ସୁଧୁରୁନି ଆଦର୍ଶ ପୋଖରୀ, ଭୋଟ ବର୍ଜନ ଚେତବନୀ

ଲହୁଣିପଡ଼ା: ଲହୁଣିପଡ଼ା ବ୍ଲକ୍‌ ଅନ୍ତର୍ଗତ ରଜାମୁଣ୍ଡା ପଞ୍ଚାୟତସ୍ଥ ପତିବନ୍ଧଟି ଆଦର୍ଶ ପୋଖରୀ ମାନ୍ୟତା ପାଇଛି। ମାତ୍ର ପୋଖରୀର ପାହୁଚଘାଟ ଗତ ୭ବର୍ଷ ଧରି ନିର୍ମାଣ ଚାଲିଛି ଯେ ସରୁନାହିଁ। ଯାହା ଫଳରେ ଗାଁ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଖରୀଟି ରଜାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂର​ରେ ରହିଛି। ହେଲେ ଲୋକେ ପୋଖରୀର ଉନ୍ନତୀକରଣ ନିମନ୍ତେ ବାରମ୍ବାର ଦାବି ଓ ଅଭିଯୋଗ କରି ଆସୁଥିଲେ ହେଁ ପଞ୍ଚାୟତ ସମିତି କର୍ତ୍ତୃପକ୍ଷ କି ସରପଞ୍ଚ ସେଥିପ୍ରତି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଆଦର୍ଶ ପୋଖରୀକୁ ରାଜାମୁଣ୍ଡା, ଶରଧାପୁର, ଗୁଢ଼ିଆଳି, ମିଶ୍ରପାଲି ଆଦି ୪ ଗ୍ରାମର ଲୋକେ ବ୍ୟବହାର କରିଥାନ୍ତି। ୭ ବର୍ଷ ତଳୁ ଲହୁଣିପଡ଼ା ପଞ୍ଚାୟତ ସମିତି ପକ୍ଷରୁ ଏହି ପୋଖରୀର ପ​ଙ୍କୋଦ୍ଧାର ଓ ପାହାଚ ନିର୍ମାଣ ପାଇଁ ଅର୍ଥ ଆସିଥିବାବେଳେ ଏହାର ଉପଯୁକ୍ତ ବିନିଯୋଗ ନ କରି ଛାଡ଼ି ଦିଆ ଯାଇଥିଲା। ଏହି ପୋଖରୀରେ ଥିବା ପଙ୍କକୁ କାଢ଼ି ଚାରିପାଖରେ ଥିବା ହିଡ଼ରେ ପକାଇ ଦିଆ ଯାଇଥିଲା। ଫଳରେ ହିଡ଼ ଗୁଡ଼ିକ ପାହାଡ଼ ଭଳି ଉଚ୍ଚ ହୋଇ ଯାଇଥିଲା।

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଖରୀକୁ ପାଣି ପିଇବାକୁ ଆସୁଥିବା ପଶୁମାନେ ମଧ୍ୟ ହିଡ଼ ଉପରକୁ ଉଠିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଏହି ପୋଖରୀରେ ପୂର୍ବରୁ ୫ଟି ପାହାଚ ନିର୍ମାଣ ହୋଇଥିବାବେଳେ ପଙ୍କୋଦ୍ଧାରବେଳେ ସେଗୁଡ଼ିକ ଭାଙ୍ଗି କେବଳ ଗୋଟିଏ ପାହାଚ ନିର୍ମାଣ କରା ଯାଇଥିଲା। ସୂଚନାଫଳକରେ କାମ ଆରମ୍ଭ ତାରିଖ ଥିବାବେଳେ ଶେଷ ହେବାର ତାରିଖ ନାହିଁ। ପୁରୁଷ ଓ ମହିଳାଙ୍କ ଗାଧୋଇବା ପାଇଁ ସ୍ବତନ୍ତ୍ର ସୁବିଧା ମଧ୍ୟ କରାଯାଇ ନାହିଁ।

ଆଗକୁ ଗ୍ରୀଷ୍ମଋତୁ ଆସୁଥିବାବେଳେ ତୁରନ୍ତ ପୋଖରୀ ଘାଟ ସଜାଡ଼ିବାକୁ ଗାଁ ଲୋକେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ମାଳତୀ କିସାନଙ୍କୁ ପଚାରିବାରୁ ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ଏହି ପାହାଚ ନିର୍ମାଣ କାର୍ଯ୍ୟ ନିର୍ଦେଶ ହୋଇ ଥିବାବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବିଳମ୍ବ ହେଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର