ମହିଳାଙ୍କ ପ୍ରତି ସକାରାତ୍ମକ ପକ୍ଷପାତିତା ଜରୁରି: ଉଷା ପାଢ଼ୀ

ସି ହେଲ୍‌ଥ୍‌ ହିରୋଜ୍‌

ଭୁବନେଶ୍ବର : ସାରା ଦୁନିଆ ମହିଳାମାନଙ୍କ କର୍ମକ୍ଷେତ୍ର। ସେମାନେ କାର୍ଯ୍ୟାଳୟରେ ଥାଆନ୍ତୁ କି ଘରେ, ମହିଳାମାନଙ୍କୁ ସବୁବେଳେ ସବୁ ଦାୟିତ୍ବ ନେଇ କାମ କରିବାକୁ ହେଉଥାଏ। ସ୍ବାଭାବିକ ଭାବେ କର୍ମକ୍ଷେତ୍ରରେ ଥିବାସମୟରେ ଘରକାମରେ ବ୍ୟାଘାତ ହେଉଥିବା ବେଳେ ଘର କାମରେ ଥିବା ସମୟରେ ପାରିବାରିକ ଜଂଜାଳ ଯୋଗୁଁ କର୍ମକ୍ଷେତ୍ରରେ କିଛି ଅସୁବିଧା ହୁଏ। ତେଣୁ ମହିଳାଙ୍କ ପ୍ରତି ସମାଜର ସବୁବର୍ଗର ଲୋକ ଏକ ସକାରାତ୍ମକ ପକ୍ଷପାତ ଦୃଷ୍ଟିକୋଣ ରଖିବା ଜରୁରି ବୋଲି କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷକ୍ଷିକ ଶିକ୍ଷା ବିଭା‌ଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ।

ଶୁକ୍ରବାର ଦିନ ‘ସମ୍ବାଦ’ ପକ୍ଷରୁ ‘ବିର୍ଲା ଫର୍ଟିଲିଟି ଏଣ୍ଡ୍‌ ଆଇଭିଏଫ୍‌’ର ମିଳିତ ସହଯୋଗରେ ହୋଟେଲ ମେ’ ଫେୟାରଠାରେ ଆୟୋଜିତ ‘ସି ହେଲ୍‌ଥ୍‌ ହିରୋଜ୍‌- ରେକଗ୍‌ନାଇଜିଂ ଓମେନ୍‌ ଇନ୍‌ ଆଲାଏଡ୍‌ ହେ‌ଲ୍‌ଥ୍‌ କେୟାର’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋ‌ଗ ଦେଇ ଶ୍ରୀମତୀ ପାଢ଼ୀ ଆହୁରି କହିଛନ୍ତି, ତେବେ ପୁରୁଷମାନଙ୍କ ପକ୍ଷରୁ ଅନେକ ସମୟରେ ଅଭିଯୋଗ ହୋଇଥାଏ ଯେ, ନାରୀମାନେ ଅନେକ ସମୟରେ ମହିଳା ହେବାର ସୁଯୋଗ ନେଉଛନ୍ତି। ପରିବାରର ସମସ୍ୟା, ପିଲାମାନଙ୍କ ପାଠପଢ଼ା ବା ଅନ୍ୟ ବିଭିନ୍ନ କାମ ପାଇଁ ମହିଳାମାନଙ୍କୁ କର୍ମକ୍ଷେତ୍ରରୁ ଛୁଟି ବା ସୁବିଧା ସୁଯୋଗ ମିଳେ। ତେଣୁ ଅନେକ ସମୟରେ ମହିଳାମାନଙ୍କୁ ବହୁ ପୁରୁଷ ଏନେଇ ଖୁଣ୍ଟା ବି ଦିଅନ୍ତି। କିନ୍ତୁ ଏହି କ୍ଷେତ୍ରରେ ମହିଳାଙ୍କ ପ୍ରତି ପୁରୁଷମାନଙ୍କୁ ଟିକେ ପକ୍ଷପାତିତା ଦେଖାଇବାର ଆବଶ୍ୟକତା ରହିଛି। ମହିଳାମାନେ ନିଜ କର୍ମ ସହ ‘ସମାଜ ଗଠନ’ରେ ସବୁଠାରୁ ବଡ଼ ଅଂଶୀଦାର ହୋଇଥିବାରୁ ସେମାନଙ୍କ ପ୍ରତି ସକାରାତ୍ମକ ପକ୍ଷପାତିତା ରଖିବା ପୁରୁଷମାନଙ୍କ ଦାୟିତ୍ବ। ‌

ସେ ଆହୁରି କହିଲେ, ଅନେକ ସମୟରେ ମହିଳାମାନେ ଧର୍ମ ସଂକଟ‌ରେ ପଡ଼ନ୍ତି। କର୍ମକ୍ଷେତ୍ର ନା ପାରିବାରିକ ଜୀବନ; କେଉଁଟା ବେଶି ଜରୁରି। ମହିଳାମାନେ ଏହି ଦ୍ବନ୍ଦ୍ବକୁ ନିଜ ଭିତରୁ କାଢ଼ି ଫୋପାଡ଼ନ୍ତୁ। ପରିବାର ଓ ବୃତ୍ତି ଉଭୟ ଜରୁରି। ଯାହା ବି କରୁଛନ୍ତି, ନିଜର ଶତପ୍ରତିଶତ ଦିଅନ୍ତୁ। ଯଦି ପରିବାରରେ କିଛି ଅସୁବିଧା ଅଛି, କର୍ମରୁ କିଛି ସମୟ ବିରତି ନେଇ ପରିବାରକୁ ନିଜର ସର୍ବସ୍ବ ଦିଅନ୍ତୁ। ଯେବେ ପରିବାରରେ କିଛି ସମସ୍ୟା ନାହିଁ, ସେହିଦିନ ବିରତି ସମୟର କ୍ଷତିପୂରଣ ସ୍ବରୂପ କର୍ମକ୍ଷେତ୍ରକୁ ସମର୍ପିତ ହୁଅନ୍ତୁ। ଏଭଳି ହେଲେ ମହିଳାମାନେ ଉଭୟ କ୍ଷେତ୍ରକୁ ସଫଳତାର ସହ ପରିଚାଳନା କରିପାରିବେ। ଏଥିସହ ସେ ନିଜେ ଜଣେ ଡାକ୍ତରାଣୀଙ୍କ ଝିଅ ହୋଇଥିବାରୁ ତାଙ୍କୁ ନିଜ ଅଞ୍ଚଳରେ କିପରି ସ୍ନେହଶ୍ରଦ୍ଧା ମିଳେ ତା’ର ଅବତାରଣା କରିବା ସହ ଡାକ୍ତରମାନଙ୍କୁ ଭଗବାନଙ୍କ ତଳକୁ ସବୁଠୁ ବଡ଼ ଗଣାଯାଏ ବୋଲି କହିଥିଲେ।


ମୁଖ୍ୟବକ୍ତା କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶିକା ପ୍ରଫେସର ନିବେଦିତା ପାଣି କହିଲେ, କରୋନା ସଂକଟ ସହ ସଂଗ୍ରାମ କରିବାର ଉତ୍ସାହ, ପ୍ରେରଣା ଓ ସାହସ କେବଳ ସେବିକାମାନଙ୍କଠାରୁ ପାଇଥିଲୁ। ସେବିକାମାନେ ହେଉଛନ୍ତି ସମଗ୍ର ଚିକିତ୍ସା ବ୍ୟବସ୍ଥାର ହୃଦ୍‌ସ୍ପନ୍ଦନ। ସେବିକାଙ୍କ ବିନା ଆମେ ଡାକ୍ତରମାନେ କିଛି ନୋହୁଁ। ସେମାନେ ରୋଗୀଙ୍କୁ ଔଷଧ ସମ୍ପର୍କିତ ପରାମର୍ଶ କରନ୍ତି ନାହିଁ ସତ, କିନ୍ତୁ ସେମାନେ ରୋଗୀଙ୍କୁ ସେବା, ଯତ୍ନ, ଆରାମ ଓ ଆଶ୍ବାସନା ଦେଇ ସୁସ୍ଥ କରିଥା’ନ୍ତି। ‌କରୋନା ସମୟରେ ଆଶାକର୍ମୀ, ଏଏନ୍‌ଏମ୍‌ ଓ ବହୁମୁଖୀ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଘରକୁ ଘର ବୁଲି ଲୋକମାନଙ୍କୁ ସେବା ଯୋଗାଉଥିଲେ। ସେମାନଙ୍କ ମଧ୍ୟରେ ୭୦% ମହିଳା ହିଁ ଥିଲେ। ସମାଜ ପ୍ରତି ମହିଳାଙ୍କ ଏହି ଅବଦାନଟି କେହି ଭୁଲିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଏହି ଅବସରରେ ଶ୍ରୀମତୀ ପାଣି ସ୍ବାସ୍ଥ୍ୟ ବିଜ୍ଞାନର ଗୁରୁମନ୍ତ୍ର ଶିଖାଇଥିଲେ। ସେ କହିଥିଲେ, ଜାତୀୟ ପତାକାର ପ୍ରଥମ ରଙ୍ଗ ନାରଙ୍ଗୀ ଅର୍ଥାତ୍‌ ଡାଲିଜାତୀୟ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ପ୍ରେରିତ କର। ଦ୍ବିତୀୟ ରଙ୍ଗ ଧଳା ଅର୍ଥାତ ‌‌ଶ୍ବେତସାରଜାତୀୟ ଖାଦ୍ୟ ଓ ତୃତୀୟ ରଙ୍ଗ ସବୁଜ ଅର୍ଥାତ ପ୍ରଚୁର ପରିମାଣରେ ସବୁଜ ପନିପରିବା ନିଜେ ଖାଇବା ଓ ଅନ୍ୟକୁ ଖାଇବାକୁ ପରାମର୍ଶ ଦେବାକୁ ସେ କହିଥିଲେ।


ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଅବସରରେ ରୁଷ୍‌ ବିପ୍ଲବର ମହାନାୟକ ଭ୍ଲାଦିମିର୍‌ ଲେଲିନ୍‌ଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ, ନାରୀଶକ୍ତି ବିନା ପରିବର୍ତ୍ତନ କିମ୍ବା ବିପ୍ଲବ ସମ୍ପୂର୍ଣ୍ଣ ନୁହେଁ। ଅନେକ ସମୟରେ ସମାଜରେ ମହିଳାମାନଙ୍କୁ ପଛୁଆ, ଦ୍ବିତୀୟ ଶ୍ରେଣୀର ନାଗରିକ, ଅବଳା ବା ନ୍ୟୁନ ବୋଲି ବିଚାର କରାଯାଏ। କିନ୍ତୁ ମାଟ୍ରିକ୍‌ରେ ଏ-୧ରେ ଉତ୍ତୀର୍ଣ୍ଣ ହେଉଥିବା ପିଲାମାନଙ୍କ ମଧ୍ୟରେ ୬୦% ଝିଅ। ଏହି ପ୍ରତିଶତକୁ ଦେଖିଲେ ‌କେହି ତାଙ୍କୁ ପଛୁଆ କହିପାରିବ ନାହିଁ। ଆମ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ୫୦% ସ୍ଥା‌ନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ହେଲେ ଏହି ନିର୍ବାଚନ ପରେ ଜଣାପଡ଼ିଛି, ଶାସନ ବ୍ୟବସ୍ଥାର ୬୨ଭାଗ ପଦପଦବି ମହିଳାଙ୍କ ପାଖରେ ରହିଛି। ଏଠି ମହିଳାମାନେ ଶାସନ ବ୍ୟବସ୍ଥାରେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି। ମହିଳାମାନଙ୍କ ଉତ୍‌ଥାନ୍‌ କ୍ଷେତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ଅଧିକ ଜରୁରି। ଏଭଳି ଏକ ଉଦ୍ଦେଶ୍ୟ ରଖି ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ରାଜ୍ୟ ସରକାର ସଶକ୍ତ କରିବାରେ ଲାଗିଛନ୍ତି।

କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ‘ବିର୍ଲା ଫର୍ଟିଲିଟି ଏଣ୍ଡ୍‌ ଆଇଭିଏଫ୍‌’ର ୟୁନିଟ୍‌ ମୁଖ୍ୟ ଡ‌ାକ୍ତର ଲିପ୍‌ସା ମିଶ୍ର କହିଥିଲେ, ପ୍ରତିଟି ମହିଳା ମା’ ହେବାକୁ ଚାହାନ୍ତି। ଏହାକୁ ‌ନେଇ ବେଳେବେଳେ ସମସ୍ୟା ହୁଏ। କିନ୍ତୁ ନିଃସନ୍ତାନ ଏକ ବ୍ୟାଧି ନୁହେଁ। ଏହାର ନିରାକରଣ ଓ ଚିକିତ୍ସା ସମ୍ଭବ। ବ୍ୟସ୍ତ ନ ହୋଇ ଏହାର ଉପଯୁକ୍ତ ଚିକିତ୍ସା କରାଇବାକୁ ସେ ପରାମର୍ଶ ଦେଇଥିଲେ।

ଏହିଅବସରରେ କରୋନା ତଥା ଅନେକ ବିପର୍ଯ୍ୟୟ ସମୟରେ ନିରନ୍ତର ସ୍ବାସ୍ଥ୍ୟସେବା ଯୋଗାଇଥିବା ୧୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ‌ଶେଷ‌ରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟଙ୍କ ନୃତ୍ୟାନୁଷ୍ଠାନ ‘ଆର୍ଟ ଭିଜନ୍‌’ର କଳାକାରମାନଙ୍କ ଦ୍ବାରା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟାଭିନୟ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର