ଘରେ ନିଆଁ ଲଗାଇଲା ଯୁବକ

ତେଲକୋଇ : ତେଲକୋଇ ଥାନା ଦୋବଲାପାଳ ଗ୍ରାମରେ ଜଣେ ମଦ୍ୟପ ଯୁବକ ନିଜ ଘରେ ନିଆଁ ଲଗାଇ ଦେଇଛି। ସକାଳେ ସମ୍ପୃକ୍ତ ଯୁବକ ଜଣକ ତେଲକୋଇ ଡାକ୍ତରଖାନାକୁ ଆସି ପାଟିତୁଣ୍ଡ କରିବା ପରେ ଘରକୁ ଯାଇ ଘର ବାଇକ୍ ଓ ଆସବାବପତ୍ରରେ ନିଆଁ ଲଗାଇ ଜାଳି ଦେଇଛି। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଗ୍ରାମର ଶଙ୍କର୍ଷଣ ନାୟକଙ୍କ ପୁଅ ଦୀପକ କୁମାର ନାୟକ (୨୮) ରବିବାର ସକାଳେ ତେଲକୋଇ ଡାକ୍ତରଖାନାରେ ପହଞ୍ଚିଥିଲା। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ପାଟିତୁଣ୍ଡ କରିଥିଲା। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକ ଚମ୍ପଟ ମାରିଥିଲା। ପରେ ଦୀପକ ଘରକୁ ଯାଇ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲା। ଘରେ ଥିବା ଗୋଟିଏ ବାଇକ୍ ଓ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲା। ଅଗ୍ନିକାଣ୍ଡରେ ୩ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସଂପୃକ୍ତ ଯୁବକକୁ କାବୁ କରିଛନ୍ତି।

ସମ୍ବନ୍ଧିତ ଖବର