‌ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଜେଇଙ୍କ ଭଡ଼ାଘରେ ୮ ଘଣ୍ଟା ଯାଞ୍ଚ କଲା ସିବିଆଇ

ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ବୟାନ୍‌ ରେକର୍ଡ ସରିଛି। ଏପରି ସମୟରେ ଆଜି ବାହାନଗା ଷ୍ଟେସନ୍‌ର ସିଗ୍‌ନାଲ୍‌ କନିଷ୍ଠ ଯନ୍ତ୍ରୀ (ଜେଇ) ଅମୀର ଖାନଙ୍କ ଭଡ଼ାଘର ଯାଞ୍ଚ ହୋଇଛି। ସକାଳ ପ୍ରାୟ ୮ଟା ୧୫ ମିନିଟ୍‌ ବେଳେ ୭ ଜଣିଆ ସିବିଆଇ ଟିମ୍‌ ଜେଇ ଅମୀର ଖାନଙ୍କୁ ସାଙ୍ଗରେ ଧରି ସୋର ପୌରପାଳିକା ଅଧୀନ ଅନ୍ନପୂର୍ଣ୍ଣା ମିଲ୍‌ କ୍ୟାମ୍ପସ୍‌ସ୍ଥିତ ତାଙ୍କ ଭଡ଼ାଘରେ ପହଞ୍ଚିଥିଲେ। ସେଠାରେ ଘର ସିଲ୍‌ ଖୋଲି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। ଅପରାହ୍ନ ପ୍ରାୟ ୪ଟା ୪୦ ମିନିଟ୍‌ ବେଳକୁ ସିବିଆଇ ଟିମ୍‌ ଶ୍ରୀ ଖାନଙ୍କ ସହ କିଛି କାଗଜପତ୍ର ନେଇ ଭୁବନେଶ୍ବର ଅଭିମୁଖେ ଯାଇଥିବା ଜଣାପଡ଼ିଛି। ଗତକାଲି ସକାଳେ ଶ୍ରୀ ଖାନଙ୍କ ଭଡ଼ା ଘରେ ୫ ଜଣିଆ ସିବିଆଇ ଟିମ୍‌ ଚଢ଼ାଉ କରିଥିଲା। ଘ‌‌ରେ ତାଲା ଲାଗିଥିବାରୁ ଟିମ୍‌କୁ ଅପେକ୍ଷା କରିବା ପାଇଁ ପଡ଼ିଥିଲା। ତେବେ ସଂଧ୍ୟା ସୁଦ୍ଧା କେହି ଆସି ନଥିଲେ। ଫଳରେ ଘରକୁ ସିଲ୍‌ କରିଦିଆଯାଇଥିଲା।

ସୂଚନାଥାଉକି, ଚଳିତ ମାସ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସର ଶେଷ ଦୁଇଟି ବଗି କରମଣ୍ଡଳ ବଗି ସହିତ ଧକ୍କା ହୋଇଥିଲା। ଏଥିରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର