ଶବଦାହ ପାଇଁ ଅଣ୍ଟୁନି ପିଣ୍ଡି: ସ୍ବର୍ଗଦ୍ବାରରେ ୧୧୦ ଶବକୁ ୨୮ ପିଣ୍ଡି

ନବକଳେବର ହେଲା, ସମସ୍ୟା ସୁଧୁରିଲାନି

ପୁରୀ: ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଅଣ୍ଟୁନି ପିଣ୍ଡି। ଶବ ଧରି ଆତ୍ମୀୟମାନେ ଘଣ୍ଟାଘଣ୍ଟା ବସି ରହୁଛନ୍ତି। ବୁଧବାର ୨୪ ଘଣ୍ଟା ମଧ୍ୟରେ ୧୧୦ଟି ମରଶରୀର ଆସିବା ପରେ ପ୍ରଶାସନର ଅକଲ ଗୁଡ଼ୁମ ହୋଇଯାଇଛି। ପିଣ୍ଡି ସଂଖ୍ୟା ୨୮ ଥିଲେ ହେଁ ସେଥି ମଧ୍ୟରୁ ୪ଟି ଅଘୋଷିତ ଭାବେ ସଂରକ୍ଷିତ ବୋଲି କୁହାଯାଉଛି। ଏଣେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ୩ ହଜାରରୁ ୪ ହଜାର ଟଙ୍କାକୁ ବଢ଼ାଇ ଦେବା ପରେ ସ୍ବର୍ଗଦ୍ବାରକୁ ଶବ ଆଗମନ ବଢ଼ିବାରେ ଲାଗିଛି। କିନ୍ତୁ ଶବଦାହ କରିବାକୁ ଟୋକନ୍‌ ଧରି ପିଣ୍ଡି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

ବ୍ୟବସ୍ଥିତ ଶବଦାହ ପାଇଁ ସ୍ବର୍ଗଦ୍ବାରର ନବକଳେବର ହୋଇଛି। ୩ ବର୍ଷ ତଳେ ସ୍ବର୍ଗଦ୍ବାରର ନବକଳେବର ବେଳେ ଦୈନିକ ୪୦ଟି ଶବ ଆସିବା ନେଇ ଭିତ୍ତିଭୂମି ନିର୍ମାଣ ହୋଇଥିଲା। ବର୍ଷକ ପରେ ହରିଶ୍ଚନ୍ଦ୍ର ସହାୟତା ରାଶି ୩ ହଜାର ଟଙ୍କାକୁ ବୃଦ୍ଧି ପାଇଲା ଓ ସ୍ବର୍ଗଦ୍ବାରକୁ ଆସୁଥିବା ଶବର ସଂଖ୍ୟା ୭୦-୮୦କୁ ବୃଦ୍ଧି ପାଇଲା। ଏବେ ହରିଶ୍ଚନ୍ଦ୍ର ସହାୟତା ରାଶି ୪ ହଜାର ଟଙ୍କାକୁ ବୃଦ୍ଧି ହୋଇଛି ଓ ଶବ ଆଗମନ ସଂଖ୍ୟା ମଧ୍ୟ ବେଳେବେଳେ ଶହେ ଛୁଇଁଯାଉଛି। ଫଳରେ ଶତାଧିକ ଶବକୁ ଦାହ କରିବା ପାଇଁ ପିଣ୍ଡି ଉପଲବ୍ଧ ହେଉନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସ୍ବର୍ଗଦ୍ବାର ନିକଟରେ ସରକାରୀ ଜମି ରହିଛି, ମାତ୍ର ସ୍ବର୍ଗଦ୍ବାରର ପିଣ୍ଡି ସଂପ୍ରସାରଣ ପାଇଁ ଏଯାଏ ଯୋଜନା ହୋଇନାହିଁ। ତେବେ ଖାଲି ପିଣ୍ଡି ସମସ୍ୟା ନାହିଁ, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ମାତ୍ର ୪ ଜଣ ବ୍ରାହ୍ମଣଙ୍କୁ ନିଯୁକ୍ତ କରାଯାଇଛି। ଦୈନିକ ଶବ ସଂଖ୍ୟା ୧୦୦ ଟପିଥିବା ବେଳେ ୪ ଜଣ ବ୍ରାହ୍ମଣ ପଥଶ୍ରାଦ୍ଧ କରିବା ସମ୍ଭବ ହେଉନାହିଁ। ସ୍ବର୍ଗଦ୍ବାରରେ ପାର୍କିଂ ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି। କେବଳ ସେତିକି ନୁହେଁ, ସ୍ବତନ୍ତ୍ର ଶୌଚାଳୟର ଆବଶ୍ୟକତା ଥିଲେ ହେଁ ଏଯାଏ କରାଯାଇନାହିଁ।

ସାମାଜିକ ଓ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ସ୍ବର୍ଗଦ୍ବାର କାହାର ପୈତୃକ ସମ୍ପତ୍ତି ନୁହେଁ। ସେଠାରେ ଭିଆଇପି କିମ୍ବା କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଶବଦାହ ପାଇଁ ପିଣ୍ଡି ସଂରକ୍ଷିତ ରଖାଯିବା ଅନୁଚିତ। ଟୋକନ୍‌ ବ୍ୟବସ୍ଥା ନକରି ଯେଉଁ ଶବ ପହଞ୍ଚୁଛି ‘ଫାଷ୍ଟ କମ୍‌ ଫାଷ୍ଟ ସର୍ଭଡ’ ବ୍ୟବସ୍ଥା କରାଯିବା ଦରକାର। ପିଣ୍ଡି ସଂରକ୍ଷିତ ରଖି ଶବଦାହ ପାଇଁ ଅପେକ୍ଷା କରାଇବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି। ଏନେଇ ସ୍ବର୍ଗଦ୍ବାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି, ୩ ବର୍ଷ ତଳେ ୪୦ଟି ମୃତଦେହ ଆସୁଥିଲା, ଏବେ ୧୦୦ ମୃତଦେହ ଆସୁଛି। ତେଣୁ ପିଣ୍ଡି ସଂପ୍ରସାରଣର ଆବଶ୍ୟକତା ରହିଛି। ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅଧିକ ବ୍ରାହ୍ମଣ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇସାରିଛି ବୋଲି ସେ କହିଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଗତକାଲି ସର୍ବାଧିକ ୧୧୦ଟି ମୃତଦେହ ଆସିଥିଲା। ଗତ ୩ ବର୍ଷରେ ଏହା ସର୍ବାଧିକ। ତେଣୁ ପିଣ୍ଡି ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ପିଣ୍ଡି ସଂପ୍ରସାରଣ ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି। ଭିଆଇପିମାନଙ୍କ ପାଇଁ କୌଣସି ପିଣ୍ଡି ସଂରକ୍ଷିତ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର