦିଆଗଲା। ପରେ ହକି ଓଡ଼ିଶାକୁ ଭୋଟ ବିହୀନ ସହଯୋଗୀ ସଦସ୍ୟକୁ ଖସାଇ ଦିଆଗଲା। ଏବେ ମହନୀୟ ଇତିହାସ ସହ ଜାତୀୟ ଦଳକୁ ନିୟମିତ ଖେଳାଳି ଯୋଗାଇ ଆସୁଥିବା ଓଡ଼ିଶା ହକିର ପରିଚାଳନା ଲାଗି ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଅର୍ପଣ କରି ହକି ଇଣ୍ଡିଆ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ଯେ ଓଡ଼ିଶା ହକିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଛି, ତାହା ସ୍ପଷ୍ଟ କରି ଦେଇଛି। ଓଡ଼ିଶାରେ ହକି ପରିଚାଳନା ଲାଗି ହକି ଇଣ୍ଡିଆ ଯେଉଁ ଅସ୍ଥାୟୀ ସମିତି ବା ଆଡହକ୍ କମିଟି ଗଠନ କରିଛି ତା’ର ଅଧ୍ୟକ୍ଷ ଭୋଳାନାଥ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାରେ ବହୁ ଅଲିମ୍ପିଆନ୍, ଦକ୍ଷ କ୍ରୀଡ଼ା ପ୍ରଶାସକ ଏବଂ ଅଭିଜ୍ଞ କ୍ରୀଡ଼ା ପରିଚାଳକ ଥିଲେ ମଧ୍ୟ ଓଡ଼ିଶାରେ ହକି ବିକାଶ ଏବେ ଝାଡ଼ଖଣ୍ଡର ଜଣେ କ୍ରୀଡ଼ା ସଂଗଠକ କରିବେ। ଯାହା ଓଡ଼ିଶା ହକି ପ୍ରତି ଅପମାନ ନୁହେଁତ ଆଉ କଣ? ଆଗାମୀ ସମୟରେ ଓଡ଼ିଶାରେ ହକି ବିଶ୍ବକପ୍ ଭଳି ବୃହତ୍ ପ୍ରତିଯୋଗିତା ଖେଳାଯିବାକୁ ଥିବା ବେଳେ ଓଡ଼ିଶା ହକିର ପରିଚାଳନା କମିଟିର ମୁଖ୍ୟ ଦାୟିତ୍ବ ହକି ଝାଡ଼ଖଣ୍ଡ ସଭାପତିଙ୍କୁ ଦିଆଯିବାକୁ ହକିପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଓଡ଼ିଶା ହକିର ପରିଚାଳନା ଲାଗି କ’ଣ ଓଡ଼ିଶାରେ କେହି ନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏପରିକି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କୁ କମିଟିର ମୁଖ୍ୟ କରାନଯାଇ କେବଳ ସଦସ୍ୟ କରାଯିବାକୁ ସେମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ବାହାର ରାଜ୍ୟର ଜଣେ କ୍ରୀଡ଼ା ପ୍ରଶାସକଙ୍କୁ ଏହି କମିଟିରୁ ହଟାଇବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି।

ସେପଟେ ହକି ଓଡ଼ିଶାକୁ ଭାଙ୍ଗି ଆଡହକ୍ କମିଟି ଗଠନ କରିବାର ଅଧିକାର ହକି ଇଣ୍ଡିଆର ନାହିଁ ବୋଲି ହକି ଓଡ଼ିଶା କହିଛି। ସବୁଠାରୁ ବଡ଼ କଥା ହେଲା ଭୋଳାନାଥଙ୍କର ହକି ଖେଳିବାର ଅଭିଜ୍ଞତା ନାହିଁ। ଖେଳାଳି ଜୀବନରେ ସେ ଜଣେ କୁସ୍ତି ତାରକା ଥିଲେ। ତେବେ ସଂପ୍ରତି ହକି ଇଣ୍ଡିଆରେ ତାଙ୍କର ଢେର ପ୍ରଭାବ ରହିଛି। ଭୋଳାନାଥ ଓଡ଼ିଶା ହକିର ବିକାଶ ଓ ପରିଚାଳନା କମିଟିର ମୁଖ୍ୟ ହେବା ପରେ ଝାଡ଼ଖଣ୍ଡ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ସେଠାକାର ଗଣମାଧ୍ୟମ ପ୍ରଚାର କରି ଚାଲିଛି। ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ବି ଛୁଟିଛି। ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ଯେଉଁ ତିନିଜଣିଆ ଆଡ୍‌ ହକ୍‌ କମିଟି ଗଠନ କରିଛି ସେଥିରେ ସଂପ୍ରତି ହକି ଇଣ୍ଡିଆର ଉପସଭାପତି ଭୋଳାନାଥ ସିଂହ ଅଧ୍ୟକ୍ଷ ଥିବାବେଳେ ଅଲିମ୍ପିଆନ ଦିଲୀପ ତିର୍କି କ୍ରୀଡ଼ାବିତ୍‌ଙ୍କୁ ପ୍ରତିନିଧିତ୍ବ କରୁଛନ୍ତି। କମିଟିର ତୃତୀୟ ସଦସ୍ୟ ଭାବେ ଓଡ଼ିଶା ଅଲିମ୍ପିକ ସଂଘର ‌ଜଣେ ପ୍ରତିନିଧିଙ୍କୁ ନିଆଯିବ। ଏଥିପାଇଁ ଜଣେ ମନୋନୀତ ପ୍ରତିନିଧିଙ୍କ ନାମ ପଠାଇବାକୁ ହକି ଇଣ୍ଡିଆ ପକ୍ଷରୁ ରାଜ୍ୟ ଅଲିମ୍ପିକ ସଂଘକୁ ଅନୁରୋଧ କରାଯାଇଛି। ରାଜ୍ୟରେ ହକି ଖେଳର ପରିଚାଳନା ପାଇଁ ପୂର୍ବରୁ ରହିଆସିଥିବା ସ୍ବୀକୃତିପ୍ରାପ୍ତ ସଂଗଠନ ହକି ଓଡ଼ିଶାରେ ଦୀର୍ଘ ଦିନ ଧରି ଅନିୟମିତତା ଚାଲିଥିବା ସର୍ବଭାରତୀୟ ସଂଘ ନିକଟରେ ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶାକୁ ଏକାଧିକ ଥର ଚିଠି ଲେଖାଯାଇ ଜବାବ ଲୋଡ଼ାଯାଇଥିଲା। କିନ୍ତୁ ହକି ଓଡ଼ିଶାର ପ୍ରତିକ୍ରିୟା ମିଳୁନଥିବାରୁ ଶେଷରେ ଓଡ଼ିଶାର ହକି ପରିଚାଳନା ଦାୟିତ୍ବ ଆଡ୍‌ହକ୍‌ କମିିଟି କାନ୍ଧରେ ଛାଡ଼ିବାକୁ ସର୍ବଭାରତୀୟ ସଂଘ ନିଷ୍ପତ୍ତି ନେଇଛି।

ହକି ଇଣ୍ଡିଆର ଏଭଳି କ୍ଷମତା ନାହିଁ: ପ୍ରତାପ ଶତପଥୀ

ହକି ଇଣ୍ଡିଆର ଏତାଦୃଶ ଆଚରଣକୁ ଗ୍ରହଣ କରିବାକୁ ଚାହୁଁନାହିଁ ହକି ଓଡ଼ିଶା। ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀଙ୍କ ଯୁକ୍ତି ହେଉଛି ‌ଯେ, ବର୍ତ୍ତମାନ ସୁଦ୍ଧା ହକି ଓଡ଼ିଶା ଏକ ସ୍ବୀକୃତିପ୍ରାପ୍ତ ସଂଘ। ଏହାର ସ୍ବୀକୃତି ପ୍ରତ୍ୟାହାର କରାଯାଇନଥିବାରୁ ଆଡ୍‌ ହକ୍‌ କମିଟି ଗଠନ କରିବା କ୍ଷମତା ହକି ଇଣ୍ଡିଆର ନାହିଁ। ହକି ଓଡ଼ିଶା ଏକ ପଞ୍ଜିକୃତ ସଂଘ ହୋଇଥିବାରୁ ଏହାର ସମ୍ବିଧାନ ଅନୁଯାୟୀ ସଂଘ ପରିଚାଳିତ ହେଉଛି। ଏହା ଏକ ସ୍ବାଧୀନ ସ୍ବୟଂଶାସିତ ସଂଘ। ତେଣୁ ହକି ଓଡ଼ିଶାର ଇଚ୍ଛା ହେଲେ ହକି ଇଣ୍ଡିଆ ସହିତ ରହିବ ନହେଲେ ଓହରିଯାଇପାରିବ। ବାସ୍ତବରେ ହକି ଇଣ୍ଡିଆର ନେତୃତ୍ବ ନେଉଥିବା କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ହକି ଓଡ଼ିଶାକୁ ସହ୍ୟ କରିପାରୁନାହାନ୍ତି। ସେଥିପାଇଁ ସେମାନେ ହକି ଓଡ଼ିଶାକୁ ଅସୁବିଧାରେ ପକାଇବାକୁ ଚାହୁଁଛନ୍ତି। ପୂର୍ବରୁ ଯେପରି ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇବା ପାଇଁ କୋର୍ଟଙ୍କ ଆଶ୍ରୟ ନେଇଥିଲୁ, ଏଥର ମଧ୍ୟ ଯଦି ସର୍ବଭାରତୀୟ ସଂଘ ସେପରି କିଛି ଅସୁବିଧାରେ ପକାଇବାକୁ ଚେଷ୍ଟା କରେ, ତାହେଲେ ଆମେ ଆଇନର ଆଶ୍ରୟ ନେଇପାରିବୁ ବୋଲି ପ୍ରତାପ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଅଲିମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ୍‌ଙ୍କ କହିବାନୁସାରେ, ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ଆଡ୍‌ ହକ୍‌ କମିଟି ପାଇଁ ଏକ ନାମ ସୁପାରିସ କରିବାକୁ କୁହାଯାଇଛି। ତେବେ ଏସଂପର୍କରେ ଅଲମ୍ପିକ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଏକ ନାମ ପଠାଯିବ ବୋଲି ଅଭିଜିତ କହିଛନ୍ତି। ହେଲେ ହକି ଓଡ଼ିଶା ବିରୋଧରେ କୌଣସି ଅଭିଯୋଗ ବାବଦରେ ସେ କିଛି କହିପାରିନାହାନ୍ତି। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୯ ତାରିଖରେ ଓଡ଼ିଶା କ୍ରିକେଟ ସଂଘ କନ୍‌ଫରେନ୍ସ ହଲ୍‌ରେ ହକି ଓଡ଼ିଶାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏହି ନିର୍ବାଚନରେ ଆଡ୍‌ ହକ୍‌ କମିଟିର ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ହକି ସଂଘର ସମ୍ପାଦକ ଭୋଳାନାଥ ସିଂହ ପରିଦର୍ଶକ ଭାବେ ଯୋଗଦେଇଥିଲେ। ତେବେ ନିର୍ବାଚନ ସମୟରେ ସମ୍ବଲପୁର ଜିଲ୍ଲା ଦୌଡ଼କୁଦ ସଂଘକୁ ଡକାନଯିବା ପ୍ରସଙ୍ଗକୁ ନେଇ ସମ୍ପାଦକ ଦୁଲାଲ ପ୍ରଧାନ ଓ ବିଭାଗୀୟ ସମ୍ପାଦକ (ହକି) କାଳୁ ଚରଣ ସ୍ବାଇଁ ବୈଠକରେ ହୋ-ହାଲ୍ଲା କରିଥିଲେ। ହକି ଓଡ଼ିଶାର ମନମୁଖୀ କାର୍ଯ୍ୟ ଓ ଅନିୟମିତା ବିଷୟରେ ଖୋଲାଖୋଲି ଭାବେ ବୈଠକରେ ଉପସ୍ଥାପନ କରି ତାହାକୁ ବିରୋଧ କରିଥିଲେ। ସେବେଠାରୁ ହକି ଇଣ୍ଡିଆ ସମ୍ମୁଖରେ ହକି ଓଡ଼ିଶାର ଏକ ନକରାତ୍ମକ ଛବି ରହିଆସିଥିଲା।

ସମ୍ବନ୍ଧିତ ଖବର