୭ ବର୍ଷ ପରେ ନଗଡ଼ା…: କୋଟିକୋଟି ଖର୍ଚ୍ଚ, ବଦଳୁ ନାହାନ୍ତି ଲୋକ

ଫଟୋ ଦେଖାଇ ଏନ୍‌ଜିଓ ଉଠାଇଛି ୨୦କୋଟି

କାଳିଆପାଣି : ୨୦୧୬ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ନଗଡ଼ାକୁ ଆଦର୍ଶ ଗାଁ କରାଯିବ ବୋଲି ଘୋଷଣା କରିଥିଲେ। ଏହାପରଠୁ ନଗଡ଼ା ଜୁଆଙ୍ଗମାନଙ୍କ ସାମାଜିକ ସଚେତନତା ପାଇଁ ୟୁନିସେଫ୍‌ ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ନିୟୋଜିତ ହୋଇଛନ୍ତି। ହେଲେ, ରାଜ୍ୟ, ଦେଶ ଓ ବିଦେଶ ପାଣ୍ଠିରେ ପରିପୁଷ୍ଟ ହୋଇଥିବା ଏନ୍‌ଜିଓଗୁଡ଼ିକ ପାଇଁ ନଗଡ଼ା ଏବେ ଚରାଭୂଇଁ ପାଲଟିଥିବା ବେଳେ ଅପପୁଷ୍ଟିର ଫଟୋ ଓ ଭିଡିଓକୁ ଦେଖାଇ ୨୦କୋଟି ଟଙ୍କାର ଅନୁଦାନ ଉଠାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ତଥାପି ସଚେତନ ହୋଇପାରୁନାହାନ୍ତି ନଗଡ଼ାର ବାସିନ୍ଦା।

ସ୍ବାସ୍ଥ୍ୟ, ଶିକ୍ଷା କିଛିବି ଛୁଇଁପାରିନି
ଏବେ ବି ଚାଲିଛି ବାଲ୍ୟବିବାହ
୩ବର୍ଷ ଧରି ଉନ୍ନୟନ କାର୍ଯ୍ୟ ଠପ୍‌

‘ସମ୍ବାଦ’ ଦ୍ବାରା ନଗଡ଼ା ଲୋକଲୋଚନକୁ ଆସିବା ଘଟଣା ଆଜି ୭ ବର୍ଷ ଛୁଇଁବ। ଏହିଦିନ ଅପପୁଷ୍ଟି ଯୋଗୁ ୧୯ଜଣ ଶିଶୁ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। ଏହି ଘଟଣା ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। ରାଜ୍ୟ ସରକାର ଏହାର ବିକାଶ ଉପରେ ବି ପ୍ରାଧାନ୍ୟ ଦେଇଥିଲେ। ତେବେ, ଗୋଟିଏପଟେ ବିକାଶ ହୋଇଥିବା କୁହାଯାଉଥିବା ବେଳେ ଅନ୍ୟପଟେ ସଚେତନତା ଅଭାବରୁ ଲୋକମାନଙ୍କର ଜୀବନ ଓ ଚଳଣିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଏହାର ଏକ ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଉପରନଗଡ଼ା ମୁଖିଆ ମଣିଆ ପ୍ରଧାନ ଓ ତାଙ୍କ ପତ୍ନୀ ଆଶାକର୍ମୀ ମଙ୍ଗୁଳି ପ୍ରଧାନ ତାଙ୍କ ଅସୁସ୍ଥ ବିଧବା ଝିଅ ଓ ନାତୁଣୀକୁ ସାଥୀରେ ଧରି ଡାକ୍ତରଖାନାରୁ ଲୁଚି ପଳାଇଛନ୍ତି। ଏସିଡ୍‌ ପାଣି ପିଇ ଗୁରୁତର ଅବସ୍ଥାରେ ତାଙ୍କ ଝିଅ ବୁଦୁନିଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପରାମର୍ଶ ଶୁଣି ଏହି ଜୁଆଙ୍ଗ ପରିବାର ଲୁଚିଥିଲେ। ଏବେ ବି ସ୍ବାସ୍ଥ୍ୟସେବା ପାଇଁ ସେମ‌‌ା‌ନେ ଗୁଣିଗାରେଡ଼ି ଉପରେ ନିର୍ଭର କରୁଛନ୍ତି। ଗତବର୍ଷ ରୋଗରେ ପଡ଼ିଥିବା ନଗଡ଼ାର କିଞ୍ଜିରିଆ ପ୍ରଧାନ(୨୨) ଓ ଇନ୍ଦୁ ପ୍ରଧାନ(୨୭)ଙ୍କ ପାଇଁ ପରିବାର ପକ୍ଷରୁ ଝଡ଼ାଫୁଙ୍କା ଏବଂ କୁକୁଡ଼ା, ଛେଳି ବଳି ଦିଆଯାଇଥିଲା। ହେଲେ, ଚିକିତ୍ସା ଅଭାବରୁ ଦୁହିଁଙ୍କର ଅକାଳ ମୃତ୍ୟୁ ହୋଇଥିଲା।

ଇଏ ତ ଗଲା ସ୍ବାସ୍ଥ୍ୟକଥା, ଶିକ୍ଷା ଓ ବିବାହ କ୍ଷେତ୍ରରେ ମଧ୍ୟ ଆଦୌ ସଚେତନ ହୋଇପାରିନାହାନ୍ତି ଏଠାକାର ଲୋକେ। ଗତବର୍ଷ ମାଟ୍ରିକ୍‌ ପାସ କରିଥିବା ନଗଡ଼ାର ୪ ନାବାଳକ ମିଟୁ ପ୍ରଧାନ, ନିଧିଆ ପ୍ରଧାନ, କାଳିଆ ପ୍ରଧାନ ଓ ସଇତ ପ୍ରଧାନ ଏବେ ପାଠ ଛାଡ଼ି ଗାଁରେ ବୁଲୁଛନ୍ତି। ୭ ବର୍ଷ ମଧ୍ୟରେ ନଗଡ଼ା ପାହାଡ଼ି ଇଲାକାରେ ମୋଟ୍‌ ୩୬ ଟି ବିବାହ ମଧ୍ୟରୁ ୩୪ଟି ବାଲ୍ୟବିବାହ ବୋଲି ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଏଯାବତ୍ ସରକାରୀ ଯୋଜନାରେ କୌଣସି ନଗଡ଼ା ଯୁବକ ସ୍ବାବଲମ୍ବୀ କିମ୍ବା ରୋଜଗାରକ୍ଷମ ହେବାର ଦୃଷ୍ଟାନ୍ତ ନାହିଁ। ମୂଲମଜୁରି କିମ୍ବା କାମଧନ୍ଦାରୁ ଆୟ କରୁଥିବା ନଗଡ଼ାର ଯୁବକମାନେ ମଦ ଓ ହାଣ୍ଡିଆ ସେବନ କରୁଛନ୍ତି। ଜନ୍ମ ନିୟନ୍ତ୍ରଣ ଯୋଜନା ଏଠାରେ ସଂପୂର୍ଣ୍ଣ ଦିଗହରା ହୋ‌ଇରହିଛି। ୭ ବର୍ଷ ମଧ୍ୟରେ ନଗଡ଼ାର ଜନସଂଖ୍ୟା ୧୨୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ ମସିହାରେ ନଗଡ଼ା ପାରିପାର୍ଶ୍ବିକ ଅଞ୍ଚଳ ଲୋକସଂଖ୍ୟା ୩୫୨ ଥିବା ସ୍ଥଳେ ଏବେ ଏହା ୭୮୩ ପହଞ୍ଚିଲାଣି। ଏଠାରେ ଏନଜିଓ ସେବା ଲପଲବ୍‌ଧ ହେଉନି ବୋଲି କହନ୍ତି ନିୟମିତ ନଗଡ଼ା ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଗସ୍ତରେ ଯାଉଥିବା ଡାକ୍ତର ଶୁଭାଶିଷ ଜେନା।

ଅନ୍ୟପକ୍ଷରେ, ୩ ବର୍ଷ ଧରି ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ପୂର୍ବ ବ୍ୟୟବରାଦରେ ନଗଡ଼ା ସଡ଼କକୁ ଛାଡ଼ିଦେଲେ ଆଉକିଛି ହୋଇନଥିବା କୁହାଯାଉଛି। ଗୁହିଆଶାଳ ରାଜସ୍ବ ମୌଜା ଏବଂ ତୁମୁଣି ଓ ତଳଡିହ ଗାଁକୁ ଏଯାବତ୍ ବାଟ ଫିଟିନି। ନଗଡ଼ାର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ବିଡିଓ ନମ୍ରତା ମୋଦୀଙ୍କୁ ପଚାରିବାରେ ଫାଇଲ୍‌ ଦେଖିକରି କହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର