କୋରାପୁଟ ଜିଲ୍ଲାରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ

କୋରାପୁଟ : କରୋନା ସଂକ୍ରମଣ କୋରାପୁଟ ଜିଲ୍ଲାରେ ଭୟାନକ ଭାବେ ବୃଦ୍ଧି ପାଉଛି। ନିତି ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିଲାବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ ଶହ ପାଖାପାଖି ହୋଇଗଲାଣି। ଆଜି ପୁଣି ଜିଲ୍ଲାରୁ ମୋଟ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଉଦବେଗର ବିଷୟ, ଏଥିରୁ ୨୨ ସ୍ଥାନୀୟ ସଂକ୍ରମିତ। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲାବେଳେ ବାକି ୨ ଜଣ ଗୃହ ସଙ୍ଗରୋଧରେ ରହିଥିଲେ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୮ରେ ପହଞ୍ଚିଛି।

କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷକରି ଚଳିତ ଜୁଲାଇ ଦ୍ୱିତୀୟ ସପ୍ତାହରୁ ସଂକ୍ରମଣ ତୀବ୍ର ହୋଇଛି। ନିୟମିତ ଭାବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପୁଣି ଜିଲ୍ଲାର ବିଭିନ୍ନ ଭାଗରୁ କରୋନା ପଜିଟିଭ ହେଉଥିବା ଖବର ଆସୁଛି। ଏହାକୁ ନେଇ ସ୍ଥିତି ବିଗିଡି ଯାଉଥିଲାବେଳେ ଆଜି ପୁଣି ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କୋରାପୁଟ ପୌରାଞ୍ଚଳରୁ ସର୍ବାଧିକ ୧୪ ଜଣ, କୋରାପୁଟ ବ୍ଲକରୁ ୫ ଜଣ, ଜୟପୁର ପୌରାଞ୍ଚଳରୁ ୩ ଜଣ, ସୁନାବେଡା ପୌରାଞ୍ଚଳରୁ ଜଣେ, ଲକ୍ଷ୍ମୀପୁର ବ୍ଳକରୁ ଜଣେ, ବୈପାରୀଗୁଡା ବ୍ଲକରୁ ଜଣେ ଓ ପଟାଙ୍ଗୀ ବ୍ଲକରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ଭିତରୁ ୨ ଜଣ ପୁରୀରୁ, ୨ ଜଣ ଗଜପତିରୁ ଓ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ଏମାନେ ସମସ୍ତେ ସଙ୍ଗରୋଧରେ ରହୁଥିଲେ। ଅନ୍ୟ ୨୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂପର୍କରେ ଆସିଥିଲେ। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ କଣ୍ଟେନମେଣ୍ଟ ଜୋନ ଅଂଚଳର। ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବିଏସଏଫ ଯବାନ, ୨ ଜଣ ପୁଲିସ କର୍ମଚାରୀ ଓ ଜଣେ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି।

360Hoardings

ଜିଲ୍ଲାରେ କରୋନା କାୟା ମେଲାଉଥିଲାବେଳେ ସବୁଠାରୁ ଅଧିକ ସଂକ୍ରମଣ କୋରାପୁଟ ସହରରେ ହୋଇଛି। ଆଜି କୋରାପୁଟ ପୌରାଞ୍ଚଳରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ କେବଳ ୧୦ ଜଣ ଡିଏନକେ କଲୋନୀ ଅଂଚଳର। ଜଣେ ଅମୀନ ଲାଇନ, ଜଣେ ପୁଲିସ ଲାଇନ ଓ ୨ ଜଣ କୋରାପୁଟ ଓଏମପି ଲାଇନର ରହିଛନ୍ତି। କୋରାପୁଟ ବ୍ଲକରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଦାମନଯୋଡି ଅଂଚଳର। ଏ ଭିତରେ ମାଥାଲପୁଟର କଳାହାଣ୍ଡି କଲୋନୀରୁ ୩ଜଣ ଓ ମାଥାଲପୁଟରୁ ୨ ଜଣ ଅଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁନାବେଡା ସହରରୁ ଜଣେ ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ମୀପୁର ବ୍ଲକ ଡୋଳିଆମ୍ବରୁ ମଧ୍ୟ ଜଣେ କରୋନା ପଜିଟିଭ ହୋଇଥିବା ରିପୋର୍ଟ ଆସିଛି। ପଟାଙ୍ଗୀ ଆଇଟିଆଇରେ ହୋଇଥିବା ଟିଏମସିରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏପଟେ ବୈପାରିଗୁଡା ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୟପୁର ପୌରାଞ୍ଚଳରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୨ ଜଣ ଜୟନଗରର ହୋଇଥିଲାବେଳେ ଜଣେ ନିକଟସ୍ଥ ଚିଲିଗୁଡାର। ବୈପାରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ପୁରୁଷ ଥିଲାବେଳେ ୧୩ ଜଣ ମହିଳା ଅଛନ୍ତି।

BD Biosciences

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଅଧିକାଂଶ ମାମଲା କଣ୍ଟେନମେଣ୍ଟ ଜୋନରୁ ଆସିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। କୋରାପୁଟ ସହରରୁ କଳାନିକେତନ-ଚନ୍ଦନପୋଖରୀ ରାସ୍ତାକୁ ସିଲ କରି ଦିଆଯାଇଛି। ଏପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଲକ୍ଷଣ ଥିବା ଲୋକମାନଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଏହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ସବୁ ଅଂଚଳ କଣ୍ଟେନମେଣ୍ଟରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ବାହାରୁ ଆସିଥିବା ସଂକ୍ରମିତ ଓ ତାଙ୍କ ଦ୍ବାରା ସ୍ଥାନୀୟ ସଂକ୍ରମଣ କାରଣରୁ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢିଛି। ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ଲୋକଙ୍କର ଲକ୍ଷଣ ଥିଲେ ସେମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯିବ। ଏପରି କରି ଜିଲ୍ଲାରେ ସଂକ୍ରମଣକୁ କମାଇବାକୁ ଯୋଜନା କରାଯାଇଛି। ଲୋକମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। କୋରାପୁଟ ସିଡିଏମଓ ଦେଇଥିବା ସୂଚନା ଅନୁସାରେ, ଆଜି ୨୭ ଜଣ ନୂତନ ସଂକ୍ରମିତଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୮ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୮୭ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି।

ସମ୍ବନ୍ଧିତ ଖବର