ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡରେ ଜଣଙ୍କର ମୃତ୍ୟୁ ଘଟଣା: ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ବାରଙ୍ଗ: ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ଆବର୍ଜନା ନେଇ ଯାଉଥିବା ଗାଡ଼ି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ଘଟଣାରେ ଜାରି ରହିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ସହ ଜଣେ ସଦସ୍ୟଙ୍କୁ ଚାକିରିର ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଉଲ୍ଲେଖଯୋଗ୍ୟ, ଭୁଆସୁଣି ଡମ୍ପିଂ ୟାର୍ଡ ରାସ୍ତାରେ ଆବର୍ଜନା ନେଇ ଯାଉଥିବା ଗାଡ଼ି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୨ମାସ ପରେ ପୁଣି ଜଣଙ୍କର ପ୍ରାଣହାନି ଘଟିଥିଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ମୃତକ ବାରଙ୍ଗ ବ୍କକ୍ ରାମଦାଶପୁର ପଞ୍ଚାୟତ ବେଣ୍ଟୁଆ ବସ୍ତିର ରାମଚନ୍ଦ୍ର ଗାଗରାଇ।

ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତ ଅଗଷ୍ଟ ମାସରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରଦିନ ସକାଳେ ଶହଶହ ‌ସଂଖ୍ୟାରେ ଦାରୁଠେଙ୍ଗ ପଞ୍ଚାୟତ ବାସିନ୍ଦା ସ୍ବତଃପ୍ରବୃତ୍ତ ଭାବରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ। ଟାୟାର ଜାଳି ଚନ୍ଦକା-ବାରଙ୍ଗ ରାସ୍ତା ଅବରୋଧ କରିବା ସହ ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଏଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ଓ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସେମାନେ ରାସ୍ତା ଉପରେ ବସି ରହିଥିଲେ। ଏଣିକି ବିଏମ୍‌ସି ଆବର୍ଜନା ଆଣିଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର