ହଟ୍ଟଗୋଳରେ ପାରିତ ହେଲା ଅତିରିକ୍ତ ବଜେଟ୍‌: ୨୮,୨୦୦କୋଟିର ଅତିରିକ୍ତ ବଜେଟ୍‌

ଗୃହରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ

ଭୁବେନଶ୍ବର: ବିଧାନସଭାରେ ବିରୋଧୀ ଦଳ ବିଜେପିର ବିଧାୟକଙ୍କ ହଟ୍ଟ‌ଗୋଳ ମଧ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮,୨୦୦ କୋଟି ୨୫ହଜାର ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପାରିତ ହୋଇଛି। ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଗୃହରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନ କରି କହିଥିଲେ, ଏହି ଅର୍ଥ ରାଜ୍ୟର ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ। ଏଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୨୮୬୪କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୨୦,୧୦୦ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୪୬୬୪କୋଟି, ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫୭୨କୋଟି ଟଙ୍କା ଅଛି। ଏହି ଅତିରିକ୍ତ ବଜେଟରେ ଚାଲୁଥିବା ତଥା ନୂତନ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକ ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା ବାବଦକୁ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା କରାଯାଇଛି। କେଉଁ କେଉଁ ବିଭାଗକୁ କେତେ ବଜେଟ୍‌ ଦିଆଯାଇଛି ସେନେଇ ଶ୍ରୀ ଆରୁଖ ସୂଚନା ଦେବା ସହ କହିଥିଲେ ଯେ ଏହି ଅତିରିକ୍ତ ବଜେଟ୍‌ରେ ଲକ୍ଷ୍ମୀ, ଆମ ଓଡ଼ିଶା ନବୀନ ଓଡ଼ିଶା, ଭୁବନେଶ୍ବର ମେଟ୍ରୋ ରେଳ ଭଳି ନୂତନ ରୂପାନ୍ତରକାରୀ ଯୋଜନା ପାଇଁ ଆବଶ୍ୟକ ବ୍ୟୟ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ବ୍ୟୟ ବରାଦ ସହ ଆମେ ରାଜସ୍ବ ବଳକା ପରିସ୍ଥିତି ବଜାୟ ରଖିବୁ, ଆର୍ଥିକ ନିଅଣ୍ଟକୁ ସକଳ ରାଜ୍ୟ ଘରୋଇ ଉତ୍ପାଦର ୩% ମଧ୍ୟରେ ସୀମିତ ରଖିବୁ ଏବଂ ଋଣ-ସକଳ ରାଜ୍ୟ ଘରୋଇ ଉତ୍ପାଦର ଅନୁପାତକୁ ବର୍ଷ ଶେଷରେ ନିର୍ଦ୍ଧାରିତ ସ୍ତର ମଧ୍ୟରେ ସୀମିତ ରଖିବାକୁ ଆଶା କରୁଛୁ।

ଅପରପକ୍ଷେ ଏହି ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଲୋଚନାରେ ବିଜେପି କି କଂଗ୍ରେସ ବିଧାୟକମାନେ ଭାଗ ନେଇନଥିଲେ। କେବଳ ଶାସକ ଦଳ ପକ୍ଷରୁ ବିଧାୟକ ଶଶୀଭୂଷଣ ବେହେରା ଏବଂ ରାଜକିଶୋର ଦାସ ଏହା ସପକ୍ଷରେ କହିଥିଲେ।

ଆଜି ବାଚସ୍ପତି ଗୃହରେ ବିଧାନସଭାର ବିଭିନ୍ନ କମିଟି ପାଇଁ ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। କିନ୍ତୁ ବିଜେପି ବିଧାୟକମାନେ ଦୁଇ ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ନିଲମ୍ବନକୁ ପ୍ରତ୍ୟାହାର ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ। ପୂର୍ବାହ୍ନରେ ବିଜେପି ସଦସ୍ୟମାନେ ଏହି ଦାବି କରି ଗୃହରେ ହୋହଲ୍ଲା କରିଥିଲେ। ଫଳରେ ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆଦୌ ହୋଇପାରି ନଥିଲା। ଆଜି ଗୃହରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜ୍ୟ ଆର୍ଥିକ ସ୍ଥିତିର ପ୍ରତିବେଦନ ଉପରେ ଭାରତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ରିପୋର୍ଟକୁ ଉପସ୍ଥାପନ କରିଥିଲେ। ଏହାସହ ବିଭିନ୍ନ ବିଭାଗର ମନ୍ତ୍ରୀ ସେମାନଙ୍କ ବିଭାଗର ରିପୋର୍ଟ ଉପସ୍ଥାପନ କରିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଏଣ୍ଟ ଅଫ୍ ଅର୍ଡର ମାଧ୍ୟମରେ କହିଥିଲେ ଯେ ଏକ ଅଗଣତାନ୍ତ୍ରିକ ଉପାୟରେ ଗୃହକୁ ଚଲାଗଲା। ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରାଗଲା। ଶିକ୍ଷକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେମାନଙ୍କ ଦାବି ଉପରେ ଆଲୋଚନା ହେବାର ଥିଲା। ହେଲେ ଏ ଜନବିରୋଧୀ ସରକାର ଏହାକୁ କରିବାକୁ ଦେଲେନି। ବିରୋଧୀ ଦଳ ନେତା କହୁଥିବାବେଳେ ବାଚସ୍ପତି ମାଇକ୍ କାଟି ଦେଇଥିଲେ। ଏହାପରେ ବିଜେପି ବିଧାୟକମାନେ କ୍ଷୋଭ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର