ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ହେବା ପରେ ରାଜ୍ୟ ବିଧାନସଭାରେ ଅଚଳାବସ୍ଥା

ଭୁବନେଶ୍ବର : ଲୋକସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ହେବା ପରେ ଏହାର ପ୍ରଭାବ ରାଜ୍ୟ ବିଧାନସଭାରେ ପଡ଼ିଛି। କଂଗ୍ରେସ ଦଳର ବିଧାୟକମାନେ ଏହାକୁ ବିରୋଧ କରି ଅପରାହ୍ନରେ ଗୃହରେ ହଟ୍ଟଗୋଳ କରିବା‌ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରାଇ ଦେଇନାହାନ୍ତି। ଗୃହରେ ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଏହି ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନ୍‌କୁ ପଠାଇଛନ୍ତି।

ଅପରାହ୍ନରେ କଂଗ୍ରେସ ବିଧାୟକମାନେ ‘ଗଣତନ୍ତ୍ର ହତ୍ୟା କରୁଛି କିଏ, ନରେନ୍ଦ୍ର ମୋଦୀ ଆଉ କିଏ’ ନାରା ଦେଇ ଗୃହରେ ହଟ୍ଟଗୋଳ
କରିଥିଲେ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଅପରାହ୍ନ ୪ଟା ୪ରେ ୨୦ମିନିଟ, ୪ଟା ୨୬ରେ ୩୦ମିନିଟ, ୪ଟା ୫୬ରେ ୩୦ମିନିଟ, ୫ଟା ୩୩ରେ ସଂଧ୍ୟା ୬ଟା ଯାଏ ଗୃହ ମୁଲତବୀ କରିଥିଲେ। ଏହାପରେ ବି ଗୃହ ଚଳାଇବା ସମ୍ଭବ ନହେବାରୁ ସଂଧ୍ୟା ୬ଟା ୦୧ରେ ସୋମବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।

ଗୃହରେ ହଟ୍ଟଗୋଳ ଚାଲିଥିବାବେଳେ ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, କଂଗ୍ରେସ ଶାସନ ସମୟରେ ନିୟମ ହୋଇଥିଲା ଯେ ଯେଉଁ ସଦସ୍ୟଙ୍କୁ ଦୁଇବର୍ଷ ବା ତାହାଠାରୁ ଅଧିକ ଦଣ୍ଡାଦେଶ ହେବ ତାଙ୍କ ସଦସ୍ୟତା ରଦ୍ଦ ହେବ। ଏଥିରେ କାହାର କିଛି କରିବାର ନାହିଁ। ସମସ୍ତଙ୍କ ପାଇଁ ଆଇନ ସମାନ। ରାହୁଲ ଗାନ୍ଧୀ କ’ଣ ଆଇନର ଉର୍ଦ୍ଧ୍ୱରେ କି? ରାହୁଲ ଗାନ୍ଧୀ ଉପରକୋର୍ଟକୁ ଯାଇପାରନ୍ତି, କିନ୍ତୁ ନିୟମ ଅନୁସାରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ନିୟମ ତ ସମସ୍ତଙ୍କ ପାଇଁ ସମାନ। ଗୃହର ସଦସ୍ୟ ନଥିବା ରାହୁଲ ଗାନ୍ଧୀଙ୍କୁ ନେଇ ଗୃହ ବନ୍ଦ କରିବାର ଅଧିକାର କଂଗ୍ରେସର ନାହିଁ। ଯେଉଁଥିରେ ବିଧାନସଭା କିଛି କରିପାରିବନି, ବିଧାନସଭାର କିଛି ଭୂମିକା ନାହିଁ ସେ ପ୍ରସଙ୍ଗରେ ଗୃହ କାହିଁକି ବନ୍ଦ ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ଦରକାର ବୋଲି କହିଥିଲେ। ବିଜେପି ବିଧାୟକମାନେ ଲୋକସଭାର ବିଜ୍ଞପ୍ତି ଦେଖାଇ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳକୁ ବିରୋଧ କରିଥିଲେ।

ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଦେଶରେ ଗଣତନ୍ତ୍ର ବୋଲି କିଛି ନାହିଁ। କେନ୍ଦ୍ରର ବିଜେପି ସରକାର ଆଜି ଗଣତନ୍ତ୍ରକୁ ହତ୍ୟା କରିଛି। କିଛି ଦିନ ତଳେ କଟକ ବିଧାୟକ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ‌ତାଙ୍କର ତ ସଦସ୍ୟତା ରଦ୍ଦ ହୋଇନଥିଲା। ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଇଥିଲେ। ଏହାକୁ କୁହନ୍ତି ଗଣତନ୍ତ୍ର। କିନ୍ତୁ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି। ହିଟଲରୀ ଶାସନ କରୁଛନ୍ତି। ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ୨୫୦୦କିମି ପଦଯାତ୍ରା କରିଥିବାରୁ ବିଜେପି ଭୟ କରୁଛି। ଏହି ମାମଲାରେ ତାଙ୍କୁ ଉପ‌ର କୋର୍ଟରୁ ଆଶ୍ବସ୍ତି ମିଳିଥାନ୍ତା। କିନ୍ତୁ ସେଥିପାଇଁ ସମୟ ଦିଆଗଲାନି। ନ୍ୟାୟିକ ବ୍ୟବସ୍ଥା ଉପରେ ଆମର ପୂର୍ଣ୍ଣ ବିଶ୍ବାସ ଅଛି। ବିରୋଧୀ ଦଳ ନେତା ଅସହିଷ୍ଣୁ ହୋଇପଡ଼ିଛନ୍ତି। ଗୃହକୁ ମୁଲତବୀ କରି ବଜେଟ୍ ଖର୍ଚ୍ଚ ଦାବିକୁ ଗିଲୋଟିନ୍‌କୁ ନେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ଅପରପକ୍ଷେ ଆଜି କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାୟକମାନେ କଂଗ୍ରେସ ବିଧାୟକମାନଙ୍କୁ ଛିଗୁଲାଇ କହୁଥିଲେ ଯେ, ଆହୁରି ସେମାନଙ୍କ ସହ ମିଶ, ଫଳ ପାଇଲ ତ ? ୧୫ଦିନ ହେଲା ସେମାନଙ୍କ ସହ ମିଶି ଆମକୁ ବିରୋଧ କରୁଥିଲ, ଏବେ କ’ଣ କରିବ? ଏପରିକି କଟକ ବିଧାୟକଙ୍କୁ ଦଣ୍ଡାଦେଶ ହେବା ପରେ ଓଡ଼ିଶା ସରକାର ସମୟ ଦେବା ନେଇ ନରସିଂହ ମିଶ୍ର କହିବା ବେଳେ ବିଜେଡି ବିଧାୟକମାନେ ‌ଟେବୁଲ୍ ବାଡ଼େଇ ସମର୍ଥନ କରିଥିଲେ। ନବୀନ ପଟ୍ଟନାୟକ ଏକମାତ୍ର ଗଣତାନ୍ତ୍ରିକ ବ୍ୟକ୍ତି ବୋଲି ବିଜେଡି ବିଧାୟକମାନେ କହୁଥିଲେ।

ସମ୍ବନ୍ଧିତ ଖବର